ବାରାଣସୀ : ନାଗରିକତ୍ବ ସଂଶୋଧନ ବିଧେୟକ (ସିଏଏ) ଓ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ସମ୍ପର୍କରେ କୌଣସି ପ୍ରକାର ପୁନର୍ବିଚାର କରିବାର ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସ୍ପଷ୍ଟ କରିଛନ୍ତି। ସମସ୍ତ ଦିଗରୁ ଚାପ ସତ୍ତ୍ବେ ଜାତୀୟ ସ୍ବାର୍ଥ ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତିରେ ସରକାର ଅତୁଟ ରହିଛନ୍ତି ଓ ଅତୁଟ ରହିବେ। ଧାରା ୩୭୦ ଉଚ୍ଛେଦ ହେଉ ଅବା ସିଏଏ ଦେଶବାସୀ ଏହି ନିଷ୍ପତ୍ତିକୁ ବହୁବର୍ଷ ହେଲା ଅପେକ୍ଷା କରି ରହିଥିଲେ ବୋଲି ସେ କହିଛନ୍ତି। ରବିବାର ନିଜ ନିର୍ବାଚନମଣ୍ଡଳୀ ଉତ୍ତରପ୍ରଦେଶର ବାରାଣସୀକୁ ଦିନିକିଆ ଗସ୍ତ କରିବା ଅବସରରେ ପ୍ରଧାନମନ୍ତ୍ରୀ ସାଧାରଣ ସଭାରେ ଏହା କହିଛନ୍ତି। ସିଏଏକୁ ବିରୋଧ କରି ଦିଲ୍ଲୀର ସାହିନବାଗ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ, ଆନ୍ଦୋଳନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ଏପରି ଚରମବାଣୀ ଶୁଣାଇଛନ୍ତି।
PM Narendra Modi in Chandauli: For years, India had been waiting for decisions like repealing Article 370 and introduction of CAA. These decisions were necessary in interest of the country. Despite all the pressure, we stood our ground over these decisions and will remain so. pic.twitter.com/bIFoa4rrvV
— ANI UP (@ANINewsUP) February 16, 2020
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାମ ତ୍ବରିତ ଭିତିରେ ଚାଲିବ। ମନ୍ଦିର ନିର୍ମାଣ କାମ ତଦାରଖ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ସରକାର ଟ୍ରଷ୍ଟ ଗଠନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନାମରେ ଗଠିତ ଟ୍ରଷ୍ଟ ମନ୍ଦିର ନିର୍ମାଣ କାମ ତତ୍ତ୍ବାବଧାନ ସହିତ ମନ୍ଦିର ପରିଚାଳନା କାର୍ଯ୍ୟ ବୁଝିବ।
ଜନସମାବେଶରେ ଉଦ୍ବୋଧନ ପୂର୍ବରୁ ପ୍ରଧାନମନ୍ତ୍ରୀ ବାରାଣସୀରେ ୧୨୫୪କୋଟି ଟଙ୍କା ମୂଲ୍ୟର ୫୦ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ୪୩୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ସରକାରୀ ହସ୍ପିଟାଲର ଉଦ୍ଘାଟନ କରିଥିଲେ। ଏହା ସହିତ ଭିଡିଓ ଲିଙ୍କ ମାଧ୍ୟମରେ ମହାକାଳ ଏକ୍ସପ୍ରେସର ଚଳାଚଳକୁ ଶୁଭାରମ୍ଭ କରିଥିଲେ। ଆଇଆରସିସିଟି ପରିଚାଳିତ ଏହି ଏକ୍ସପ୍ରେସ ତିନି ତ୍ୟୋତିର୍ଲିଙ୍ଗ ତୀର୍ଥକ୍ଷେତ୍ର ଉତ୍ତରପ୍ରଦେଶର ବାରାଣସୀ ଓ ମଧ୍ୟପ୍ରଦେଶର ଉଜ୍ଜୟିନୀ ଏବଂ ଓମ୍କାରେଶ୍ବରକୁ ଯୋଗାଯୋଗ କରିବ। ପ୍ରଧାନମନ୍ତ୍ରୀ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ସ୍ମାରକୀ କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ ଦିନଦୟାଲଙ୍କ ୬୩ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ଜଗତଗୁରୁ ବିଶ୍ବଆରାଧ୍ୟ ଗୁରୁକୁଳର ଶତବାର୍ଷିକ ସମାରୋହରେ ଯୋଗ ଦେବା ସହିତ ଶ୍ରୀ ସିଦ୍ଧାନ୍ତ ଶିଖାମଣି ଗ୍ରନ୍ଥର ୧୯ ଭାଷାର ଅନୁବାଦ ଓ ମୋବାଇଲ ଆପ୍ଲିକେସନକୁ ଉନ୍ମୋଚନ କରିଥିଲେ। ଏହି ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଓ ଅନ୍ୟମାନେ ଉପସ୍ଥିତି ଥିଲେ।



