www.samajalive.in
Monday, December 8, 2025
24.1 C
Bhubaneswar

ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର , ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସଂପନ୍ନ

ପିପିଲି: ଓଡିଶା ରାଜନିତୀର ଜଣେ ଟାଣୁଆ, ନିର୍ଭିକ, ସ୍ପଷ୍ଟବାଦୀ ନେତା ଭାବେ ପରିଚିତ ତଥା ବିଜୁ ଜନତା ଦଳର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଭୁବନେଶ୍ୱର ସ୍ଥିତ ସମ୍‍ ଅଲ୍‍ଟିମେଟ୍‍ ମେଡିକେୟାର ହସ୍‍ପିଟାଲ୍‍ରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ରାତି ୨ଟା ୩୨ମିନିଟ୍‍ରେ ୬୬ବର୍ଷ ବୟସରେ ପରଲୋକ ଘଟିଛି। ପୁରୀ ସ୍ୱର୍ଗଦ୍ୱାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ରବିବାର ଅପରାହ୍ନରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ତାଙ୍କ ପରଲୋକରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଓଡିଶା ଆଜି ଜଣେ ଟାଣୁଆ ନେତାଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରୁ ଶୋକର ବାର୍ତ୍ତା ଲମ୍ବିବାରେ ଲାଗିଛି। ସ୍ୱର୍ଗତ ମହାରଥୀ ପିପିଲି ବିଧାନସଭା ଆସନରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ।

୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ମହାରଥୀ ନିଜର ପ୍ରାଥମିକ ଶିକ୍ଷା ଭୁବନେଶ୍ୱରର ରାଜଭବନ ସ୍କୁଲରୁ ଆରମ୍ଭ କରିଥିଲେ। ପରେ ପିପିଲିର ପାଣିଦୋଳ ପ୍ରାଥମିକ ବିଦ୍ୟାଳୟ, ମାଧିପୁର ପ୍ରାଥମିକ ବିଦ୍ୟାଳୟ, ଦଶପଲ୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଙ୍କି ବିରେନ୍ଦ୍ର ବିଦ୍ୟାପୀଠ, ଭୁବନେଶ୍ୱରର ୬ନଂ ହାଇସ୍କୁଲ, ୧ନଂ ହାଇସ୍କୁଲ, ପୁରୀ ଜିଲ୍ଲା ସ୍କୁଲ ପରେ ପୁରୀ ଏସ୍‍ସିଏସ୍‍ କଲେଜରେ ପାଠ ପଢିଥିଲେ। ସେଠାରେ ସେ ଛାତ୍ର ରାଜନୀତିରେ ସକ୍ରୀୟ ଭୂମିକା ଗ୍ରହଣ କରିବା ସହ ଏସ୍‍ସିଏସ୍‍ ପ୍ରାତଃ କଲେଜ ଛାତ୍ର ସଂସଦର ସଂପାଦକ ଓ ଏସ୍‍ସିଏସ୍‍ କଲେଜ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଦେଶରେ ଜରୁରୀ କାଳୀନ ପରିସ୍ଥିତି ସମୟରେ ୧୯୭୫ ମସିହାରେ ତାଙ୍କୁ ମିଶା ଆଇନ ବଳରେ ଗିରଫ କରାଯାଇଥିବା ବେଳେ ଏଥି ପାଇଁ ସେ ୧୭ମାସ ୧୪ଦିନ କାଳ ଜେଲରେ ରହିଥିଲେ। ପୁରୀ ଏସ୍‍ସିଏସ୍‍ କଲେଜର ଛାତ୍ର ରାଜନୀତିରୁ ବିଦାୟ ନେଇ ଶ୍ରୀମହାରଥୀ ପିପିଲିର ରାଜନୀତିରେ ଯୋଗ ଦେଇଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ୧୯୮୪ ମସିହାରେ ପିପିଲି ପଞ୍ଚାୟତ ସମିତି ନିର୍ବାଚନରେ ହାରିଯିବା ପରେ ୧୯୮୫ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସର ଦୁର୍ଗ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥି ଭାବେ ବିଜୟୀ ହୋଇଥିଲେ। ୧୯୯୦ ମସିହାରେ ସେ ଦ୍ୱିତୀୟ ଥର ପାଇଁ ଏହି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ବିଜୟୀ ହୋଇ ବିଧାନସଭାର ଉପମୁଖ୍ୟ ସଚେତକ ପଦବୀରେ ରହିଥିଲେ। ୨୦୦୦ ମସିହାରୁ ବିଜୁ ଜନତା ଦଳର ପ୍ରାର୍ଥି ଭାବେ ସେ ଲଗାତର ଭାବେ ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ। ବିଧାନସଭାରେ ମୁଖ୍ୟ ସଚେତକ ପଦବୀ ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଦୁଇ ଥର କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ଏଥି ସହ ସେ ପୁରୀ-ନିମାପଡା କୋଅପରେଟିଭ ବ୍ୟାଙ୍କର ସଭାପତି, ପୁରୀ କାର୍ଡ ବ୍ୟାଙ୍କର ସଭାପତି ଓ ମାର୍କଫେଡ୍‍ର ଚେୟାରମ୍ୟାନ ପଦରେ ରହିଥିଲେ। ନିଜକୁ ଚଷାପୁଅ ଭାବେ ଗର୍ବ କରୁଥିବା ଶ୍ରୀମହାରଥୀଏକାଧାରାରେ ଜଣେ ଜନପ୍ରୀୟ ରାଜନେତା, ସୁସଂଗଠକ, ସଫଳଚାଷୀ, କଳାପ୍ରେମୀ, କ୍ରୀଡାବିତ୍‍, ସ୍ନେହୀ, ନାଟ୍ୟ ନିର୍ଦ୍ଦେଶକ, ବନ୍ଧୁବତ୍ସଳ, ପରୋପକାରୀ ଓ ପ୍ରକୃତିପ୍ରୀୟ ମଣିଷ ଥିଲେ। ନିଜର ଯୁବସୁଲଭ ଗୁଣ ପାଇଁ ସେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ଜଣେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ନିଜକୁ ପ୍ରମାଣିତ କରି ପାରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେବଳ ପିପିଲି କାହିଁକି ସମଗ୍ର ରାଜ୍ୟବାସୀ ସ୍ତମ୍ଭିଭୂତ ହୋଇପଡ଼ିଛନ୍ତି। ସେ ଜଣେ ଅତ୍ୟନ୍ତ ସ୍ପଷ୍ଟବାଦୀ ନେତା ଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ବହୁମୂଲ୍ୟ ଦେବାକୁ ପଡ଼ିଥିଲା। ତାଙ୍କ ଯାତ୍ରାପାର୍ଟି ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ବହୁଚର୍ଚ୍ଚିତ ନାଟକ ହାରିନାହିଁ ମହାରଥୀ-ସରିନାହିଁ ରାଜନିତୀ, ଲକ୍ଷେ ଘୋଡାକୁ ଲକ୍ଷେ ହାତୀ- ଏକା ଲଢିବ ମହାରଥୀ, ଗୁଡମର୍ଣ୍ଣିଂ ଅଙ୍କଲ, ଲାଲୁ ଶାସନରେ ଭାଲୁ ରଜା, ଲାଞ୍ଚଖୋରଙ୍କୁ ହୁସିଆର ଆଦି ନାଟକ ସେତେବେଳେ ରାଜ୍ୟ ରାଜନିତୀକୁ ସରଗରମ କରିଥିଲା। ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସେ ନିଜେ ଏକାଧିକ ନାଟକ ଲେଖିଥିଲେ ଓ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ତାଙ୍କ ପରଲୋକରେ ନାଟ୍ୟଜଗତରେ ମଧ୍ୟ ଅପୂରଣୀୟ କ୍ଷତି ଘଟିଛି। ଓଡିଆ ଯାତ୍ରା ଜଗତକୁ ଆଗେଇ ନେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।

