ଉତ୍ତରପ୍ରଦେଶର ୧୦ ରାଜ୍ୟସଭା ଆସନରୁ ୮ ହାତେଇଲା ବିଜେପି; ସପା-ବସପାରୁ ଜଣେ ଲେଖାଏଁ
୧୧୨ରେ ପହଞ୍ଚିଲା ରାଜ୍ୟସଭାରେ ଏନଡ଼ିଏର ସଦସ୍ୟ ସଂଖ୍ୟା
୩୮କୁ ଖସିଲା ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା
ଶେଷ ହୋଇଛି ଉତ୍ତରପ୍ରଦେଶର ରାଜ୍ୟସଭା ନିର୍ବାଚନ । ୧୦ଟି ଖାଲିଥିବା ଆସନ ନିମନ୍ତେ ହୋଇଥିବା ନିର୍ବାଚନରେ ବିଜେପି ୮ଟି ଆସନ ଦଖଲ କରିଥିବାବେଳେ ଅବଶିଷ୍ଟ ୨ଟି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ଯାଇଛି । କଂଗ୍ରେସ ଏହି ନିର୍ବାଚନରେ ଗୋଟିଏ ବି ଆସନ ପାଇନାହିଁ । କେବଳ ସେତିକି ନୁହେଁ ବିଜେପି ରାଜ୍ୟସଭାରେ ୯୨ଟି ଆସନ ସହ ସବୁଠାରୁ ଶୀର୍ଷରେ ଥିବାବେଳେ ପ୍ରଥମଥର ପାଇଁ କଂଗ୍ରେସର ଆସନ ସଂଖ୍ୟା ୩୮କୁ ଖସିଛି ।
ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ପୂର୍ବତନ ଡିଜିପି ବ୍ରିଜ ଲାଲ, ନୀରଜ ଶେଖର, ହରିଦ୍ୱାର ଦୁବେ, ଗୀତା ଶାକିଆ, ବି.ଏଲ୍ ଭର୍ମା ଏବଂ ସୀମା ଦ୍ୱିବେଦୀଙ୍କୁ ରାଜ୍ୟସଭା ଯିବାର ସୁଯୋଗ ମିଳିଛି। ସମାଜବାଦୀ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ରାମ ଗୋପାଳ ଯାଦବ ଏବଂ ବିଏସପି (ବିଏସପି) ପ୍ରାର୍ଥୀ ରାମଜୀ ଗୌତମ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି।
ଉତ୍ତରପ୍ରଦେଶର ରାଜ୍ୟସଭା ସଦସ୍ୟ ସଂଖ୍ୟା ୩୧ । ଆଜିର ଫଳାଫଳ ପରେ ରାଜ୍ୟସଭାରେ ଉତ୍ତରପ୍ରଦେଶରୁ ବିଜେପିର ୨୨ ଜଣ ସଦସ୍ୟ ରହିବା ସ୍ପଷ୍ଟ ହୋଇ ଯାଇଛି । ସେହିପରି ସମାଜବାଦୀ ପାର୍ଟିର ୫ ଜଣ, ବିଏସପିର ୩ ଓ କଂଗ୍ରେସର ମାତ୍ର ଜଣେ ରାଜ୍ୟସଭା ସଦସ୍ୟ ଅଛନ୍ତି । ନଭେମ୍ବର ୨୫ ତାରିଖରେ ଉତ୍ତରପ୍ରଦେଶର ୧୦ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହାମଧ୍ୟରେ ବିଜେପିର ୩, ସମାଜବାଦୀ ପାର୍ଟିର ୪, ବିଏସପିର ୨ ଓ କଂଗ୍ରେସର ଜଣେ ସଦସ୍ୟ ରହିଛନ୍ତି । ନିର୍ବାଚନ ପରେ ବିଜେପି ନିଜର ୩ ଆସନ ସହ ଆଉ ୫ଟି ଆସନ ଦଖଲ କରିଥିବାବେଳେ ସମାଜବାଦୀ ପାର୍ଟି ୩, ବିଏସପି ୧ ଓ କଂଗ୍ରେସ ହାତରୁ ଗୋଟିଏ ଆସନ ଖସିଛି । ଯଦିଓ ବିଜେପି ୟୁପିରେ ରାଜ୍ୟସଭା ନିର୍ବାଚନରେ ନଅ ଜଣ ପ୍ରାର୍ଥୀ ଜିତି ଜିତିବାର ସ୍ଥିତିରେ ଥିଲା, ତଥାପି ଗୋଟିଏ ଆସନ ଖାଲି ରହିଥିବା ବେଳେ ଏହା କେବଳ ଆଠ ଜଣ ପ୍ରାର୍ଥୀ ଦେଇଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟସଭାରେ ୯୨ ଜଣ ସାଂସଦ ଅଛନ୍ତି ଓ ଏନଡ଼ିଏର ମୋଟ ସାଂସଦଙ୍କ ସଂଖ୍ୟା ୧୧୨ରେ ପହଞ୍ଚିଛି । ଏହା ସତ୍ବେ ଏନଡ଼ିଏ ସଂଖ୍ୟା ଗରିଷ୍ଠତା ଠାରୁ ୧୦ଟି ଆସନ ପଛରେ ରହିଛି । ରାଜ୍ୟସଭାରେ ସମୁଦାୟ ୨୪୫ ଟି ଆସନ ଅଛି, ଯେଉଁଥିରୁ ରାଷ୍ଟ୍ରପତି ୧୨ ଟି ଆସନ ପାଇଁ ସଦସ୍ୟମାନଙ୍କୁ ମନୋନୀତ କରିଥାଆନ୍ତି ।
Comments are closed.