ଅଡୁଆରେ ପଡ଼ିଛନ୍ତି ନାମଲେଖାଇ ଥିବା ସହସ୍ରାଧିକ ଛାତ୍ର ଛାତ୍ରୀ
ସାର୍ଟିଫିକେଟ ଫେରାଇ ନେବାକୁ ଅଭିଭାବକଙ୍କୁ ବାଧ୍ୟ କରାଯାଉଛି
ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ସରକାରଙ୍କ ନୂଆ ୩୬ଟି ଆଦର୍ଶ ବିଦ୍ୟାଳୟର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ସେହିପରି ୩୦ଟି ଆଦର୍ଶ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ଆଦର୍ଶ ବିଦ୍ୟାଳୟକୁ ଉନ୍ନୀତ କରିବା ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇପାରିବ କି ନା ତାହା ସନ୍ଦେହ ସୃଷ୍ଟି ହୋଇଛି । ନୂଆ ଖୋଲିବାକୁ ଥିବା ଆଦର୍ଶ ବିଦ୍ୟାଳୟ ଗୁଡିକରେ ନାମଲେଖା ପ୍ରକ୍ରିୟା ଶେଷ ହୋଇ ଯାଇଥିବା ବେଳେ ଶିକ୍ଷାଦାନ ଆରମ୍ଭ ହୋଇପାରି ନାହିଁ । ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ହୋଇ ପାରିନଥିବାରୁ ଶିକ୍ଷା ଦାନ ଆରମ୍ଭ ହେବାର ସମ୍ଭାବନା ମଧ୍ୟ ନାହିଁ । ଏଣୁ ନାମଲେଖାଇ ଥିବା ଛାତ୍ରଛାତ୍ରୀ ଙ୍କ ସାର୍ଟିଫିକେଟ ଫେରାଇନେବା ପାଇଁ ଅଭିଭାବକଙ୍କୁ ବାଧ୍ୟ କରାଯାଉଛି ।
ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଲୋକପ୍ରିୟତାକୁ ଦେଖି ରାଜ୍ୟ ସରକାର ସିବିଏସସି ଢାଞ୍ଚାରେ ଓଡିଶା ଆଦର୍ଶ ବିଦ୍ୟାଳୟ (ଇଂରାଜୀ ମାଧ୍ୟମ ବିଦ୍ୟାଳୟ) ଖୋଲିଛନ୍ତି । ଜବାହର ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ସଂପୂର୍ଣ୍ଣ ମାଗଣା ଶିକ୍ଷା, ଛାତ୍ରାବାସ ବ୍ୟବସ୍ଥା ମଧ୍ୟ କରା ଯାଇଛି । ଗ୍ରାମାଞ୍ଚଳରେ ଥିବା ପିଲାଙ୍କ ଇଂରାଜୀ ମାଧ୍ୟମରେ ପାଠ ପଢିବା ସ୍ୱପ୍ନକୁ ସାକାର କରିବା ସହ ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ଆଗକୁ ବଢ଼ିବାରେ ସହଯୋଗ କରିବାକୁ ସରକାର ଆଦର୍ଶ ବିଦ୍ୟାଳୟ ସଂଗଠନ ମାଧ୍ୟମରେ ଏହି ଯୋଜନା ଆରମ୍ଭ କରିଥିଲେ ।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପୂର୍ବରୁ ୨୧୪ଟି ଆଦର୍ଶ ବିଦ୍ୟାଳୟ ରହିଛି । ସରକାର ଗତବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୩୬ଟି ବ୍ଲକରେ ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ । ଏହାସହ ୩୦ ଟି ଆଦର୍ଶ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକସ୍ତରକୁ ଉନ୍ନୀତ କରାଯିବାକୁ ଘୋଷଣା କରାଯାଇଥିଲା । ଅନୁଗୋଳ ଜିଲା କଣିହାଁ ବ୍ଲକରେ ଗୋଟିଏ ବରଗଡ଼ ଜିଲ୍ଲାର ବିଜେପୁର, ଅମ୍ବାଭୋନା, ଭଟଲି, ଭେଡେନ ଓ ସୋହେଲା ଆଦି ବ୍ଲକରେ ଗୋଟିଏ ଲେଖାଏଁ ମୋଟ ୫ଟି ଆଦର୍ଶ ବିଦ୍ୟାଳୟ ଖୋଲିବାକୁ କୁହାଯାଇଥିଲା । ସେହିପରି ବଲାଙ୍ଗୀର ଜିଲ୍ଲାର ବେଳପଡା ଓ ଗୁଡ଼ଭେଲାରେ ଗୋଟିଏ ଲେଖାଏଁ , ଭଦ୍ରକ ବାସୁଦେବପୁରରେ ଗୋଟିଏ, କଟକ ଜିଲ୍ଲାରେ କଟକ ସଦର, ଆଠଗଡ ଓ ବଡମ୍ବା , ଢେଙ୍କାନାଳ ଜିଲ୍ଲାରେ ଗଁଦିଆ ,ପରଜଙ୍ଗ ଓ ଓଡ଼ାପଡା, ଯାଜପୁର ଜିଲ୍ଲାର ବଡ଼ଚଣା ଓ ବିଂଝାରପୁର , ଝାରସୁଗୁଡ଼ା ଜିଲାର ଝାରସୁଗୁଡ଼ା ସଦର ଓ ଲଖନପୁର, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି, କେନ୍ଦୁଝର ଜିଲାର ସଦର ମହକୁମା, ଖୋର୍ଦ୍ଧା ଜିଲାର ବାଲିଅନ୍ତା, ବୋଲଗଡ଼, ବାଣପୁର, ଚିଲିକା ଓ ଜଟଣୀ, ନୟାଗଡ଼ ଜିଲ୍ଲାର ଭାପୁର, ରଣପୁର ଓ ଦଶପଲ୍ଲା, ସମ୍ବଲପୁର ଜିଲ୍ଲାର ଜମନକିରା, କୁଚିଣ୍ଡା,ମାନେଶ୍ୱର, ଧନକଉଡା ଓ ନାକଟିଦେଉଳରେ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ କୁହାଯାଇଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ ସୁବର୍ଣପୁର ଜିଲ୍ଲାର ବିନିକା ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବା ସହ ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଘୋଷଣା ଅନୁସାରେ ନୂଆ କରି ଖୋଲା ଯାଉଥିବା ଆଦର୍ଶ ବିଦ୍ୟାଳୟ ପାଇଁ ନୂଆ କୋଠା ତିଆରି କରିବା ଯୋଜନା ପ୍ରସ୍ତୁତ କରାଯାଇଥିଲା । ମାତ୍ର ସେଗୁଡିକ ଆଜି ଯାଏ ନିର୍ମାଣ ଶେଷ ହୋଇ ପାରିନାହିଁ । କୋଠା ନଥିଲେ ଅସ୍ଥାୟୀ କ୍ୟାମ୍ପସରେ ପାଠ ଆରମ୍ଭ ପାଇଁ କୁହା ଯାଇଥିଲା । ଶିକ୍ଷା ବିଭାଗ ସମେତ ଓଡିଶା ଆଦର୍ଶ ବିଦ୍ୟାଳୟ ଅନୁଷ୍ଠାନର ନିର୍ଦେଶନାମା ଅନୁସାରେ ସମସ୍ତ ନୂଆ ଆଦର୍ଶ ବିଦ୍ୟାଳୟଗୁଡିକ ପାଇଁ ପ୍ରଧାନ ଶିକ୍ଷକ ନିଯୁକ୍ତି କରାଯାଇଥିଲା । ନୂଆ ନିଯୁକ୍ତି କରାଯାଇ ପରିବର୍ତେ ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଥିବା ସମ୍ପୃକ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ନିକଟସ୍ଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆ ଯାଇଥିଲା । ସମସ୍ତେ ପ୍ରାୟ ଏହି ଦାୟିତ୍ୱ ତୁଲାଉଛନ୍ତି । ପ୍ରାୟ ସମସ୍ତ ଜିଲାରେ ଆଦର୍ଶ ବିଦ୍ୟାଳୟ ର ନୂତନ କୋଠା ନିର୍ମାଣ ଚାଲିଛି । ଅଧିକାଂଶ ବିଦ୍ୟାଳୟ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି ।
ବିଦ୍ୟାଳୟ କୋଠା ନିର୍ମାଣ ଶେଷ ହୋଇନଥିବାରୁ ଅସ୍ଥାୟୀ କ୍ୟାମ୍ପସ ରେ ପାଠ ପଢା ଆରମ୍ଭ କରିବା ପାଇଁ କୁହାଯାଇଥିଲା । ସେହି ଅନୁସାରେ ଦାୟିତ୍ୱରେ ଥିବା ସମ୍ପୃକ୍ତ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ନିଜନିଜ ଜିଲ୍ଲା ର ଜିଲାପାଳଙ୍କ ଅନୁମୋଦନ କ୍ରମେ ଚଳିତ ଶିକ୍ଷାବର୍ଷ ପାଇଁ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ନାମଲେଖା ବିଜ୍ଞାପନ ପ୍ରକାଶ କରି ଥିଲେ । ନିର୍ଧାରିତ ସମୟରେ ପ୍ରବେଶିକା ପରୀକ୍ଷା କରାଇଥିଲେ । ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୮୦ ଲେଖାଏଁ ପିଲାଙ୍କ ନାମଲେଖା ପ୍ରକ୍ରିୟା ଶେଷ କରିଥିଲେ । ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୨୪ଟି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ନାମଲେଖା ପ୍ରକ୍ରିୟା ଶେଷ ହୋଇଯାଇଛି । ନାମଲେଖା ସହ ଛାତ୍ର ଛାତ୍ରୀ ମାନଙ୍କୁ ବହି ଯୋଗାଇ ଦିଆଯାଇଥିଲା । ଘରେ ରହି ପାଠ ପଢା ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଥିଲା ।
ମାତ୍ର ଏବେ ଅଭିଭାବକମାନଙ୍କୁ ଛାତ୍ରଛାତ୍ରୀ ଙ୍କ ସାର୍ଟିଫିକେଟ ଫେରାଇନେବା ପାଇଁ କୁହାଯାଇଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରେ ପାଠ ପଢା ହୋଇ ପାରିବ ନାହିଁ ବୋଲି କୁହାଯାଇଛି । ଏଣୁ ନିଜ ନିଜ ପିଲାଙ୍କ ସାର୍ଟିଫିକେଟ ଫେରାଇନେବା ସହ ପିଲାମାନେ ପଢ଼ୁଥିବା ପୂର୍ବ ବିଦ୍ୟାଳୟ ରେ ପୁଣି ଥରେ ନାମଲେଖାପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟଥା ଅନ୍ୟ ବିଦ୍ୟାଳୟରେ ନାମଲେଖାଇ ପାଠ ପଢ଼ିବା ପାଇଁ ପରାମର୍ଶ ଦିଆଯାଇଛି । ଏପରି ଅଭାବନୀୟ ପରିସ୍ଥିତିରେ ଅଭିଭାବକ ନିଜ ନିଜ ପିଲାଙ୍କ ଭବିଷ୍ୟତ ନେଇ ସନ୍ଦିହାନ ହୋଇ ପଡିଛନ୍ତି । ପ୍ରାୟ ସମସ୍ତ ବିଦ୍ୟାଳୟ ଗୁଡିକ ରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ବିଗତ ୪ ମାସ ରୁ ଅଧିକ ସମୟ ହେଲା ଅନଲାଇନ ପାଠପଢା ଆରମ୍ଭ ହୋଇଯାଇଛି । ଅଧିକାଂଶ ବିଦ୍ୟାଳୟରେ ଅନଲାଇନ ରେ ତ୍ରୟ ମାସିକ ପରୀକ୍ଷା ଶେଷ ହୋଇ ଗଲାଣି । ଏଣୁ ଅଭିଭାବକ ମାନେ ମାନସିକ ଦୁଶ୍ଚିନ୍ତା ରେ ପଡ଼ିଯାଇଛନ୍ତି ।
ପୂର୍ବରୁ ଥିବା ୨୧୪ ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ପାଇଁ ନୂଆ ନାମ ଲେଖାଇ ଥିବା ପିଲାଙ୍କ ପାଇଁ କୌଣସି ଅସୁବିଧା ହେଉ ନ ଥିବା ବେଳେ ନୂଆ ଖୋଲିବାକୁ ଥିବା ୩୬ ଟି ବିଦ୍ୟାଳୟ ପାଇଁ ହିଁ ଏପରି ସମସ୍ୟା ସୃଷ୍ଟି ହୋଇଛି । କୋରୋନା କଟକଣା ନୂଆ ଆଦର୍ଶ ବିଦ୍ୟାଳୟ ନାନା ପ୍ରକାର ସମସ୍ୟା ସୃଷ୍ଟି କରିଛି । ନୂଆ ବିଦ୍ୟାଳୟଗୁଡିକ ପାଇଁ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ହୋଇ ପାରି ନାହିଁ । ଏଣୁ ଅଭିଭାବକମାନେ ନିଜନିଜ ପିଲାଙ୍କ ଭବିଷ୍ୟତ ନେଇ ସନ୍ଦିହାନ ହୋଇ ପଡିଛନ୍ତି । ଏପରି ଅଭାବନୀୟ ପରିସ୍ଥିତି ସମ୍ବନ୍ଧରେ ଜିଲା ଶିକ୍ଷା ଅଧିକାରୀ ମାନଙ୍କ ପାଖରେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ନାହିଁ । ଜିଲ୍ଲାପାଳ ମାନେ ମଧ୍ୟ ଏପରି ସମସ୍ୟା ସମ୍ବନ୍ଧରେ ଅବଗତ ନଥିବା ଜଣା ପଡିଛି ।
ବିନାନୁମତିରେ ନାମଲେଖା ଯାଇଛି; ଛାତ୍ରଛାତ୍ରୀ ଙ୍କ କିଛି ଅସୁବିଧା ହେବ ନାହିଁ: ଗଣଶିକ୍ଷା ମନ୍ତ୍ରୀ
୩୬ ଟି ନୂଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ନାମଲେଖା ପରେ ସାର୍ଟିଫିକେଟ ଫେରାଇ ନେବାକୁ ବାଧ୍ୟ କରାଯାଉଥିବା ସମ୍ବନ୍ଧରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ମନ୍ତ୍ରୀ କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟ ଗୁଡିକରେ ଶିକ୍ଷା ବିଭାଗ ର ବିନାନୁମତିରେ ନାମ ଲେଖା ଯାଇଥିଲା । ନାମ ଲେଖା ଯାଇଥିବା ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପିଲାମାନଙ୍କ କୌଣସି ଅସୁବିଧା ହେବନି । ସମସ୍ତେ ଆସନ୍ତା ଶିକ୍ଷା ବର୍ଷ ରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ସିଧା ସଳଖ ସପ୍ତମ ଶ୍ରେଣୀରେ ନାମ ଲେଖିପାରିବେ । ଏମାନଙ୍କ ପାଇଁ କୌଣସି ପ୍ରବେଶିକା ପରୀକ୍ଷା ହେବ ନାହିଁ । ବର୍ତ୍ତମାନ ଛାତ୍ର ଛାତ୍ରୀ ମାନେ ସମସ୍ତେ ନିଜ ନିଜର ପୂର୍ବ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ପାଠ ପଢିବେ । ପୂର୍ବ ସ୍କୁଲ ଏମାନଙ୍କ ନାମଲେଖା ପାଇଁ ମାନକରିପାରିବେ ନାହିଁ । ଏଥିପାଇଁ ସରକାର ସ୍ଵତନ୍ତ୍ର ନିର୍ଦେଶ ଦେଇଛନ୍ତି ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।