- Advertisement -

ଆଜି ତାଙ୍କ ପାର୍ଥୀବ ଶରୀରକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଶୋଭାଯାତ୍ରାରେ ଭୁବନେଶ୍ୱରରୁ ଉତ୍ତରାବଜାର ଦେଇ ପିପିଲି ସ୍ଥିତ ବିଜେଡି ଦଳୀୟ କାର୍ଯ୍ୟାଳୟ, ଚାନ୍ଦୁଆବଜାର, ହାଟଛକ, ଖୋରାପଦା ଗ୍ରାମ ସ୍ଥିତ ପୈତୃକ ବାସଭବନ, ହୁଙ୍କେଇପୁର ଫାର୍ମ ହାଉସ୍‍, ବାଜପୋଇ ଛକ ଦେଇ ପିପିଲି ବ୍ଲକଛକ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ତେଇସିପୁର, ସାତଶଙ୍ଖ ଦେଇ ପୁରୀ ନିଆଯାଇଥିଲା। ସ୍ୱର୍ଗଦ୍ୱାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ଗତ ବନ୍ୟାରେ ଦୁର୍ଗତଙ୍କ ଉଦ୍ଧାର ଓ ରିଲିଫ୍‍ ବଣ୍ଟନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସେ କରୋନା ସଂକ୍ରମିତ ହୋଇପଡ଼ିଥିଲେ। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ୍‍ ଅଲ୍‍ଟିମେଟ୍‍ ମେଡିକେୟାର ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ରାତିରେ ତାଙ୍କର ପରଲୋକ ଘଟିଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories