www.samajalive.in
Monday, December 8, 2025
13.1 C
Bhubaneswar

ଦୁଇ ଓଡ଼ିଆ ସହିଦଙ୍କୁ ସଲାମ, ଆଜି ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ

ଫୁଲବାଣୀ/ ରାଇରଙ୍ଗପୁର/ବିଜାତଳା: ଭାରତୀୟ ଭୂଖଣ୍ଡ ପୂର୍ବ ଲଦାଘର ଗଲୱାନ୍‌ ଘାଟିରେ ଚୀନ୍‌ ସେନା ସହ ଲଢି ସହିଦ ହୋଇଥିବା ଜଣେ ​‌କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିବାବେଳେ ଏଥିରେ ଦୁଇ ବୀର ଓଡ଼ିଆ ପୁଅ ରହିଛନ୍ତି। ଦୁଇ ଓଡ଼ିଆ ସହିଦ୍‌ଙ୍କ ମଧ୍ୟରେ କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ର ବୀରପୁତ୍ର ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ(୨୮) ଓ ମୟୁରଭଞ୍ଜ ଜିଲା ବିଜାତଳା ବ୍ଲକ୍‌ର ନାଏବ ସୁବେଦାର ନାନ୍ଦୁରାମ ସୋରେନ୍‌(୪୨) ରହିଥିବା ଜଣାପଡିବା ପରେ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳିଯାଇଛି।

ସହିଦ ଦୁଇ ଓଡ଼ିଆ ଯବାନଙ୍କ ପରିବାରବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାର୍ତ୍ତାରେ ଜଣାଇଛନ୍ତି ଯେ, ଲଦାଖର ଗଲୱାନ୍‌ ଉପତ୍ୟକାରେ ଦେଶମାତୃକା ପାଇଁ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି।

- Advertisement -

କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ ଡଡ଼ିଙ୍ଗିଆ ପଞ୍ଚାୟତର ବିୟରପାଙ୍ଗା ଗ୍ରାମର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ(୨୮) ଓରଫ୍‍ ଅଶୋକ ୨୦୧୪ ଫେବୃୟାରୀରେ ବିହାର ରେଜିମେଣ୍ଟ-୧୬ରେ ଯୋଗ ଦେଇଥିଲେ। ସେଠାରେ ୬ ବର୍ଷ ଚାକିରି କରିଥିଲେ। ବର୍ଷେ ହେଲା ଭାରତ-ଚୀନ ସୀମାରେ କାର୍ୟ୍ୟରତ ଥିଲେ। ଚୀନ ସୈନିକଙ୍କ ସହ ଲଢେଇରେ ସେ ପ୍ରାଣ ହରାଇଥିବା ନେଇ ଆଜି ପ୍ରଶାସନ ଖବର ପାଇବା ପରେ ପୁଲିସ୍‍ ପକ୍ଷରୁ ସହିଦଙ୍କ ପରିବାରକୁ ସୂଚନା ଦିଆଯାଇଛି। ପୁଲିସଠାରୁ ସୂଚନା ପାଇବା ପୂର୍ବରୁ ସେନା ବାହିନୀର ଜଣେ ବନ୍ଧୁଙ୍କଠାରୁ ଫୋନ ଯୋଗେ ପରିବାରବର୍ଗ ଏହା ଜାଣିବାକୁ ପାଇଥିଲେ। ଶେଷଥର ପାଇଁ ଗତ ଡ଼ିସେମ୍ବର ଶେଷ ସପ୍ତାହରେ ଛୁଟିରେ ନିଜ ଗ୍ରାମକୁ ଆସି ଫେବୃୟାରୀ ୧୩ରେ ପୁଣି କର୍ମସ୍ଥଳକୁ ଫେରିଥିଲେ ଚନ୍ଦ୍ରକାନ୍ତ। ଚାଷୀ ପରିବାରରେ ଜନ୍ମିତ ଚନ୍ଦ୍ରକାନ୍ତ ପିଲାଟି ଦିନରୁ ହିଁ ସୈନିକ ହେବାର ସ୍ୱପ୍ନ ଦେଖି ପରବର୍ତ୍ତୀ ସମୟରେ ସାକାର କରିଥିଲେ।

