କୁଚିଣ୍ଡା(ପ୍ରଭାତ ବେହେରା): ସମ୍ବଲପୁରରେ ଫଳୁଛି ହିମାଚଳ ପ୍ରଦେଶର ସେଓ। ସାଧାରଣତଃ ଥଣ୍ଡା ଜଳବାୟୁରେ ଉତ୍ପାଦିତ ହେଉଥିବା ଏହି ସେଓ ଓଡ଼ିଶାର ଗ୍ରୀଷ୍ମ ଏବଂ ଆର୍ଦ୍ର ଜଳବାୟୁରେ ଅମଳ ହୋଇପାରୁଛି। ଏହାକୁ ସଫଳତାର ସହିତ ଚାଷ କରି ସମଗ୍ର ଚାଷୀକୂଳ ପାଇଁ ଉଦାହରଣ ସାଜିଛନ୍ତି ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଭୋଜପୁର ପଞ୍ଚାୟତ ଅଧୀନ ଗମ୍ଭାରିମୁଣ୍ଡା ଗ୍ରାମର ଉମାକାନ୍ତ କଉଡ଼ି। ଏକ ଆଦିବାହୀ ବହୁଳ ଇଲାକାରେ ଯୁବଚାଷୀ ଉମାକାନ୍ତଙ୍କ ଏହି ପ୍ରୟାସ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟ୍ବିଟ୍ କରି ଉକାମାନ୍ତଙ୍କ ଏହି ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଉମାକାନ୍ତଙ୍କ ଏହି ଉଦ୍ୟମ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଉଦ୍ୟାନକୃଷିର ଏକ ନୂଆ ଦୁନିଆକୁ ନେବ ବୋଲି ରାଜ୍ୟପାଳ କହିଛନ୍ତି।

ସମ୍ବଲପୁର ଜିଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତର ଆଭ୍ୟନ୍ତରୀଣ ଗାଁ ହେଉଛି ଗମ୍ଭାରୀମୁଣ୍ଡା। ବଣପାହାଡ ଘେରା ଆଦିବାସୀ ବହୁଳ ଏହି ଗାଁରେ ଉମାକାନ୍ତ କଉଡୀ(୨୭) ଏବଂ ତାଙ୍କ ଦୁଇ ଭାଇ ଟଙ୍କଧର ଓ ରଙ୍କଧର କଉଡି ସେଓ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଗାଁର ଆନନ୍ଦ ନାଏକଙ୍କ ସହାୟତାରେ ମୋବାଇଲର ୟୁଟ୍ୟୁବ ସହାୟତାରେ ଚାଷର ପ୍ରଣାଳୀକୁ ଦେଖିବା ସହ ଅନଲାଇନରେ ୫୦ଗୋଟି ଚାରା ହିମାଚଳ ପ୍ରଦେଶରୁ ମଗାଇଥିଲେ। ଗଛ ସବୁ ପହଞ୍ଚିବା ପରେ ତିନି ଭାଇ ନିଜ ବଗିଚାରେ ରୋପଣ କରିଥିଲେ। ୟୁଟ୍ୟୁବ ସହାୟତାରେ କ୍ରମାଗତ ଗଛର ଯତ୍ନ ନେଇଥିବା ବେଳେ ସଂପ୍ରତି ୧୭ମାସର ବ୍ୟବଧାନ ପରେ ଗଛ ଗୁଡିକ ଫଳଦେଇଛି। ପେନ୍ଥା ପେନ୍ଥା ସେଓର ଦୃଶ୍ୟ ଦେଖିବାକୁ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଲୋକ ଆସୁଥିବା ଦେଖାଯାଉଛି। ତେବେ ୪୦ଡିଗ୍ରୀ ସେଲସିଅସ ତାପମାତ୍ରାରେ ମଧ୍ୟ ସେଓ ଫଳୁଥିବା ଜାଣି ଓଡିଶା ପରି ରାଜ୍ୟରେ ଏଥିପାଇଁ ପ୍ରୋତ୍ସାହନ ମିଳିଲେ ବହୁମାତ୍ରାରେ ଫଳ ଉତ୍ପାଦନର ସୁଯୋଗ ସୃଷ୍ଟି ହେବା ସହ ଶହ ଶହ ପରିବାରଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ ବୋଲି ଉମାକାନ୍ତ ଓ ତାଙ୍କ ସହଯୋଗୀ ଆନନ୍ଦ ପ୍ରକାଶ କରିଛନ୍ତି।

ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡ ଲଙ୍କା ଚାଷ ପାଇଁ ଏକଦା ପ୍ରସିଦ୍ଧି ଲାଭ କରିଥିଲା। ଆବଶ୍ୟକ ପ୍ରୋତ୍ସାହନ ଓ ବଜାର ଅଭାବରୁ ସଂପ୍ରତି ଏହି ଚାଷ ପ୍ରତି ଚାଷୀ ବିମୁଖ ହେଉଥିବା ଦେଖାଯାଉଛି। ସେହିପରି କୁଚିଣ୍ଡା ସାଲେଭାଡି, କୁସୁମୀ ଅଞ୍ଚଳ ଲିଚୁ ଚାଷ ପାଇଁ ପ୍ରସିଦ୍ଧ। ଏବେ ଏହି ମାଟିରେ ହିମାଚଳ ପରି ଥଣ୍ଡା ଅଞ୍ଚଳରେ ଉତ୍ପାଦନ ହେଉଥିବା ଫଳ ଫଳିବା ପରେ ଏହାକୁ ନେଇ କେବଳ କୁଚିଣ୍ଡା ନୁହେଁ, ସମଗ୍ର ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ମାତ୍ର ଆବଶ୍ୟକ ପ୍ରୋତ୍ସାହନ, ପରାମର୍ଶ ଓ ସହାୟତା ସମେତ ବିକ୍ରୟ ପାଇଁ ବଜାର ବ୍ୟବସ୍ଥାର ଅଭାବ ଯୋଗୁଁ ସମସ୍ତ ସାଧନ ସତ୍ତ୍ବେ ଚାଷ ପ୍ରତି ବିମୁଖତା ବୃଦ୍ଧି ପାଉଥିବା ଦେଖାଯାଉଛି। ଏପରି ପରିସ୍ଥିତିରେ ଶିକ୍ଷିତ ଯୁବଚାଷୀ ଉମାକାନ୍ତ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି। ସରକାର ସହାୟତା ଦେଲେ ଏହି ଚାଷକୁ ବ୍ୟାପକ କରିବା ସହ ପାଖ ପଡୋଶୀ ଗ୍ରାମବାସୀ ମଧ୍ୟ ଏହାକୁ ଆପଣାଇବେ ବୋଲି ସେ କହିଛନ୍ତି।



