www.samajalive.in
Monday, December 8, 2025
24.1 C
Bhubaneswar

ଜାତୀୟ ସିନିୟର ମନୋନୟନକାରୀ ଦୌଡ଼ରେ ଶିବସୁନ୍ଦର

କଟକ : ବର୍ତ୍ତମାନ ବିସିସିଆଇର ଜାତୀୟ ସିନିୟର ପୁରୁଷ କ୍ରିକେଟ୍‌ ମନୋନୟନ କମିଟିରେ ୩ଟି ସ୍ଥାନ ଖାଲିରହିଛି। ଏହି ୩ଟି ସ୍ଥାନ ପୂରଣ କରିବା ଲାଗି କିଛିଦିନ ତଳେ ବିସିସିଆଇ ଦରଖାସ୍ତ ଆହ୍ବାନ କରିଥିଲା। ଏହି ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପୂର୍ବତନ ଟେଷ୍ଟ ଓପ୍‌ନର ଶିବସୁନ୍ଦର ଦାସ। ସେ ଆବେଦନ କରିବା କଥା ‘ସମାଜ’କୁ କହିଛନ୍ତି ଶିବସୁନ୍ଦର। ପୂର୍ବାଞ୍ଚଳରୁ ଶିବସୁନ୍ଦରଙ୍କ ସହ ଆବେଦନ କରିଥିବା ଅନ୍ୟ ଜଣକ ହେଲେ ପୂର୍ବତନ ପେସ୍ ବୋଲର ରଣଦେବ ବୋଷ। ଅନ୍ୟ ପ୍ରମୁଖ ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମାଞ୍ଚଳରୁ ପୂର୍ବତନ ଭାରତୀୟ ପେସ୍ ବୋଲର ଅଜିତ ଅଗରକର ଓ ଉତ୍ତରାଞ୍ଚଳରୁ ପୂର୍ବତନ ଆନ୍ତର୍ଜାତିକ ବାମହାତି ସ୍ପିନର ମନିନ୍ଦର ସିଂହ ଓ ଆନ୍ତର୍ଜାତିକ ପେସ୍ ବୋଲର ଚେତନ ଶର୍ମା। ରବିବାର ସନ୍ଧ୍ୟା ସୁଦ୍ଧା ଆବେଦନ କରିବାର ଶେଷତାରିଖ ଥିବା ବେଳେ ଶିବସୁନ୍ଦରଙ୍କ ସହ ଉପରୋକ୍ତ ୫ ଜଣ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି।
ଏବେ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର ତଥା ପେସ୍ ବୋଲର ଦେବାଶିଷ ମହାନ୍ତି ଜାତୀୟ ଜୁନିୟର ମନୋନୟନ କମିଟର ଅଧ୍ୟକ୍ଷ ଅଛନ୍ତି। ଏପରି ବି ଶୁଣିବାକୁ ମିଳୁଛି ଯେ ଦେବାଶିଷଙ୍କୁ ବିସିସିଆଇ ସିନିୟର ମନୋନୟନ କମିଟିରେ ସ୍ଥାନଦେଇ ତାଙ୍କ ସ୍ଥାନରେ ରଣଦେବ ବୋଷଙ୍କୁ ଜୁନିୟର ମନେନାୟନ କମିଟିରେ ରଖିପାରେ। ପୂର୍ବରୁ ପ୍ରତି ଜୋନ୍‌ରୁ ଜଣେ ଲେଖାଏଁ ସିନିୟର ମନୋନୟନକାରୀ କମିଟିରେ ସ୍ଥାନ ପାଉଥିଲେ। ତେବେ ବିସିସିଆଇର ନୂତନ ସମ୍ବିଧାନ ଅନୁସାରେ ମନୋନୟନ କମିଟି ସଦସ୍ୟ ଜୋନାଲ ଭିତ୍ତିରେ ଆଉ ହେ​‌େ​‌ବନାହିଁ। ସେମାନେ ଯେଉଁ ଜୋନ୍‌ରୁ ହୁଅନ୍ତୁ ନା କାହିଁକି; ଶ୍ରେଷ୍ଠ ୫ ଜଣ ଜାତୀୟ ମନୋନୟନ କମିଟିରେ ରହିବେ। ତେବେ ଅଦ୍ୟାବଧି ବିସିସିଆଇ ନୀତିରୁ ସ୍ପଷ୍ଟ ଯେ ଏହା ଜୋନାଲ ଭିତ୍ତିରେ ମନୋନୟନକାରୀ ନିଯୁକ୍ତି କରିପାରେ। କାରଣ ଚଳିତବର୍ଷ ଦକ୍ଷିଣାଞ୍ଚଳରୁ ପୂର୍ବତନ ଭାରତୀୟ ବାମହାତି ସ୍ପିନର ସୁନୀଲ​‌ ଜୋଶୀ ଏବଂ କେନ୍ଦ୍ରାଞ୍ଚଳରୁ ପୂର୍ବତନ ଆନ୍ତର୍ଜାତିକ ପେସ୍ ବୋଲର ହରବିନ୍ଦର ସିଂହ ଜାତୀୟ ସିନିୟର ମନୋନୟନକାରୀ ଭାବେ ନିଯୁକ୍ତ ହୋଇ ସାରିଛନ୍ତି। ୫ ଜଣିଆ ମନୋନୟନ କମିଟିରେ ବାକି ୩ଟି ସ୍ଥାନ ଖାଲିରହିଛି। ଦରଖାସ୍ତ ଆହ୍ବାନ ବେଳେ ବିସିସିଆଇ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲା ଯେ ଜୋନାଲ ଭିତ୍ତିରେ ମନୋନୟନକାରୀ ନିଯୁକ୍ତ ହେବେନାହିଁ। ତେବେ ଯଦି ଜୋନାଲ ଭିତ୍ତିରେ ମନୋନୟନକାରୀ ନିଯୁକ୍ତ ହୁଅନ୍ତି; ତେବେ ପୂର୍ବାଞ୍ଚଳରୁ ଶିବସୁନ୍ଦର ଦାସ ସିନିୟର କମିଟିରେ ରହିବା ପ୍ରାୟ ନିଶ୍ଚିତ। କାରଣ ପୂର୍ବାଞ୍ଚଳରୁ ସେପରି ବଡ଼ ନାମ ଆବେଦନ କରିବାର ସୂଚନା ନାହିଁ। ମାର୍ଚ୍ଚରେ ଲକ୍‌ଡାଉନ୍‌ ପୂର୍ବରୁ ଅଜିତ ଅଗରକର ଓ ମନିନ୍ଦର ସିଂହ ମନୋନୟନକାରୀ ହେବା ପାଇଁ ଆବେଦନ କରିଥିଲେ। ଉଭୟଙ୍କ ଅାବେଦନ କାଏମ୍ ରହିଛି ଏବଂ ସେମାନଙ୍କୁ ଆଉ ଆବେଦନ କରିବା ଆବଶ୍ୟକ ନାହିଁ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ।
ଜାଣିବାକୁ ମିଳିଛି ଯେ ତାଙ୍କର ବେଶ୍ ଅଭିଜ୍ଞତା ଦୃଷ୍ଟିରୁ ସୁନୀଲ ଜୋଶୀଙ୍କ ସ୍ଥାନରେ ଅଜିତ ଅଗରକର ମନୋନୟନ କମିଟିର ଅଧ୍ୟକ୍ଷ ହୋଇପାରନ୍ତି। ଚେତନ ଶର୍ମା ହରିୟାଣାର ହୋଇଥିଲେ ହେଁ ବେଶ୍ କିଛିବର୍ଷ ହେଲା ବଙ୍ଗଳା ପାଇଁ ରଣଜୀ ଟ୍ରଫି ଖେଳିଥିଲେ। ପୂର୍ବାଞ୍ଚଳରୁ ବଙ୍ଗଳାର ରଣଦେବ ବୋଷ ଥିଲେ ହେଁ ସେ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନାହାନ୍ତି। ତେବେ ଘରୋଇ କ୍ରିକେଟ୍‌ରେ ତାଙ୍କର ପ୍ରଦର୍ଶନ ଭଲ ଥିଲା। ଏହି ଦୃଷ୍ଟିରୁ ବହୁତ ଆଗରେ ରହିବେ ଶିବସୁନ୍ଦର ଦାସ। ୪୩ ବର୍ଷ ବୟସ୍କ ଶିବସୁନ୍ଦର ଭାରତ ପାଇଁ ୨୩ଟି ଟେଷ୍ଟ ଖେଳି ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହ ୧୩୨୬ ରନ୍ କରିଛନ୍ତି। ସେ ଭାରତ ପାଇଁ ୪ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ଶିବସୁନ୍ଦର ଜଣେ ମହାରଥୀ। ସେ ୧୮୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୨୪ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ସହ ୧୦୯୦୮ ରନ୍ କରିଛନ୍ତି। ସେ ୨୧ଟି ଲିଷ୍ଟ-ଏ ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଯଦି ଶିବସୁନ୍ଦର ଜାତୀୟ ସିନିୟର ମନୋନୟନ କମିଟିରେ ସ୍ଥାନପାଆନ୍ତି; ତେବେ ରଞ୍ଜୀବ ବିଶ୍ବାଳଙ୍କ ପରେ ସେ ୨ୟ ଓଡ଼ିଆ ହେବେ। ସେ ଯାହାହେଉ; ଆଉ କିଛିଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିପାରିବ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories