www.samajalive.in
Tuesday, December 9, 2025
16.1 C
Bhubaneswar

ମାର୍ଚ୍ଚ ୨୨ରେ ସାରା ଦେଶରେ ‘ଜନତା କର୍ଫ୍ୟୁ’: ଦେଶବାସୀଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ ‘କରୋନା’ ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ୨୨ ତାରିଖରେ ଦେଶରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଜନତା କର୍ଫ୍ୟୁ ହେଉଛି ଜନତାଙ୍କ ପାଇଁ ଜନତାଙ୍କ ଦ୍ବାରା ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ। ଏହି ଦିନ ଦେଶବାସୀ ସକାଳ ୭ଟାରୁ ରାତି ୯ଟା ଯାଏ ଘରେ ରହିବେ। କେବଳ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଜଡ଼ିତ ଲୋକମାନେ ବାହାରକୁ ବାହାରି ପାରିବେ। କରୋନା ଭୂତାଣୁର ମୁକାବିଲା ପାଇଁ ସମସ୍ତ ଦେଶବାସୀ ଏହାକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

ଗୁରୁବାର ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି, କରୋନା ଭୂତାଣୁର ପ୍ରକୋପ ଇତିହାସର ପ୍ରଥମ ଏବଂ ଦ୍ବିତୀୟ ବିଶ୍ଵଯୁଦ୍ଧଠାରୁ ଭୟଙ୍କର। ତେଣୁ କରୋନାର ମୁକାବିଲା ପାଇଁ ଆପଣମାନଙ୍କଠାରୁ ମୋତେ ଆଗକୁ ଆସୁଥିବା କିଛି ସମୟ ଦରକାର। ବିଜ୍ଞାନ କରୋନାର ମୁକାବିଲା ପାଇଁ କୌଣସି ଔଷଧ ପ୍ରସ୍ତୁତ କରିପାରି ନାହିଁ କି କୌଣସି ଭ୍ୟାକ୍‌ସିନ ତିଆରି ହୋଇନାହିଁ। ତେଣୁ ଏହାକୁ ନେଇ ଚିନ୍ତା କରିବା ସ୍ବାଭାବିକ। ଯେଉଁ ଦେଶରେ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି ସେଠାରେ ଅଧ୍ୟୟନରୁ ଏକ ନୂଆ ତଥ୍ୟ ମିଳିଛି। ଏହି ଦେଶରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବହୁ ଦ୍ରୁତଗତିରେ ବଢ଼ିଛି। ଭାରତ ସରକାର ଏହି ଟ୍ରାକ୍‌ ରେକର୍ଡ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ତେବେ କିଛି ଦେଶ ଏଭଳି ରହିଛନ୍ତି ଯେଉଁମାନେ ଉପଯୁକ୍ତ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜ ଦେଶରେ ଲୋକମାନଙ୍କୁ ଅଧିକରୁ ଅଧିକ ଆଇସୋଲେଟ କରି ସ୍ଥିତିକୁ ସମ୍ଭାଳିଛନ୍ତି। ସେଥିରେ ନାଗରିକଙ୍କ ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ। ଭାରତ ଭଳି ୧୩୦ କୋଟି ଜନସଂଖ୍ୟାର ଦେଶ ଉପରେ କରୋନାର ଏହି ସଙ୍କଟ ସାମାନ୍ୟ କଥା ନୁହେଁ। ଯେତେବେ​‌ଳେ ବଡ଼ ବଡ଼ ଏବଂ ବିକଶିତ ଦେଶରେ ଏହାର ପ୍ରଭାବ ଦେଖୁଛୁ, ସେତେବେଳେ ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାବିବା ଭୁଲ। ଏହାର ମୁକାବିଲା ପାଇଁ ୨ଟି କଥା ଜରୁରୀ। ପ୍ରଥମଟି ହେଉଛି ସଙ୍କଳ୍ପ ଏବଂ ୨ୟଟି ସଂଯମତା।