ସେନାବାହିନୀରେ ଯୋଗ ଦେବା ପାଇଁ ସେ ସର୍ବଦା କହି ଆସୁଥିଲା ବୋଲି ବାପା କରୁଣାକର ପ୍ରଧାନଙ୍କ କହିଛନ୍ତି। ସାହି ପଡୋଶୀ ସାଙ୍ଗସାଥୀ, ଶିକ୍ଷକ ଏବଂ ପୂର୍ବତନ ସୈନିକଙ୍କୁ ସେ ପିଲାଟି ବେଳରୁ ସେହି ଗୋଟିଏ କଥା ‘ଯବାନ ହେବି ଦେଶ ପାଇଁ ଲଢିବି’ କହି ଆସୁଥିଲେ। ଦେଶର ସୁରକ୍ଷା ପାଇଁ ଲଢିବାକୁ ଇଚ୍ଛା କରି ସେନା ବହିନୀରେ ଯୋଗ ଦେଇଥିଲା। ଘରର ସବୁଠାରୁ ରୋଜଗାରକ୍ଷମ ପୁଅକୁ ହରାଇବାର କଷ୍ଟ ହେଉଥିଲେ ମଧ୍ୟ ଦେଶ ପାଇଁ ଜୀବନ ଦେଇଥିବାରୁ ସେ ଗର୍ବ ଅନୁଭବ କରିଛନ୍ତି ବୋଲି କହିଛନ୍ତି ବାପା। ମା ବିଳାସିନୀ ପ୍ରଧାନଙ୍କ ଅତ୍ୟନ୍ତ ଗେହ୍ଲା ପୁଅ ଥିଲେ ଚନ୍ଦ୍ରକାନ୍ତ। ସେ ମଧ୍ୟ ପୁଅର ସ୍ବପ୍ନ କିପରି ସାକାର ହେବ ସେଥିପାଇଁ ଆଶୀର୍ବାଦ ଦେଇ ଆସୁଥିଲେ। ଦେଶ ପାଇଁ ପୁଅ ସହିଦ ହୋଇଥିବାରୁ ସେ ଗର୍ବିତ ବୋଲି ମା’ ବିଳାସିନୀ କହିଛନ୍ତି। ସବୁବେଳେ ଘର କଥା ଚିନ୍ତା କରି ଫୋନ କରୁଥିଲା। ଗତ ମେ’ ମାସରେ ଶେଷ ଥର ପାଇଁ ଫୋନ କରି ବଡ ଭଉଣୀକୁ ଘର ସମ୍ଭାଳିବାକୁ ପରାମର୍ଶ ଦେବା ସହ ଅନ୍ୟ ଭାଇ-ଭଉଣୀଙ୍କ ପ୍ରତି ନଜର ଦେବାକୁ କହିଥିଲା। ଲକଡ଼ାଉନ ଚାଲିଥିବାରୁ ସମସ୍ତେ ସୁରକ୍ଷିତ ରହିବାକୁ ମଧ୍ୟ ବାରମ୍ବାର ପରାମର୍ଶ ମଧ୍ୟ ଦେଉଥିଲା। ଏବେ ସେ ଆମକୁ ଛାଡ଼ି ଚାଲିଗଲା ବୋଲି ମା’ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି। ୧୯୯୨ ମାର୍ଚ୍ଚ ୨ ତାରିଖରେ ଜନ୍ମିତ ଚନ୍ଦ୍ରକାନ୍ତ ପ୍ରାଥମିକ ଶିକ୍ଷା ଜୟପାଙ୍ଗା ଗ୍ରାମରେ ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଜଗନ୍ନାଥପ୍ରସାଦ ବ୍ଳକର କୋକଳବା ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରିଥିଲେ। ଘରର ସେ ହେଉଛନ୍ତି ବଡ଼ପୁଅ। ପରବର୍ତ୍ତୀ ସମୟରେ ସେ କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ୟ୍ୟନ୍ତ ପଢିଥିଲେ।

ପିଲାଟି ବେଳରୁ ଭଲିବଲ ଖେଳ ପ୍ରତି ରୁଚି ରଖିଥିବା ଚନ୍ଦ୍ରକାନ୍ତ ସେହି ଖେଳ ପ୍ରତିଭା ଜରିଆରେ ସେନାବାହିନୀରେ ସାମିଲ ହେବାର ସୁଯୋଗ ପାଇଥିଲେ। ରାଇକିଆ ମାଟିର ପ୍ରଥମ ସହିଦ ହୋଇଥିବାରୁ ତାଙ୍କ ସମ୍ମାନାର୍ଥେ ଆସନ୍ତାକାଲି ରାଇକିଆର ସମସ୍ତ ଦୋକାନବଜାର ବନ୍ଦ କରି ଶବ ଶୋଭାଯାତ୍ରାରେ ସାମିଲ ହେବାକୁ ବଣିକ ସଂଘ ନିଷ୍ପତ୍ତି କରିଛି। ଆସନ୍ତାକାଲି ପାର୍ଥିବ ଶରୀର ପହଞ୍ଚିବା ପରେ ପରିବାର ଦ୍ବାରା ଚିହ୍ନଟ ସ୍ଥାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି କନ୍ଧମାଳ ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ବିଜାତଳା ବ୍ଲକ ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସହିଦ ନାନ୍ଦୁରାମ ସୋରେନ୍‍(୪୨) ୧୬ ବିହାର ରେଜିମେଣ୍ଟରେ ନାଏବ ସୁବେଦାର ଭାବେ ୧୯୯୭ ମସିହାରୁ କାର୍ୟ୍ୟରତ ଥିଲେ। ରାଇରଙ୍ଗପୁର ସହର ୧୨ନଂ ୱାର୍ଡ ଇଚିଣ୍ଡାରେ ଭଡାଘରେ ରହୁଥିବା ତାଙ୍କ ସ୍ତ୍ରୀ ଲକ୍ଷ୍ମୀମଣି ସୋରେନ୍‍, ତିନିଝିଅ ଜ୍ଞାନେଶ୍ବରୀ(୧୫), ମାନସୀ(୧୧) ଓ ସୋନାଲି(୬)ଙ୍କୁ ନେଇ ତାଙ୍କ ପରିବାର। ତିନିଝିଅ ଏବେ ରାଇରଙ୍ଗପୁରର କେରଳା ପବ୍ଲିକ ସ୍କୁଲରେ ପାଠ ପଢ଼ୁଛନ୍ତି। ଚମ୍ପାଉଦା ଗ୍ରାମର ସ୍ବର୍ଗତ କାହ୍ନୁ ମାଝୀ ଓ ସ୍ବର୍ଗତ ରାଇମତ ମାଝିଙ୍କ ଚାରିପୁଅ ମଧ୍ୟରୁ ସହିଦ ନାନ୍ଦୁରାମ ସାନ। ନାନ୍ଦୁରାମଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପତ୍ନୀ ଲକ୍ଷ୍ମୀ ସୋରେନ୍‍, ତିନିଝିଅ ତଥା ନିକଟ ସମ୍ପର୍କୀୟମାନେ ଦୁଃଖରେ ଭାଙ୍ଗିପଡିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଡଚମ୍ପାଉଦା ଗ୍ରାମ, ରାଇରଙ୍ଗପୁର ସହର ତଥା ସମଗ୍ର ମୟୂରଭଞ୍ଜ ଜିଲା ଶୋକରେ ଡୁବିଯାଇଛି। ଗୁରୁବାର ତାଙ୍କ ମରଶରୀର ରାଇରଙ୍ଗପୁର ଅଣାଯିବା ସହ ତାଙ୍କ ପୈତୃକ ଗ୍ରାମରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସହିଦ ନାନ୍ଦୁରାମ ଗତ ଜାନୁଆରୀରେ ଶେଷଥର ପାଇଁ ଘରକୁ ଆସିଥିଲେ। ସେ ଚମ୍ପାଉଦା ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ରାଇରଙ୍ଗପୁର ହାଇସ୍କୁଲରେ ଦଶମ ଶ୍ରେଣୀ ଯାଏ ପଢି ୧୯୯୩ରେ ମାଟ୍ରିକ ପାସ କରିଥିଲେ। ପରେ ରାଇରଙ୍ଗପୁର କଲେଜରୁ ଯୁକ୍ତ ଦୁଇ ଶିକ୍ଷା ପରେ ସେନାରେ ଯୋଗ ଦେଇଥିଲେ। ସେ ଅତ୍ୟନ୍ତ ସରଳ, ନମ୍ର, ଭଦ୍ର ଓ ମିଷ୍ଟଭାଷୀ ଥିଲେ ବୋଲି ସମ୍ପର୍କୀୟ ମାନେ କହିଛନ୍ତି। ଏହି ଦୁଃଖଦ ଖବର ପାଇ ସହିଦଙ୍କ ଘରକୁ ଆସି ଶୋକସନ୍ତପ୍ତ ପରିବାରକୁ ବହୁ ବନ୍ଧୁ, ପ୍ରିୟଜନ ସମେତ ରାଜନେତା, ସରକାରୀ ଅଧିକାରୀ, ବୁଦ୍ଧିଜୀବୀ ସମବେଦନା ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories