mission shakti banner

ସଂଘର୍ଷ ଦେଇଛି ସଫଳତା: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଗାଁରୁ ଅର୍ଚ୍ଚନାଙ୍କ ଜାତିସଂଘ ଯାତ୍ରା

ପାରିବାରିକ ସ୍ଥିତି ଖରାପ, ଅଳ୍ପ ବୟସରେ ପରପାରିକୁ ଚାଲି ଯାଇଥିଲେ ବାପା

nua o banner

ରାଞ୍ଚି: ଓଡ଼ିଶାର ଏକ ଛୋଟ ଗାଁରୁ ମିଳିତ ଜାତିସଂଘକୁ ଯାଇଥିବା ଅର୍ଚ୍ଚନା ସୋରେଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିକଟରେ ଜାତିସଂଘ ମୁଖ୍ୟ ତାଙ୍କୁ ଜଳବାୟୁ ପରିବର୍ତ୍ତନ ଉପରେ ଯୁବ ଉପଦେଷ୍ଟା ଗୋଷ୍ଠୀରେ ସାମିଲ କରିଛନ୍ତି। ଏଥିରେ ସମୁଦାୟ ୭ ଜଣ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୪ ବର୍ଷିୟା ଅର୍ଚ୍ଚନା ହେଉଛନ୍ତି ଜଣେ। ଜଳବାୟୁ ପରିବର୍ତ୍ତନ ଉପରେ ସେ ବହୁ ବର୍ଷ ଧରି କାମ କରିଆସୁଛନ୍ତି।

ଅର୍ଚ୍ଚନା ଓଡ଼ିଶାର ଖରିଆ ଆଦିବାସୀ ସମ୍ପ୍ରଦାୟର, ତାଙ୍କ ଗାଁ ବିହାବନ୍ଧରୁ ସେ ସ୍କୁଲ୍‍ ଶିକ୍ଷା ଶେଷ କରିଛନ୍ତି। ଏହାପରେ ରାଉରକେଲାରୁ ଦ୍ୱାଦଶ ଏବଂ ପାଟଣା ମହିଳା ମହାବିଦ୍ୟାଳୟରୁ ସ୍ନାତକ ସମାପ୍ତ କଲେ। ଏହାପରେ ୨୦୧୮ରେ ସେ ମୁମ୍ବଇର ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍ସ(ଟିଆଇଏସଏସ)ରୁ ରେଗୁଲେଟୋରୀ ଗଭର୍ଣ୍ଣାନ୍ସ ଅଧ୍ୟୟନ କଲେ।

ଅର୍ଚ୍ଚନା କହିଛନ୍ତି ଯେ, ମୋ ସଂଘର୍ଷର ଅର୍ଥ ହେଉଛି ମୋ ପରିବାରର ସଂଘର୍ଷ, ଆଦିବାସୀ ସମାଜର ସଂଘର୍ଷ। ଏମାନଙ୍କ ଯୋଗୁଁ ମୁଁ ପଢା ଲେଖାରେ ସକ୍ଷମ ହୋଇଛି। ଯଦି ସେମାନେ ସଂଘର୍ଷ କରି ନ ଥାଆନ୍ତେ ତାହେଲେ ହୁଏତ ମୁଁ ଏତେବାଟ ଆସିପାରି ନ ଥାଆନ୍ତି। ସମୟ ଥିଲା, ଯେତେବେଳେ ଆମ ଜେଜେବାପା-ଜେଜେମା ଓ ଅଜା-ଆଈଙ୍କ ପାଖରେ ଖାଇବାକୁ ନ ଥିଲା। ୨୦୧୭ରେ ବାପା ମଧ୍ୟ କର୍କଟ ରୋଗରେ ମୃତ୍ୟୁବରଣ କଲେ।

ଅର୍ଚ୍ଚନାଙ୍କ କହିବାନୁସାରେ, ଯେତେବେଳେ ଆପଣ ଏକ ଛୋଟ ଗାଁରୁ ଆସିବେ, ସେ ବି ପୁଣି ଆଦିବାସୀ ସମ୍ପ୍ରଦାୟରୁ, ତାହେଲେ ଆପଣଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିବ। ଅନେକ କଥା ଅଛି, ଯାହାକୁ ଅଣଦେଖା କରି ଆଗକୁ ବଢିବାକୁ ପଡ଼ିବ। ଅନେକ ଲୋକ ମୋତେ ଅନେକ କଥା କହିଛନ୍ତି। ମୋତେ ଇଂରାଜୀ ଭଲଭାବେ ଆସୁ ନ ଥିଲା, ରାଉରକେଲାରେ ଯୁକ୍ତ ଦୁଇ ପଢିବା ସମୟରେ ଇଂରାଜୀ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଅର୍ଚ୍ଚନାଙ୍କ ମୁତାବକ, ଆଦିବାସୀଙ୍କ ପରମ୍ପରାଗତ ଜ୍ଞାନ ଓ ସଂସ୍କୃତି ପରିବେଶ ସୁରକ୍ଷା ଏବଂ ଜଳବାୟୁ ସଙ୍କଟରୁ ସମାଜକୁ ରକ୍ଷା କରିବାର ଏକ ମାଧ୍ୟମ ହେବ। ସେ କହିଛନ୍ତି, ଆମକୁ ବହିରେ ଯାହା ଶିକ୍ଷା ଦିଆଯାଏ, ଆମ ସମ୍ପ୍ରଦାୟ ଅନେକ ପିଢି ଧରି ତାହା କରିଆସୁଛି। ସେ ଏହି ବିଷୟରେ ଗବେଷଣା ମଧ୍ୟ କରିଛନ୍ତି, ଯେଉଁଥିପାଇଁ ଜାତିସଂଘ ତାଙ୍କୁ ଚୟନ କରିଛି। ପିଲାଦିନୁ ଅର୍ଚ୍ଚନା ଜଙ୍ଗଲ ଓ ଜମି ସହ ଜଡ଼ିତ। ସୋସିଆଲ ମିଡିଆ ଏବଂ ଅନ୍ୟ ନ୍ୟୁଜ୍‍ ପ୍ଲାଟ୍‍ଫର୍ମରେ ଲଗାତର ଭାବେ ସେ ଏହି ବିଷୟଗୁଡ଼ିକ ଉପରେ ଲେଖିଛନ୍ତି। ଅର୍ଚ୍ଚନା ମୁମ୍ବଇର ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ ସାଇନ୍ସରୁ ରେଗୁଲେଟୋରୀ ଗଭର୍ଣ୍ଣାନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ସେଠାରେ ଛାତ୍ର ସଂଗଠନର ପୂର୍ବତନ ସଭାପତି ମଧ୍ୟ ରହିଛନ୍ତି।

ଅର୍ଚ୍ଚନା ସୋରେଙ୍ଗ କହିଛନ୍ତି ଯେ, ଆମର ପୂର୍ବପୁରୁଷମାନେ ସେମାନଙ୍କର ପାରମ୍ପରିକ ଜ୍ଞାନ ଆଧାରରେ ଜଙ୍ଗଲ ଏବଂ ପ୍ରକୃତିର ରକ୍ଷା କରିଥିଲେ। ବର୍ତ୍ତମାନ ଆମ ସମୟ ଆସିଛି, ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଆମକୁ କାର୍ୟ୍ୟ କରିବାକୁ ପଡ଼ିବ। କେବଳ ଆଦିବାସୀ ପରମ୍ପରାକୁ ବଞ୍ଚାଇ ଜଳବାୟୁର ସନ୍ତୁଳନ ରକ୍ଷା ଓ ପ୍ରକୃତିକୁ ନଷ୍ଟ ହେବାରୁ ରକ୍ଷା କରାଯାଇ ପାରିବ ବୋଲି ଅର୍ଚ୍ଚନା ମତବ୍ୟକ୍ତ କରିଛନ୍ତି। ଏହାସହିତ ଜଙ୍ଗଲ ବଞ୍ଚାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଆଦିବାସୀ ସମ୍ପ୍ରଦାୟକୁ ଜଳବାୟୁ ସମ୍ପର୍କିତ ରଣନୀତିର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅର୍ଚ୍ଚନା କହିଛନ୍ତି।

 

Comments are closed.