ଭାରତରେ ସାମାଜିକ ଦୂରତ୍ୱ

ଡାକ୍ତରମାନେ ଆରମ୍ଭରୁ କହୁଛନ୍ତି, ପ୍ରଶାସକମାନେ ବି କହୁଛନ୍ତି; ସମ୍ପ୍ରତି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ବି ସ୍ପଷ୍ଟକରି କହିଲେ- କରୋନା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ସବୁଠାରୁ କାର୍ଯ୍ୟକାରୀ ଉପାୟ ହେଲା ମୁଖା ପିନ୍ଧିବା ଆଉ ସାମାଜିକ ଦୂରତ୍ୱ ରକ୍ଷାକରିବା; କିନ୍ତୁ ବିଡ଼ମ୍ବନାର ବିଷୟ ଏ ଦୁଇଟିଯାକ କାମ ଆମେ ଠିକ୍‌ ଭାବେ କରୁନାହୁଁ। ନା ଆମେ ଠିକ୍‌ ଭାବେ ମୁଖା ପିନ୍ଧୁଛୁ ନା ସାମାଜିକ ଦୂରତ୍ୱ ରକ୍ଷାକରୁଛୁ। ବଜାରଘାଟରେ ଘେରାଏ ବୁଲିଆସିଲେ ଏ ବିଷୟଟି ଜଳଜଳ ହୋଇ ଆପଣଙ୍କ ଆଖିକୁ ଦିଶିବ। ଲୋକଙ୍କୁ ମୁଖା ପିନ୍ଧେଇବା ପାଇଁ ଏବଂ ସାମାଜିକ ଦୂରତ୍ୱ ରକ୍ଷାକରିବା ପାଇଁ ପୁଲିସକୁ ଠିଆହେବା ପାଇଁ ପଡୁଛି। ତଥାପି ଏ କାମ ଠିକ୍‌ ଭାବେ ହେଉନି।

ବଜାରହାଟରେ ଆପଣ ଦେଖିଥିବେ ବେଶ୍‌ କିଛି ଲୋକ ମୁଖା ବଡ଼ ବିଚିତ୍ର ଭାବରେ ପିନ୍ଧୁଛନ୍ତି। ମୁଖା ରହିବା କଥା ମୁହଁ ଉପରେ। ତାକୁ ସେମାନେ ଥୋମଣିରେ ଲଟକଉଛନ୍ତି। ମୁଖାକୁ ଭଲଭାବରେ ପରିଷ୍କାର କରି ବ୍ୟବହାର କରିବା କଥା। ଅନେକେ ତାହା ଆଦୌ କରୁନାହାନ୍ତି। ଅର୍ଥାତ୍‌ ଯେଉଁଥିପାଇଁ ମୁଖାପିନ୍ଧିବା କଥା, ତାହା ହିଁ ସାଧିତ ହେଉନାହିଁ। ସମାନ କଥା ସାମାଜିକ ଦୂରତ୍ୱ କ୍ଷେତ୍ରରେ। ପୁଲିସ ଠିଆହେଲେ ଲୋକେ ଧାଡ଼ିରେ ଛାଡ଼ିଛାଡ଼ି ଠିଆ ହେଉଛନ୍ତି। ପୁଲିସ ଗଲାମାତ୍ରେ ଧାଡ଼ି ଗଲା। ଲୋକେ ଠେଲାପେଲା ହେଲେ। ଏପରି କାହିଁ ହେଉଛି ? ଲୋକେ ପାଖାପାଖି, ଗେଞ୍ଜାଗେଞ୍ଜି, ଠେସାଠେସି, ନେସାନେସି ହେବା ପାଇଁ କ’ଣ ଭଲପାଆନ୍ତି ? ନା ଭାରତବର୍ଷରେ ଏହା ଏକ ବାଧ୍ୟବାଧକତା ?

ଦାମୋଦର ମଲ୍‌ ନାମକ ଜଣେ ଗବେଷକ ଏ ବିଷୟରେ ସାରା ଭାରତବ୍ୟାପୀ ଏକ ଅନୁଧ୍ୟାନ କରିଥିଲେ। ଏଥିରୁ ଜଣାପଡ଼ିଲା ଯେ, ଆମେ ଭାରତୀୟମାନେ ଧନୀ, ଗରିବ, ଶିକ୍ଷିତ, ଅଶିକ୍ଷିତ ନିର୍ବିଶେଷରେ- ଧାଡ଼ିରେ ଛାଡ଼ିଛାଡ଼ି ହୋଇ ଠିଆହେବାକୁ ପସନ୍ଦ କରୁନା। ଦୁଇତିନି ଜଣ ଯଦି ଛାଡ଼ିଛାଡ଼ି ଠିଆ ହୋଇଥା’ନ୍ତି ତା’ହେଲେ ପାଞ୍ଚଦଶ ମିନିଟ ଭିତରେ ଦେଖାଯିବ ଦୁଇଜଣଙ୍କ ଭିତରେ ସେ ଶୂନ୍ୟସ୍ଥାନ ଆଉ ନାହିଁ। ହୁଏତ ତୃତୀୟ ବ୍ୟକ୍ତିଟିଏ ପଶିଛି କିମ୍ବା ଠିଆ ହୋଇଥିବା ଦୁଇଜଣ ପାଖାପାଖି ହୋଇଯାଇଛନ୍ତି। ମଲ୍‌ର ବିଲିଂ କାଉଣ୍ଟରରୁ ରେଳର ଟିକଟ୍‌ କାଉଣ୍ଟର ପୁଣି ବିମାନର ପ୍ରସ୍ଥାନ ଗେଟ୍- ସବୁଠିଁ ଆପଣ ଏଇ କଥା ଦେଖିବେ। ଦାମୋଦର ମଲ୍‌ ଏହାକୁ ଏଲ୍‌ବୋ ପୁସ୍‌ ଫ୍ୟାକ୍ଟର ବା କହୁଣି ଠେଲା ଫାକ୍ଟର କହୁଛନ୍ତି। କହୁଣିଏ ଜାଗାଠୁଁ ଅଧିକ କୌଣସି ଶୂନ୍ୟ ସ୍ଥାନ ଆମେ ଧାଡ଼ିରେ ରଖିବାକୁ ଚାହୁଁନା।
ଏମିତି କାହିଁକି ? ଦାମୋଦର ମଲ୍‌ ଏହାର କେତେକ ସମାଜତାତ୍ତ୍ୱିକ କାରଣ ଦିଗରେ ଅଙ୍ଗୁଳି ନିର୍ଦେଶ କରନ୍ତି। ଏକ: ଆମ ଦେଶରେ ଲୋକ ବେଶି, ତେଣୁ କୌଣସି ଦୋକାନ, ସିନେମା ହଲ, ରେଳ ଷ୍ଟେସନ କାଉଣ୍ଟର ଆଗରେ ଲମ୍ବାଧାଡ଼ି ପାଇଁ ଜାଗା ଅଭାବ। ଦୁଇ: ଆମେ ଭାରତୀୟମାନେ ପର୍ସନାଲ ସ୍ପେସ୍‌ ବା ବ୍ୟକ୍ତିଗତ ସ୍ଥାନକୁ ବିଶେଷ ମାନ୍ୟତା ଦେଉନା। ଏଟା ଭୌତିକ ଭାବରେ ବି, ସାମାଜିକ ଭାବରେ ବି। ବସ୍‌ ଟ୍ରେନ୍‌ରେ ଗଲାବେଳେ ଆମେ ଜଣାଅଜଣା କାହା ସହିତ ବି ଗପସପ ହୋଇପାରୁ। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରିପାରୁ। ନିଜର ବ୍ୟକ୍ତିଗତ କଥା କହିପାରୁ। ଆତ୍ମୀୟସ୍ୱଜନ କାହାଘରକୁ ଯେ କୌଣସି ସମୟରେ ଆମେ ପହଞ୍ଚିପାରୁ।

ସେଠି ଦିନଦିନ ଧରି ରହିପାରୁ। ସେମାନଙ୍କ ବିଛଣାରେ ଶୋଇପାରୁ, ସେମାନଙ୍କ ବାଥ୍‌ରୁମ୍‌ ବ୍ୟବହାର କରିପାରୁ। ସେଥିପାଇଁ ଠେସାଠେସି, ନେସାନେସି ହେବା – ଆମ ଭିତରେ କିଛି ବିରୂପ ପ୍ରତିକ୍ରିୟା ସୃଷ୍ଟିକରେନି। ଏଠି ଏକ ବିଚିତ୍ର ବିରୋଧାଭାସ ରହିଛି, ଯାହାକୁ ନେଇ ସମାଜ-ବିଜ୍ଞାନୀମାନେ ଗବେଷଣା କରିପାରନ୍ତି। ଆମଦେଶରେ ଅସ୍ପୃଶ୍ୟତା ବହୁ ଶତାବ୍ଦୀ ଧରି ରହିଗଲା। ଆଇନର ବାରଣ ସତ୍ତ୍ବେ ଏବେ ବି କିଛିମାତ୍ରାରେ ରହିଛି। ଜାତିପ୍ରଥା ଏବେ ବି ବହୁ ରାଜ୍ୟରେ ବଡ଼ ଉତ୍କଟ ଭାବରେ ରହିଛି। ବ୍ୟକ୍ତିର ନିଜସ୍ୱ ସ୍ଥାନ ପ୍ରତି ଆମେ ଯେତେ ନିର୍ମୋହୀ, ତା’ର ସାମାଜିକ ଏବଂ ଜାତିଗତ ସ୍ଥିତି ପ୍ରତି ଆମେ ସେତିକି ସଚେତନ। ତିନି: ଦୀର୍ଘବର୍ଷ ଧରି ଭାରତ ଏକ ଗରିବ ଦେଶ ହୋଇ ରହିଆସିଛି। ପ୍ରାଚୁର୍ଯ୍ୟ ରହିଆସିଛି ସୀମିତ ଲୋକଙ୍କ ପାଖରେ। ସଂଖ୍ୟାଗରିଷ୍ଠ ଲୋକ ନାହିଁ ନାହିଁର ସଂସାରରେ ହିଁ ବଢ଼ିଆସିୁଛନ୍ତି। ତେଣୁ ଯେଉଁଠି ଯାହା ଜିନିଷ ମିଳିବ ଯେମିତି ତାହା ଶୀଘ୍ର କେମିତି ଆମକୁ ମିଳିଯାଉ; ଏ ଭାବନା ଆମ ମନ ଭିତରେ କାମ କରେ। ଟ୍ରେନ୍, ବସ୍‌ରେ ସିଟ୍‌ ମିଳିବାଠୁଁ କଲେଜରେ ସିଟ୍‌ ମିଳିବା; ତେଜରାତି ଦୋକାନରେ ଚାଉଳ, ଗହମଠୁଁ ପରିବା ଦୋକାନରେ ଆଳୁପିଆଜ ଯାଏ- କେତେବେଳେ ଯେ ସରିଯିବ, ତା’ର କିଛି ଗ୍ୟାରେଣ୍ଟି ନାହିଁ ବୋଲି ଆମେ ଭାବୁ। ତେଣୁ ସବୁ ଜାଗାରେ ଆମେ ଆଗୁଆ ନେଇଯିବା ପାଇଁ ଠେଲାଠେଲି, ପେଲାପେଲି ହେଉ, ମାର୍‌ପିଟ୍‌ ବି କରୁ।

କ୍ରମଶଃ ଏହା ଆମ ଭିତରେ ଏମିତି ଭାବେ ପଶିଯାଇଛି ଯେ ଏହା ହିଁ ଆମର ଏକରକମ ଅଭ୍ୟାସ ହୋଇଗଲାଣି। ସାମାଜିକ ଚଳଣି ହୋଇଗଲାଣି ବୋଲି କହିଲେ ବି ଭୁଲ ହେବନାହିଁ। ଫଳରେ ଯେଉଁଠି ଜିନିଷ ପ୍ରଚୁର ଅଛି, ଠେଲାଠେଲି ହେବାର କୌଣସି ଆବଶ୍ୟକତା ନାହିଁ, ସେଠି ବି ଆମେ ଠେଲାଠେଲି ହେଉ। ଯେ କୌଣସି ବଫେ ଷ୍ଟାଇଲ୍‌ ଭୋଜିରେ ଏକଥା ଆପଣ ଲକ୍ଷ୍ୟ କରିପାରିବେ।
ଆଉ ଗୋଟେ କଥା। ପାଶ୍ଚାତ୍ୟ ଦେଶମାନଙ୍କରେ ବ୍ୟକ୍ତିଗତ ସ୍ଥାନ- ପର୍ସନାଲ୍‌ ସ୍ପେସ୍‌କୁ ବହୁତ ମାନ୍ୟତା ଦିଆଯାଏ। ସେଥିପାଇଁ ସେମାନେ ଧାଡ଼ିରେ ଠିଆହେଲେ ବି ଛାଡ଼ିଛାଡ଼ି ଠିଆ ହୁଅନ୍ତି। ସେମିତି ସ୍ଥିତି ଯେଉଁଠି ନ ମିଳେ ସେଠି ସେମାନଙ୍କ ଭିତରେ ବିରୂପ ପ୍ରତିକ୍ରିୟା ସୃଷ୍ଟି ହୁଏ। ଏହାକୁ ନେଇ ଗୋଟେ ଅନୁଧ୍ୟାନ ବି ହୋଇଛି। ପାଶ୍ଚାତ୍ୟ ଦେଶରେ- ଅଳ୍ପ ଜାଗାରେ ଯେଉଁଠି ବେଶି ଛାଡ଼ିଛାଡ଼ି ଠିଆ ହେବା ସମ୍ଭବ ନୁହେଁ; ଦେଖାଗଲା ସେଭଳି ଦୋକାନକୁ ଲୋକଆସିବା କମ୍‌ ହୋଇଯାଉଛି।

ତେଣୁ ଲୋକେ ବଡ଼ ଦୋକାନକୁ ଯିବାକୁ ପସନ୍ଦ କଲେ; ଯେଉଁଠି ଜଣେ ଆଉ କାହା ଦେହକୁ ଦେହ ନ ଲାଗି ଜିନିଷପତ୍ର କିଣିପାରିବ। ଏହାକୁ କେତେକ ବଟ୍‌ବ୍ରସ୍‌ ଫ୍ୟାକ୍ଟର ବା ନିତମ୍ବ ସ୍ପର୍ଶ ଫ୍ୟାକ୍ଟର କହୁଛନ୍ତି। ଏଥିପାଇଁ ଛୋଟଦୋକାନରୁ ବଡ଼ମଲ୍‌କୁ ଯିବା ପାଇଁ ଲୋକେ ବେଶି ପସନ୍ଦ କଲେ । ଭାରତବର୍ଷରେ ଦେଖାଗଲା ଯେ ସାଧାରଣ ଲୋକଙ୍କ ମାନସିକତା ଠିକ୍‌ ଓଲଟା କାମ କରୁଛି। ଯେଉଁଠି ବେଶି ଲୋକ ନାହାନ୍ତି, ସେଠି ଲୋକେ ଯିବାକୁ ପସନ୍ଦ କଲେ ନାହିଁ। ଧାରଣା ହେଲା- ଏଠି ଲୋକ ନାହାନ୍ତି ମାନେ ହୁଏତ ଏଠିକା ଜିନିଷ ଭଲ ନୁହେଁ କିମ୍ବା ଏଠିକାର ଜିନିଷର ଅଧିକ ଦାମ୍। ତେଣୁ ସେମାନେ ଭିଡ଼ ଜାଗାକୁ ହିଁ ଗଲେ। ମାଛବଜାରରେ ବି ଏ ଜିନିଷ ଆପଣ ଦେଖିପାରିବେ। ଯେଉଁ ମାଛବାଲା ପାଖରେ ବେଶି ଲୋକରୁଣ୍ଡ ହୋଇଥିବେ- ଲୋକ ସେଇଠି ଆଗେ ଯିବେ। ତେଣୁ ଯିଏ ଯେତେ କହିଲେ ବି ସାମାଜିକ ଦୂରତ୍ୱ ବଜାୟ ରଖିବା ଆମ ଦେଶରେ ମୁସ୍କିଲ କଥା। ଏହା ହୋଇପାରିବ ଯଦି ଲୋକଙ୍କ ଭିତରେ ସାମାଜିକ ଦୂରତ୍ୱର ଗୁରୁତ୍ୱ ବିଷୟରେ ସଚେତନତା ବଢ଼େ ଏବଂ ସାମାଜିକ ଦୂରତ୍ୱ ନିଶ୍ଚିତ କରିବା ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହେ।

(ମୃଣାଳ ଚାଟାର୍ଜୀ) ସଂଚାରମାର୍ଗ, ଢେଙ୍କାନାଳ-୭୫୯୦୦୧
ମୋ : ୯୪୩୭୦୨୬୧୯୪

Comments are closed.