www.samajalive.in
Monday, December 8, 2025
13.1 C
Bhubaneswar

ସାଂସଦଙ୍କୁ କରୋନା ସଂକ୍ରମଣ! : କ୍ବାରେନ୍‌ଟାଇନ୍‌ରେ ୭ ସାଂସଦ

ନୂଆଦିଲ୍ଲୀ, ୨୦ା୩: ସଂସଦ ଭବନ ସମେତ ଅନେକ ସାଂସଦ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ଏପରିକି ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଇଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସଂସଦର ବଜେଟ ଅଧିବେଶନ ଚାଲୁ ରହିଛି। ଏହି ବଜେଟ୍‌ ଅଧିବେଶନ ଯୋଗୁଁ ସାଂସଦମାନେ ସଂକ୍ରମିତ ହୋଇଥିବା ଅଭିଯୋଗ ହୋଇଛି। ବଲିଉଡ ଗାୟିକା କନିକା କପୁରଙ୍କ ଦ୍ବାରା ଆୟୋଜିତ ଭୋଜି ଉତ୍ସବରେ କେତେକ ସାଂସଦ ଯୋଗ ଦେବା ପରେ ସେମାନେ ବଜେଟ ଅଧିବେଶନରେ ଯୋଗ ଦେଇଥିଲେ। ସେଠାରେ ଅନ୍ୟ ସାଂସଦଙ୍କ ସହିତ ସେମାନେ ମିଳାମିଶା କରିଥିଲେ। ବ୍ରିଟେନରୁ ଫେରିଥିବା କନିକା କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ‘ବେବି ଡଲ’ ଗୀତର ଗାୟିକା କନିକା ମାର୍ଚ୍ଚ ୯ରେ ବ୍ରିଟେନରୁ ଫେରିଥିଲେ। ବ୍ରିଟେନରୁ ଫେରିବା କନିକା ଲକ୍ଷ୍ନୌରେ ଭୋଜି ଉତ୍ସବ କରିଥିଲେ। ସେ ଅତି କମ୍‌ରେ ୪ଟି ପାର୍ଟି ଏବଂ ଏକ ପାରିବାରିକ ଉତ୍ସବରେ ସାମିଲ ହୋଇଥିଲେ। ଗତ ୧୩ ତାରିଖରେ ଲକ୍ଷ୍ନୌର ତାଜ୍‌ ହୋଟେଲଠାରେ ଆୟୋଜିତ ଏକ ପାର୍ଟିରେ କନିକା ଉପସ୍ଥିତ ରହିଥିଲେ। ଏହି ଭୋଜିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଓ ଆପନା ଦଳ ମୁଖ୍ୟ ତଥା ମିର୍ଜାପୁର ସାଂସଦ ଅନୁପ୍ରିୟା ପଟେଲ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ଦୁଇ ସାଂସଦ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ଏକ ଜଳପାନ ଉତ୍ସବରେ ଯୋଗ ଦେଇଥିଲେ। ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତରପ୍ରଦେଶ ଓ ରାଜସ୍ଥାନ ସାଂସଦଙ୍କ ପାଇଁ ରାଷ୍ଟ୍ରପତି ଭବନରେ ଏକ ଜଳପାନ ଉତ୍ସବ କରିଥିଲେ। ଏଥିରେ ସାଂସଦ ଦୁଷ୍ୟନ୍ତ ସିଂହ ଓ ଅନୁପ୍ରିୟା ପଟେଲ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଅନ୍ୟ ସାଂସଦଙ୍କ ସହିତ ମିଶି ଫଟୋ ଉଠାଇଥିଲେ।

ଏହି ଅବସରରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ୯୬ଜଣ ସାଂସଦଙ୍କ ସହ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗଦେଇଥିବା ଜଣାଯାଇଛି। କରୋନା ସଂକ୍ରମିତଙ୍କ ସହିତ ଭୋଜିରେ ସାମିଲ ଥିବା ଜଣାପଡିବା ପରେ ଦୁଷ୍ୟନ୍ତ ଓ ଅନୁପ୍ରିୟା ଏବେ କ୍ବାରେନଟାଇନରେ ରହିଛନ୍ତି। ସେହିପରି ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରାଏନ ଓ ଅନ୍ୟ ୪ ସାଂସଦ ନିଜକୁ କ୍ବାରେନ୍‌ଟାଇନରେ ରଖିଥିବା ଘୋଷଣା କରିଛନ୍ତି। ମୋଟ ୭ ସାଂସଦ ଏବେ କ୍ବାରେନଟାଇନରେ ରହିଛନ୍ତି। ଦୁଷ୍ୟନ୍ତଙ୍କ ନିକଟରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରାଏନ ୨ଘଣ୍ଟା ୫୦ ମିନିଟ୍ ବସିଥିଲେ। ଏ ସମ୍ପର୍କରେ ଡେରେକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସେଲଫ ଆଇସୋଲେଟ୍‌ରେ ରଖିବାକୁ କହୁଥିବାବେଳେ ସଂସଦର ଅଧିବେଶନକୁ ଜାରି ରଖିଛନ୍ତି। କେବଳ ରାଷ୍ଟ୍ରପତି ଭବନ ଉତ୍ସବ ଓ ସଂସଦ ଅଧିବେଶନ ନୁହେଁ। ଦୁଷ୍ୟନ୍ତ ମାର୍ଚ୍ଚ ୧୭ରେ ବିଜେପି ସଂସଦୀୟ ଦଳ ବୈଠକ ଓ ୧୮ ତାରିଖରେ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟର ସଂସଦୀୟ କମିଟି ବୈଠକରେ ଯୋଗ ଦେଇଥିଲେ। ଏହା ସହିତ ଜଣେ ଶିଳ୍ପପତି ତଥା ପୂର୍ବତନ ସାଂସଦଙ୍କ ଜନ୍ମଦିନ ଉତ୍ସବ ଓ ଅନ୍ୟ ଏକ ଉତ୍ସବରେ ଯୋଗ ଦେଇଥିଲେ। ତେଣୁ ଏହି ସବୁ ସ୍ଥାନରେ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories