ପ୍ରବାସୀଙ୍କୁ ମିଳିବ ମାଗଣା ରାସନ, ୨ ମାସ ପାଇଁ ଶସ୍ୟ ସହ ଡ଼ାଲି
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍ଡ଼ାଉନରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଦିଆଯିବ ସହାୟତା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏ ସମ୍ପର୍କରେ ଘୋଷଣା କରିଛନ୍ତି । କୌଣସି ପ୍ରବାସୀ ଯେପରି ଭୋକିଲା ରହିବେ ନାହିଁ ସେଥିପ୍ରତି ନିର୍ମଳା ଗୁରୁତ୍ବାରୋପ କରିଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନଙ୍କୁ ସହାୟତା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ହିତାଧିକାରୀ ତାଲିକାରେ ସାମିଲ୍ ନ ଥିଲେ ମଧ୍ୟ ସେମାନେ ଏହି ସହାୟତା ପାଇବାକୁ ହକଦାର ହେବ ।
ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଚିହ୍ନ କରି ଏହି ସୁବିଧା ଯୋଗାଇ ଦେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏଥିସହ ମାର୍ଚ୍ଚ ୨୦୨୧ ସୁଦ୍ଧା ସାରା ଦେଶରେ ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଲାଗୁ ହେବ । ଫଳରେ ଯେ କେହି ବି ଦେଶର କୌଣସି ସରକାରୀ ବିକ୍ରୟ କେନ୍ଦ୍ରରୁ ରାସନ ନେଇପାରିବ ।ଆଗାମୀ ଦୁଇ ମାସ ପାଇଁ ସମସ୍ତ ପ୍ରବାସୀ ପରିବାରକୁ ମାସିକ ୫ କେଜି ଶସ୍ୟ ସହ ଏକ କେଜି ଚଣା ଡାଲି ଯୋଗାଇ ଦିଆଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏ ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୨ ମାସରେ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଉପକୃତ ହେବେ ।
Comments are closed.