ସମାଜ ପୋର୍ଟାଲ ଡେସ୍କ: ବାଂଲାଦେଶ ସରକାର ଦେଶରେ ଲାଗୁ ହୋଇଥିବା ଛୁଟିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ପୂର୍ବରୁ ବାଂଲାଦେଶ ସରକାର ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ପ୍ରତିଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରିଥିଲେ। ଗତକାଲି ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ବାଂଲାଦେଶ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ କହିଛି, ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ। ସେଗୁଡିକ ମଧ୍ୟରେ ଜଳଯୋଗାଣ, ବିଦ୍ୟୁତ୍ ଯୋଗାଣ, ଗ୍ୟାସ୍, ଅଗ୍ନିଶମ ସେବା, ଟେଲିଫୋନ୍ ସେବା ଓ ହସ୍ପିଟାଲ୍ ଅନ୍ତର୍ଭୁକ୍ତ।
ମନ୍ତ୍ରଣାଳୟରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ସନ୍ଧ୍ୟା ୬ଟା ପରଠାରୁ ଲୋକମାନଙ୍କର ଚଳପ୍ରଚଳ ଉପରେ ନିଷେଧାଜ୍ଞା ଲାଗୁ କରାଯାଇଛି। ଯେଉଁ ଲୋକମାନେ ଏହି ନିୟମର ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ। ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ଛୁଟି ସମୟରେ ସେମାନଙ୍କ କର୍ମସ୍ଥଳୀରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣାରୁ କୃଷିଜାତ ପଦାର୍ଥ, ସାର, ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ପଦାର୍ଥର ପରିବହନକୁ ଛାଡ଼ କରାଯାଇଛି।
ଗତ ୩ ଦିନ ମଧ୍ୟରେ ବାଂଲାଦେଶରେ କରୋନା ଭୂତାଣୁ ସଂକ୍ରମଣ ଲୋକମାନଙ୍କ ସଂଖ୍ୟା ଅତିମାତ୍ରାରେ ବୃଦ୍ଧି ପାଇଥିବାର ଖବର ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ଆଉ ୯୪ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ବାଂଲାଦେଶରେ କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଛି।



