www.samajalive.in
Thursday, December 11, 2025
16.1 C
Bhubaneswar

କରୋନା ସଂକ୍ରମଣ ଦ୍ୱିତୀୟ ପ୍ରବାହ ସମ୍ପର୍କରେ ସାମ୍ବାଦିକମାନେ ସଚେତନତା ସୃଷ୍ଟି କରନ୍ତୁ : ବାଚସ୍ପତି

ଭୁବନେଶ୍ୱର  : ଶୀତଦିନ ବେଳକୁ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ବିଶ୍ୱରେ ଖେଳିଯିବାର ସମ୍ଭାବନା ଥିବାରୁ ଏ ସମ୍ପର୍କିତ ଜନସଚେତନତା ସୃଷ୍ଟି କରି ଲୋକମାନଙ୍କୁ ସତର୍କ ରହିବା ପାଇଁ ସାମ୍ବାଦିକମାନେ ଉଦ୍ୟମ କରିବା ଉଚିତ ବୋଲି ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି।

ସୋମବାର ଜାତୀୟ ପ୍ରେସ୍‍ ଦିବସ ଅବସରରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଏକ ସଙ୍କୁଚିତ ପରିବେଶ ମଧ୍ୟରେ ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ବିଶ୍ୱର ୨୧୩ଟି ଦେଶ ବର୍ତ୍ତମାନ କରୋନା ସଂକ୍ରମଣରେ କବଳିତ ହୋଇଛି। ଏହାର ଦ୍ୱିତୀୟ ଲହରୀ ଶୀତଦିନ ବେଳକୁ ଆସିବ ଏବଂ ପ୍ରଥମ ଲହରୀ ଠାରୁ ଏହା ଅଧିକ ଭୟାବହ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସଫଳ ଔଷଧ କିମ୍ବା ଟୀକା ବାହାରି ନଥିବାରୁ ଏ ସଂମ୍ପର୍କିତ ସଚେତନତା ସୃଷ୍ଟି କରିବା ଦ୍ୱାରା ହିଁ ଏହାର ସଂକ୍ରମଣକୁ ରୋକାଯାଇ ପାରିବ। ସେଥିପାଇଁ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମ ଓ ଏହାର ପ୍ରତିନିଧିମାନଙ୍କୁ କରେନା ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ ହେବାକୁ ଅନୁରୋଧ କରିଛନ୍ତି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।

- Advertisement -

ଏହି ଉତ୍ସବକୁ ଉଦ୍‍ଘାଟନ କରି ରାଜ୍ୟ ମାନବାଧିକାର କମିଶନର ପୂୂର୍ବତନ ଅଧ୍ୟକ୍ଷ ଜଷ୍ଟିସ ବୀରକିଶୋର ମିଶ୍ର କହିଥିଲେ ଯେ, ସାମ୍ବାଦିକମାନେ ନିର୍ଭୀକ ହେବା ଉଚିତ୍‍। ସେମାନେ କେବେ କିଣି ହୋଇନାହାଁନ୍ତି। କିନ୍ତୁ ସତ୍ୟକୁ ଆକ୍ଷେପ ଭାବେ ନକହି ସତ୍ୟ ଭାବରେ ହିଁ କହିବାକୁ ପରାମର୍ଶ ଦେଇଥିଲେ। ପ୍ରସଙ୍ଗକ୍ରମେ ସେମାନଙ୍କର ଅଭାବ ଅସୁବିଧାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ହେବା ଉଚିତ୍‍ ବୋଲି କହିଥିଲେ।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ତରଫରୁ ଲୋକ ସେବକ ମଣ୍ଡଳର ସଚିବ ତଥା ଦୈନିକ ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ‘ପ୍ରମେୟ’ର ସମ୍ପାଦକ ଗୋପାଳକ୍ରିଷ୍ଣ ମହାପାତ୍ରଙ୍କୁ ଚଳିତବର୍ଷ ପାଇଁ ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶ୍ରୀ ମହାପାତ୍ର ଉଚ୍ଚ ସମ୍ମାନ ମିଳିଲେ ବୃତ୍ତିର ଅନ୍ତ ଘଟୁଥିବାରୁ ଏଭଳି ଏକ ବଡ଼ ସମ୍ମାନ ତାଙ୍କ ବୃତ୍ତିରୁ ଅନ୍ତରାୟ ହେବ ନାହିଁ ବୋଲି ସେ କହିଥିଲେ।  ଉତ୍କଳ ମେଲ୍‍ର ସମ୍ପାଦକ ପୀତବାସ ମିଶ୍ର ବର୍ତ୍ତମାନର ସାମ୍ବାଦିକତା ଉପରେ ଆଲୋଚନା କରି ସମ୍ବାଦର ବିଶ୍ୱାସନୀୟତା କମୁଥିବାରୁ ସାମ୍ବାଦିକମାନେ ଆତ୍ମସମୀକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ।

ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ସାମ୍ବାଦିକତାର ନୈତିକତା ସମ୍ପର୍କରେ ଆଲୋଚନା କରି ନିର୍ଭୀକତା ପ୍ରଦର୍ଶନ ହିଁ ସାମ୍ବାଦିକତା ବୋଲି କହିଥିଲେ। ଚଳିତବର୍ଷ ପ୍ରେସ୍‍ ଦିବସରର ଆଲୋଚ୍ୟ ପ୍ରସଙ୍ଗ ଭାବେ କୋଭିଡ୍‍ ନିୟମ ଓ ସାମ୍ବାଦିକମାନଙ୍କର ଭୂମିକା ରହିଥିବାରୁ ନିର୍ଭୀକଭାବେ ପ୍ରତ୍ୟେକ କ୍ଷେତ୍ରରେ ପ୍ରେସ୍‍ର ନିୟମ ଉଲଂଘନକୁ ପ୍ରକାଶ ପ୍ରକାଶ କରିବା ଉଚିତ ବୋଲି କହିଥିଲେ।
ଉତ୍କଳ ସାମ୍ବାଦିକ ୟୁନିୟନର ସଭାପତି ବିଭୂତି ଭୂଷଣ କର ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇ କୌଣସି ଲୋଭର ବଶବର୍ତ୍ତୀ ନହେବା ତଥା ଭୟ ନକରିବା ସାମ୍ବାଦିକର ଧର୍ମ ବୋଲି କହିଥିଲେ। ସମଗ୍ର ବିଶ୍ୱର ୧୮୬ଟି ରାଷ୍ଟ୍ରର ସାମ୍ବାଦିକମାନଙ୍କର ନିରାପତ୍ତା ପ୍ରସଙ୍ଗ ଉଠାଇ ଭାରତର ସ୍ଥାନ ୧୪୦ ବୋଲି ଉଲ୍ଲେଖ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ବର୍ତ୍ତମାନର କଠିନ ପରିସ୍ଥିତିରୁ ସମାଜକୁ ଦିଗ୍‍ଦର୍ଶନ ଦେବା ପାଇଁ ଗଣମାଧ୍ୟମ କାମ କରୁ ବୋଲି କହିଥିଲେ। ‘ସମାଜ’ର ଉପଦେଷ୍ଟା ସୁରେଶ ମନ୍ତ୍ରୀ ଏହି ଅବସରରେ ସାହିତ୍ୟିକ ଓ ସାମ୍ବାଦିକମାନେ ପରସ୍ପର ପରିପୂରକ ହେବା ସହ ଯୁଗଧର୍ମୀ ହେବା ଉଚିତ ବୋଲି କହିଥିଲେ।

ଏହି ଅବସରରେ ରାଜ୍ୟର ୨୭ଜଣ ବରିଷ୍ଠ ସାମ୍ବାଦିକ ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ବସନ୍ତ କୁମାର ଦାସ, ପ୍ରଦୋଷ ପଟ୍ଟନାୟକ, ଅରୁଣ କୁମାର ପଣ୍ଡା, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅର୍ଜୁନ ରଞ୍ଜନ ପଣ୍ଡା, ଗଜେନ୍ଦ୍ର କୁମାର ମହାନ୍ତି, ସେକ୍‍ ଅହମ୍ମଦ ମନାନ, ସୁରେନ୍ଦ୍ର ସାହୁ, ବସନ୍ତ ଦାସ, ଭାଗବତ ତ୍ରିପାଠୀ, ଶ୍ରୀରାମ ଦାଶ, ସୁଦାମ ଚରଣ ନାୟକ, ହଳଧର ଧୀର, ଅଜିତ୍‍ କୁମାର ମହାନ୍ତି, ଅକ୍ଷୟ କୁମାର ପତି, ପଦ୍ମନାଭ ଜେନା, ଶିବ ପ୍ରସାଦ ତ୍ରିପାଠୀ, ସୁବାସ ପାଣିଗ୍ରାହୀ, ଗୋଲକ ଚନ୍ଦ୍ର ସୂତାର, ସୁଜ୍ଞାନ ଚୌଧୁରୀ, ଶିବରାମ ଦାସ ଓ ଗୁରୁକଲ୍ୟାଣ ମହାପାତ୍ରଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍‍ସନ ପ୍ରଦାନ କରାଯାଇଥିଲା।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ଜାତୀୟ ପ୍ରେସ୍‍ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କଲ୍ୟାଣ ବୋର୍ଡ଼ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ଦେବା ସହ ସରକାରଙ୍କ ନିୟମ ଅନୁଯାୟୀ ବରିଷ୍ଠ ନାଗରିକମାନେ ଘରୁ ବାହାରକୁ ନ ବାହାରିବା ଉଚିତ୍‍ ବୋଲି କହିଥିଲେ। ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ଚରିତ ‘ଅପ୍ରିୟମ’ ଏବଂ ‘ରାଜ ସନ୍ୟାସ ଶିବାଜୀ’ଶୀର୍ଷକ ୨ଟି ପୁସ୍ତକକୁ ଉଦ୍‍ଘାଟକ ଜଷ୍ଟିିସ ମିଶ୍ର ଉନ୍ମୋଚନ କରିଥିଲେ।

ଉତ୍ସବର ପ୍ରାରମ୍ଭରେ ସ୍ୱର୍ଗତ ବରିଷ୍ଠ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଏକ ନୀରବ ପ୍ରାର୍ଥନା ହୋଇଥିଲା। ଏହି ଉତ୍ସବରେ ପିଆଇବିର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, କଲ୍ୟାଣ ବୋର୍ଡ଼ର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଭାସ କୁମାର ଦାସ, ସୁଧାଂଶୁ ଶେଖର ମହାନ୍ତି ଓ ଲଲାଟେନ୍ଦୁ ପ୍ରମୁଖ ସଭା ପରିଚାଳନା କରିଥିଲେ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories