ରୁଷୀୟ ସାହିତ୍ୟର ପ୍ରଖ୍ୟାତ ଲେଖକ ମାକସିମ ଗୋର୍କି ବିଶ୍ବ ସାହିତ୍ୟରେ ଏକ ପରିଚିତ, ଶ୍ରଦ୍ଧାଶୀଳ ନାମ। ନୋବେଲ ପୁରସ୍କାରପ୍ରାପ୍ତ ଗୋର୍କିଙ୍କୁ କିଏ ବା ନ ଜାଣେ? ସମାଜବାଦୀ- ଗଣତାନ୍ତ୍ରିକ ଚିନ୍ତାଧାରାର ଏହି ମହାନାୟକ ଯୁଗଯୁଗକୁ ଏକ ଅବିସ୍ମରଣୀୟ ଲେଖକ ଭାବରେ ନିଜର ସ୍ଥାନ ଲିପିବଦ୍ଧ କରିଯାଇଛନ୍ତି। ଏହି କାଳଜୟୀ ସ୍ରଷ୍ଟା, ମହାମନୀଷୀଙ୍କ ପ୍ରାରମ୍ଭିକ ଜୀବନ କେତେ ଦୁଃଖଯନ୍ତ୍ରଣାମୟ ଥିଲା ତାହା ହୁଏତ ଖୁବ୍ କମ୍ ଲୋକ ଜାଣିଛନ୍ତି। ସଂଘର୍ଷ ଭିତରେ ନିଜକୁ କିପରି ପ୍ରତିଷ୍ଠିତ କରିବାକୁ ହୁଏ, ତା’ର ଏକ ବଳିଷ୍ଠ ଉଦାହରଣ ସେ ବିଶ୍ବବାସୀଙ୍କ ସମ୍ମୁଖରେ ରଖିଯାଇଛନ୍ତି।
ଅତିକମ୍ ବୟସରୁ ସେ ପିତୃମାତୃହୀନ ହୋଇଯାଇଥିଲେ। ନିଜର ଲାଳନପାଳନ ଭାର ପଡ଼ିଥିଲା ବୁଢ଼ୀମାଆଙ୍କ ଉପରେ। ଏହି ସମୟ ତାଙ୍କ ପାଇଁ ଅତି କଷ୍ଟପ୍ରଦ ଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ସେ ବୁଢ଼ୀମାଆଙ୍କୁ ଛାଡ଼ି ମାତ୍ର ୧୨ବର୍ଷ ବୟସରେ ଗୃହତ୍ୟାଗୀ ହୋଇଯାଇଥିଲେ। ଘର ଛାଡ଼ିବା ପରେ ଚାକିରି ଅନ୍ବେଷଣରେ ପାଦରେ ଚାଲିଚାଲି ରୁଷୀୟ ସାମ୍ରାଜ୍ୟର ଅନେକ ଅଞ୍ଚଳ ବୁଲିଥିଲେ। ଏହି ସମୟ ଭିତରେ ବିଭିନ୍ନ ସ୍ଥାନରେ କାମ କରିଥିଲେ, ହେଲେ ପ୍ରତିକୂଳ ପରିସ୍ଥିତି ଯୋଗୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
ଜିଇ ରହିବାପାଇଁ ଜୀବିକାର ଆବଶ୍ୟକତା ଥିଲା ତାଙ୍କ ନିକଟରେ ଅତି ଜରୁରୀ। ଭୋକିଲା ପେଟର ଜ୍ବାଳା ପ୍ରଶମନ ପାଇଁ ଚାକିରି ପେସା ଥିଲେ ବି ନିଶା ଥିଲା ସାହିତ୍ୟପ୍ରେମ। ନିଜର ଅସାଧାରଣ ସାହିତ୍ୟପ୍ରେମ କାରଣରୁ ଗୋଲାମୀ ଜୀବନରେ ସେ ବହୁବାର ମାଲିକଙ୍କଠାରୁ ଦୁର୍ବ୍ୟବହାର ପାଇଛନ୍ତି। ନିଜର ଆର୍ଥିକ ଦୁଃସ୍ଥିତିରେ ବିଚଳିତ ହୋଇ ସେ ଏପରି ମ୍ରିୟାମାଣ ହୋଇ ପଡ଼ିଥିଲେ ଯେ ଆତ୍ମହତ୍ୟା କରି ଏଥରୁ ମୁକ୍ତିପାଇବା ପାଇଁ ସିଦ୍ଧାନ୍ତ ନେଇଥିଲେ। ହେଲେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ମନକୁ ଆସିଥିଲା ବୋଧହୁଏ ଈଶ୍ବର କୌଣସି ମହତ ଉଦ୍ଦେଶ୍ୟ ପୂରଣ ପାଇଁ ବଞ୍ଚାଇଦେଲେ।
ତାଙ୍କର ସଂଘର୍ଷମୟ ଜୀବନ ଭିତରେ ଯେତେବେଳେ ତାଙ୍କ ଲିଖିତ ପ୍ରଥମ ପୁସ୍ତକ ପ୍ରକାଶିତ ହେଲା ତାହା ଅସାଧାରଣ ଲୋକପ୍ରିୟତା ହାସଲ କରିଥିଲା। ଏହା ତାଙ୍କୁ ଜଣେ ପ୍ରତିଷ୍ଠିତ ଲେଖକର ମାନ୍ୟତା ଦେଇଥିଲା। ଆଉ ପଛକୁ ଫେରି ଚାହିଁ ନଥିଲେ। ତାଙ୍କ ରଚିତ ‘ମାଇ ଚାଇଲ୍ଡହୁଡ୍’ରେ ନିଜ ବାଲ୍ୟାବସ୍ଥାର ମାର୍ମିକ ଛବି ପ୍ରତିଫଳିତ। ‘ମଦର’ ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ। ନୋବେଲ ପୁରସ୍କାରପ୍ରାପ୍ତ ଏହି ପ୍ରଖ୍ୟାତ ସାହିତ୍ୟିକ ତାଙ୍କର ଦୁଃଖ, କଷ୍ଟମୟ ଜୀବନ ସମ୍ପର୍କରେ ମନେପକାଇ ଏକଦା କହିଥିଲେ- ‘ଯେ ପର୍ୟ୍ୟନ୍ତ ବ୍ୟକ୍ତି କାର୍ୟ୍ୟକୁ ଆପଣା କର୍ତ୍ତବ୍ୟ ବୋଲି ମନେ କରି ସଂପାଦନ କରିଥାଏ, ସେପର୍ୟ୍ୟନ୍ତ ସେ ଗୋଲାମ ଭାବରେ ହିଁ ରହିଥାଏ। ହେଲେ ଯେଉଁଦିନ ସେ କାମକୁ ଆପଣାଇ ନେଇ କରିଥାଏ ସେହିଦିନଠାରୁ ତା’ର ଜୀବନର ସୁଖକର ଦିନ ଆରମ୍ଭ ହୋଇଥାଏ। ଜୀବନରେ ସଫଳ ହେବା ତଥା ସୁଖୀ ରହିବାର ଏଇ ଛୋଟିଆ ମନ୍ତ୍ରଟିକୁ ଆପଣାଇ ନେଲେ ବିବଶତା ଦୂର ହୋଇଯିବ ଓ ଜୀବନର ଦିଶା ବଦଳିଯିବ ନିଶ୍ଚୟ।’
ଜଣେ ପିତୃ-ମାତୃହୀନ ଅନାଥ ବାଳକ ଭାବରେ ଜୀବନଯାତ୍ରା ଆରମ୍ଭ କରି ଶେଷ ପର୍ୟ୍ୟାୟରେ ସେ ଯେଉଁ କ୍ଷେତ୍ରରେ ପହଞ୍ଚିଥିଲେ ତାହା ମୂଳରେ ଥିଲା କାମକୁ ଆପଣାଇ ନେବାର କୁହୁକ ମନ୍ତ୍ର। ଏହା ହିଁ ତାଙ୍କୁ ଅସାଧାରଣ ସଫଳତା ଦେଇଥିଲା ପ୍ରତ୍ୟେକ କ୍ଷେତ୍ରରେ।