- Advertisement -

ଆମେ ଦେଶର ଜଣେ ଲେଖାଏ ନାଗରିକ ହିସାବରେ ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦେଶ ପାଳନ କରିବା ଆବଶ୍ୟକ। ଆମେ ଏହି ସଙ୍କଳ୍ପ ନେବା ଉଚିତ ଯେ, ଆମେ ସଂକ୍ରମିତ ହେବାରୁ ନିଜକୁ ରକ୍ଷା କରିବା ଏବଂ ଅନ୍ୟକୁ ମଧ୍ୟ ରକ୍ଷା କରିବାରେ ସହାୟତା କରିବା। ଆମେ ନିଜେ ସୁସ୍ଥ ରହିଲେ ସାରା ବିଶ୍ଵ ସୁସ୍ଥ ରହିବ। ଯେଉଁଠି ଏହି ଭୂତାଣୁର ମୁକାବିଲା ପାଇଁ ଔଷଧ ନାହିଁ ସେଠାରେ ଆମେ ସୁରକ୍ଷିତ ରହିବା ନିହାତି ଜରୁରୀ।

୨ୟ କଥା ହେଉଛି ସଂଯମତା। ତାହା ହେଉଛି ଭିଡ଼ରୁ ଦୂରେଇ ରହିବା। ସାମାଜିକ ଦୂରତ୍ଵ ରକ୍ଷା କରିବା। କରୋନା ବିଶ୍ଵ ମହାମାରୀ ହୋଇଥିବାରୁ ସାମାଜିକ ଦୂରତ୍ଵ ରକ୍ଷା କରିବା ସବୁଠୁ ଅଧିକ ଜରୁରୀ। ଆମର ସଙ୍କଳ୍ପ ଏବଂ ସଂଯମତା ଏହାର ମୁକାବିଲାରେ ବଡ଼ ଭୂମିକା ଗ୍ରହଣ କରିବ। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କୁ କିଛି ହେବନି, ଆପଣ ବଜାରରେ ବୁଲିବେ, ଆମ କଥା ମାନିବେ ନାହିଁ, ତେବେ ଏହା ଠିକ୍‌ ନୁହେଁ। ଏହା କରି ଆପଣ ଆପଣଙ୍କ ପରିବାର ପ୍ରତି ଅନ୍ୟାୟ କରିବେ ବୋଲି ମୋଦୀ କହିଛନ୍ତି।

ଆଗକୁ ଆସୁଥିବା କିଛି ସପ୍ତାହ ପର୍ଯ୍ୟନ୍ତ ଅତି ଆବଶ୍ୟକ ସ୍ଥଳେ ବାହାରକୁ ବାହାରନ୍ତୁ। ବ୍ୟବସାୟ, ଅଫିସ କାର୍ଯ୍ୟ ଘରେ ବସି କରନ୍ତୁ। ହସ୍ପିଟାଲ ସହିତ ଜଡ଼ିତ କର୍ମଚାରୀ, ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏମାନଙ୍କ ବ୍ୟତୀତ ଅନ୍ୟମାନେ ସବୁ ସମାରୋହରୁ ଦୁରେଇ ରହିବା ଜରୁରୀ।

୬୦ରୁ ୬୫ ବର୍ଷ ବୟସରୁ ଅଧିକ ଲୋକମାନେ ଘରୁ ବାହାରକୁ ବାହାରନ୍ତୁ ନାହିଁ। ହୋଇପାରେ ବର୍ତ୍ତମାନ ପିଢ଼ି ପୁରୁଣା କିଛି କଥା ସହିତ ପରିଚିତ ହୋଇଥାଇ ନ ପାରନ୍ତି। ମୋ ପିଲାଦିନ ସମୟରେ ଯେତେବେଳେ ଯୁଦ୍ଧ ପରିସ୍ଥିତି ଉପୁଜୁଥିଲା ସେତେବେଳେ ଗାଁ ଗାଁ ବ୍ଲାକଆଉଟ୍‌ କରାଯାଉଥିଲା। ଯୁଦ୍ଧ ନ ହେଲେ ବି ବର୍ଷକରେ ଥରେ କିମ୍ବା ୨ ଥର ବ୍ଲାକ୍‌ଆଉଟ୍‌ କରାଯାଉଥିଲା। ଲୋକେ ଏଥିରେ ଅଭ୍ୟସ୍ତ ହୋଇପଡ଼ନ୍ତି।

