ରାଜସ୍ଥାନର ବିଦାୟ; ପ୍ଲେଅଫ୍ ଦୌଡ଼ରେ କେକେଆର୍‌

ଦୁବାଇ : ଚଳିତ ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ରାଜସ୍ଥାନ ରୟାଲ୍‌ସକୁ ୬୦ ରନ୍‌ରେ କେକେଆର୍ ପରାସ୍ତ କରିଛି। ମଧ୍ୟକ୍ରମ ବିପର୍ଯ୍ୟୟ ପରେ ଅଧିନାୟକ ଇଓନ୍ ମୋର୍ଗାନ୍‌ଙ୍କ ଦ୍ରୁତ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି କେକେଆର୍ ୭ ୱିକେଟରେ ୧୯୧ ରନ୍‌ର ସ୍କୋର୍ କରିଥିଲା। ପରେ ପ୍ୟାଟ୍‌ କମିନ୍‌ସଙ୍କ ଘାତକ ବୋଲିଂ ଯୋଗୁଁ ୩୭ ରନ୍‌ରେ ୫ଟି ୱିକେଟ ହରାଇଥିବା ରାଜସ୍ଥାନ ୯ ୱିକେଟ ହରାଇ ୧୩୧ ରନ୍ କରି ପାରିଥିଲା। ଅନ୍ତିମ ମ୍ୟାଚ୍ ଜିତି କେକେଆର୍‌ ୧୪ଟି ମ୍ୟାଚ୍‌ରୁ ୭ମ ବିଜୟ ପରେ ୧୪ ପଏଣ୍ଟ ପାଇ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇ ପ୍ଲେଅଫ୍ ଦୌଡ଼ରେ ରହିଛି। ତେବେ ୧୪ଶ ମ୍ୟାଚ୍‌ରେ ୮ମ ପରାଜୟ ପରେ ଅନ୍ତିମ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ପଡ଼ିଛି ରାଜସ୍ଥାନ। ସନ୍‌ରାଇଜର୍ସକୁ ମଙ୍ଗଳବାର ମୁମ୍ବଇ ହରାଇଲେ ନିଶ୍ଚିତ କେକେକେଆର୍ ପ୍ଲେଅଫ୍‌ରେ ପହଞ୍ଚିବ।

prayash

ରାଜସ୍ଥାନ ଟସ୍ ଜିତି ଫିଲ୍‌ଡିଂ ନେବା ପରେ କଲକାତା ନାଇଟ୍‌ ରାଇଡର୍ସର ଓପ୍‌ନର ନୀତୀଶ ରାଣା ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୨ୟ ୱିିକେଟ ପାଇଁ ଶୁବ୍‌ମାନ ଗିଲ୍‌ ଓ ରାହୁଲ ତ୍ରିପାଠୀ ୮ ଓଭରରେ ୭୨ ରନ୍ ଯୋଡ଼ିଥିଲେ। ପରେ ୨୬ ରନ୍‌ରେ ୪ଟି ୱିକେଟ ହରାଇବା କେକେଆର୍ ପାଇଁ ଶକ୍ତ ଧକ୍କା ଥିଲା। ଗିଲ୍‌ ୨୪ ବଲ୍‌ରୁ ୬ଟି ଚୌକା ସହ ୩୬ ରନ୍‌ କରିଥିଲେ। ସୁନୀଲ ନାରାୟଣ ଖାତା ଖୋଲି ପାରିନଥିଲେ। ତ୍ରିପାଠୀ ୩୪ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୯ ରନ୍‌କରି ଆଉଟ ହୋଇଥିଲେ। ଦିନେଶ କାର୍ତ୍ତିକ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ୯୯ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ଆ​‌େ​‌ନ୍ଦ୍ର ରସେଲ୍‌ ଭଲ ଷ୍ଟ୍ରୋକ୍‌ ଖେଳିଥିଲେ ହେଁ ବେଶି ସମୟ କ୍ରିଜ୍‌ରେ ରହି ପାରିନଥିଲେ। ରସେଲ୍‌ ୧୧ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍‌ କରିଥିଲେ। ମୋର୍ଗାନ୍‌ଙ୍କ ବ୍ୟାଟିଂ ବଳରେ ଶେଷ ୭ ଓଭରରୁ କେକେଆର୍ ୯୧ ରନ୍ ନେଇ ପାରିଥିଲା। ୧୯ଶ ଓଭରରେ ବେନ୍ ଷ୍ଟୋକ୍‌ସଙ୍କୁ ୨୪ ରନ୍‌ ମାରିଥିଲେ ମୋର୍ଗାନ୍। ପ୍ୟାଟ୍‌ କମିନ୍‌ସଙ୍କ ସହ ମୋର୍ଗାନ୍ ୪୫ ରନ୍ ଯୋଡ଼ିଥିଲେ। କମିନ୍‌ସ ୧୫ ରନ୍ କରିଥିଲେ। ମୋର୍ଗାନ୍ ବିସ୍ଫୋରକ ବ୍ୟାଟିଂକରି ୩୫ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ୬୮ ରନ୍‌କରି ଅପରାଜିତ ଥିଲେ। ରାହୁଲ ତିୱତିଆ ୩ଟି ଓ କାର୍ତ୍ତିକ ତ୍ୟାଗୀ ୨ଟି ୱିକେଟ ନେଇଥିଲେ।

ରାଜସ୍ଥାନ ରୟାଲ୍‌ସ ୧୯୨ ରନ୍‌ର ପିଛା କରିଥିବା ବେଳେ ପ୍ରଥମ ୫ ଓଭର ଘଟଣାବହୁଳ ଥିଲା। ଏହି ୫ ଓଭରରୁ ୩୭ ରନ୍ ହୋଇଥିବା ବେଳେ ୫ଟି ୱିକେଟ ପଡ଼ିଥିଲା। ଏଥିରୁ ୪ଟି ୱିକେଟ ପ୍ୟାଟ୍‌ କମିନ୍‌ସ ନେଇଥିଲେ। ରବିନ୍ ଉଥପ୍ପା ପ୍ରଥମ ବଲ୍‌ରେ ଛକାମାରିବା ପରେ ପରବର୍ତ୍ତୀ ବଲ୍‌ରେ ଆଉଟ ହୋଇଥିଲେ। ବେନ୍ ଷ୍ଟୋକ୍‌ସ ୧୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌କରି ଆଉଟ ହୋଇଥିଲେ। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୪ ରନ୍‌କରି ବିଦାୟ ନେଇଥିଲେ। ୪ର୍ଥ ଓଭରରେ ଶିବମ୍ ମାଭିଙ୍କ ଶିକାର ହୋଇଥିଲେ ସଞ୍ଜୁ ସାମ୍‌ସନ (୧)। ରିୟାନ୍ ପରାଗ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ପରେ ଜୋସ୍ ବଟ୍‌ଲର ଓ ରାହୁଲ ତିୱତିଆ ଇନିଂସ ସଜାଡ଼ିବାର ପ୍ରୟାସ କରିଥିଲେ। ତେବେ ବଡ଼ ସଟ୍‌ ମାରି ବଟ୍‌ଲର ଆଉଟହେବା ପରେ ରାଜସ୍ଥାନର ଶେଷ ଆଶା ମଉଳି ଯାଇଥିଲା। ବଟ୍‌ଲର ୨୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୫ ରନ୍ କରିଥିଲେ। ରାହୁଲ ତିୱତିଆ ୨୭ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୧ ରନ୍‌କରି ବିଦାୟ ନେଇଥିଲେ। ଶ୍ରେୟାସ ଗୋପାଳ ଅପରାଜିତ ୨୩ ରନ୍ କରିଥିଲେ। ପ୍ୟାଟ୍‌ କମିନ୍‌ସ ୪ଟି ଏବଂ ବରୁଣ ଚକ୍ରବର୍ତ୍ତୀ ଓ ଶିବମ୍ ମାଭି ୨ଟି ଲେଖାଏଁ ୱିକେଟ ନେଇଥିଲେ। ପ୍ୟାଟ୍‌ କମିନ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.