ମୁଁ ଆଜି ଆପଣକୁ ଆଉ ଏକ ସମର୍ଥନ ମାଗୁଛି। ତାହା ହେଉଛି ‘ଜନତା କର୍ଫ୍ୟୁ’। ଜନତା କର୍ଫ୍ୟୁ ଜନତାଙ୍କ ପାଇଁ ଜନତାଙ୍କ ଦ୍ବାରା ନିଜ ଉପରେ ଲଗାଯାଉଥିବା କର୍ଫ୍ୟୁ। ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ପାଳନ କରନ୍ତୁ। ଏହି ସମୟରେ କୌଣସି ନାଗରିକ ଘରୁ ବାହାରିବେ ନାହିଁ, ରାସ୍ତାକୁ ଆସିବେ ନାହିଁ। ଯଦି ଯେଉଁମାନେ ଅତ୍ୟାବଶ୍ୟକ କାର୍ଯ୍ୟରେ ଜଡ଼ିତ, ସେମାନେ ବାହାରକୁ ଯାଇପାରିବେ। କିନ୍ତୁ ଜଣେ ସାଧାରଣ ନାଗରିକ ହିସାବରେ ବାହାରକୁ ବାହାରିବା ଅନୁଚିତ। ଆମର ଏହି ଆତ୍ମସଂଯମ ଆଗକୁ ଆସୁଥିବା ଚ୍ୟାଲେଞ୍ଜର ସମ୍ମୁଖୀନ କରିବାକୁ ପୂରା ଦେଶକୁ ସହାୟତା କରିବ।

ଧାର୍ମିକ, ସାମାଜିକ, ଏନସିସି, ଯୁବ ସଂଗଠନ ଭଳି ଆମ ଦେଶରେ ଅନେକ ସଂଗଠନ ରହିଛି। ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଏବେଠାରୁ ରବିବାର ପର୍ଯ୍ୟନ୍ତ ଏହି ଜନତା କର୍ଫ୍ୟୁର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାନ୍ତୁ। ସେମାନଙ୍କୁ ସଚେତନ କରନ୍ତୁ। ଜନତା କର୍ଫ୍ୟୁ ବିଷୟରେ ଲୋକଙ୍କୁ ବୁଝାନ୍ତୁ। ଏହି ଜନତା କର୍ଫ୍ୟୁ ଦେଶ ପାଇଁ କରୋନା ବିରୋଧରେ ଲଢ଼େଇ ଲାଗି ଆମେ କେତେ ପ୍ରସ୍ତୁତ ତାହା ଦର୍ଶାଇବ। ରବିବାର ମୁଁ ଆପଣଙ୍କଠାରୁ ଆଉ ଏକ ସହଯୋଗ ଦରକାର କରୁଛି। ଗତ ୨ମାସ ଧରି ଲକ୍ଷ ଲକ୍ଷ ଲୋକ ହସ୍ପିଟାଲ, ଏୟାରପୋର୍ଟ, କାର୍ଯ୍ୟାଳୟ, ସହରର ଗଳିକନ୍ଦିରେ ଦିନରାତି କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ହସ୍ପିଟାଲର ନର୍ସ, ଡାକ୍ତର, ସଫେଇ କର୍ମଚାରୀ, ସରକାରୀ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ, ରେଳ କର୍ମଚାରୀ, ହୋମ୍‌ ଡେଲିଭରି କରୁଥିବା ଲୋକ ନିଜର ଚିନ୍ତା ନ କରି ଅନ୍ୟମାନଙ୍କ ସେବା କରିଆସୁଛନ୍ତି। ଆଜିର ପରିସ୍ଥିତିରେ ଏହି ସେବା ସାଧାରଣ ନୁହେଁ। ଏହା ସତ୍ବେ ସେମାନେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି। ଦେଶ ଏଭଳି ସମସ୍ତ ଛୋଟ ବଡ଼ ବ୍ୟକ୍ତି, ସଂଗଠନର କର୍ତ୍ତବ୍ୟକୁ ଧନ୍ୟବାଦ ଜଣାଉଛି। ୨୨ ମାର୍ଚ୍ଚରେ ଆମେ ସମସ୍ତେ ଏଭଳି ଲୋକଙ୍କୁ ଧନ୍ୟବାଦ ଜଣାଇବା।

ରବିବାର ‘ଜନତା କର୍ଫ୍ୟୁ’ ଦିନ ସନ୍ଧ୍ୟା ୫ଟାରେ ଆମେ ନିଜ ଦୁଆରେ, ବାଲକୋନୀ, ଝରକା ସମ୍ମୁଖରେ ଛିଡ଼ା ହୋଇ ୫ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ଲୋକଙ୍କ ସ୍ବାଗତ କରିବା। ତାଳି ବଜାଇ ସେମାନଙ୍କ ପ୍ରତି ଆମର କୃତଜ୍ଞତା ଜଣାଇବା ବୋଲି ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories