www.samajalive.in
Thursday, December 11, 2025
15.1 C
Bhubaneswar

କରୋନା ଭୂତାଣୁର ମୁକାବିଲା : ସମଗ୍ର ବିଶ୍ବ ପାଇଁ ଚରମ ପରୀକ୍ଷାର ସମୟ

କରୋନା ଭୂତାଣୁ ଏବେ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଚୀନ୍‌ରେ ପ୍ରଥମକରି ସୃଷ୍ଟି ହୋଇଥିବା ଏଇ ଭୂତାଣୁ ସମଗ୍ର ଚିକିତ୍ସା ଜଗତ ପାଇଁ ଏକ ବିରାଟ ଆହ୍ବାନ; କାରଣ ଏହାର ପ୍ରତିଷେଧକ ଔଷଧ ନାହିଁ। କୁହାଯାଉଛି ଯେ ଚୀନର ଅତ୍ୟନ୍ତ ଅପରିଷ୍କାର ଆମିଷ ବଜାର ଏବଂ ସେଠାଲୋକଙ୍କର ଖାଇବା ଶୈଳୀ ଯୋଗୁଁ ଏଇ ନୂଆ ରୋଗ ଦେଖାଦେଇଛି। ଏହା ସାର୍ସ ଓ ବାର୍ଡ଼ ଫ୍ଲୁ ପରି ଏକ ସଂକ୍ରାମକ ବ୍ୟାଧି ଯାହାର ସଂକ୍ରମଣ ଦ୍ବାରା ମଣିଷକୁ ଥଣ୍ଡା, କାଶ, ଜ୍ବରସହ ଶ୍ବାସ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ। ରୋଗୀ କ୍ରମଶଃ ଅଧିକ ଅସୁସ୍ଥ ହୋଇ ନିମୋନିଆରେ ପ୍ରାଣ ହରାଏ। ଚୀନରେ ଏବେ ପ୍ରାୟ ୪୦୦ ଲୋକ ଏହି ବ୍ୟାଧିରେ ପ୍ରାଣ ହରାଇବା ସହ ହଜାରହଜାର ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ଗୋଟିଏ ଦେଶର ସୀମାସରହଦ ଅତିକ୍ରମ କରିବା ଆଜିକାର ଯୁଗରେ ଅତି ସହଜ। ମଣିଷରୁ ମଣିଷକୁ ବ୍ୟାପୁଥିବା ଏଇ ଭୂତାଣୁ ଫଳରେ ଚୀନରୁ ଆସୁଥିବା ଓ ସେଠାକୁ ଯାଉଥିବା ଲୋକେ ଏଥିରେ ସଂକ୍ରମିତ ହେବାର ଆଶଙ୍କା ଅଧିକ। ତେଣୁ ସାରା ବିଶ୍ବରେ ଏହି ବ୍ୟାଧିକୁ ନେଇ ଏକ ଆଲୋଡ଼ନ ସୃ​‌ଷ୍ଟି ହେବା ସ୍ବାଭାବିକ।
ଚୀନର ଅପରିଚ୍ଛନ୍ନ ପରିବେଶ ଏଭଳି ଭୂତାଣୁ ସୃଷ୍ଟିର କାରଣ ହୋଇଥିବାରୁ ଏସିଆ ସମେତ ବିଶ୍ବର ସବୁ ଦେଶ ଏହାର ସଂକ୍ରମଣ ରୋକିବାକୁ ଉଦ୍ୟମ ଚଳାଇଛନ୍ତି। ଭାରତସରକାର ମଧ୍ୟ ସାଧ୍ୟମତେ ଏଇ କାମ ଚଳାଇଛି। ତେବେ ଚିନ୍ତାର ବିଷୟ ହେଲା ଭାରତକୁ ଏହା ପ୍ରବେଶ କରିସାରିଛି। କେରଳର ତିନିଜଣ ଚୀନଫେରନ୍ତା ଏଥିରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଓଡ଼ିଶାକୁ ଏହାଯେ ନ ବ୍ୟାପିବ ତାହା କୁହାଯାଇ ନ’ପାରେ; ତଥାପି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସତର୍କ ରହିବା ଭଲକଥା। ବିଶ୍ବ ସ୍ବାସ୍ଥ୍ୟସଂଗଠନ ଏଇ ବ୍ୟାଧିକୁ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କରିଛି। ଏହାର ଅର୍ଥ ଏଇ ବ୍ୟାଧିକୁ ନିୟନ୍ତ୍ରଣ କରିବାରେ ଚୀନ ସରକାର ବିଫଳ। ଚୀନ ସରକାର ନୂଆନୂଆ ଡାକ୍ତରଖାନାମାନ ଖୋଲି ଏହାର ମୁକାବିଲା ପାଇଁ ଉଦ୍ୟମ ଚଳାଇଥିଲେ ମଧ୍ୟ ପରିସ୍ଥିତିର ଭୟାବହତା ଘେନି ଏକ ପ୍ରକାର ହାତଟେକି ଦେଇଛନ୍ତି।
ଚୀନ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଓ ସମ୍ବଳବାନ ରାଷ୍ଟ୍ର। ବିଶ୍ବର ଅର୍ଥନୀତି, ରାଜନୀତି, କୂଟନୀତି ଓ ଅନ୍ୟାନ୍ୟ ସବୁ ପ୍ରମୁଖ କ୍ଷେତ୍ରରେ ଚୀନ ବିସ୍ତାରବାଦୀ ଭୂମିକା ନିଜର ପ୍ରଚଣ୍ଡ ଶକ୍ତିଦ୍ବାରା ନିର୍ବାହ କରୁଥିବାରୁ ଅଧିକାଂଶ ଦେଶ ତାହାକୁ ଭଲ ପାଆନ୍ତି ନାହିଁ। ଏବେ ସେ ଦେଶ ଏ ଶତାବ୍ଦୀର ସବୁଠୁ ବଡ଼ ବ୍ୟାଧିର ଉତ୍ପତ୍ତିସ୍ଥଳ ପାଲଟିଥିବାରୁ ଏବେ ଚୀନ ପ୍ରତି ସାରା ବିଶ୍ବର ଏକ ନକାରାତ୍ମକ ମନୋଭାବ ସୃଷ୍ଟି ହୋଇଛି। ଚୀନ ଓ ଏହାର ନାଗରିକଙ୍କ ପ୍ରତି ବିରୋଧଭାବନା ବିଶ୍ବବ୍ୟାପୀ ଦେଖାଦେଇଛି। ଜାପାନ, କୋରିଆ, ଇଣ୍ଡୋନେସିଆ, ସିଂଗାପୁର, ଫିଲିପାଇନ୍ସ ଭଳି ଏସୀୟ ରାଷ୍ଟ୍ର ମଧ୍ୟ ଚୀନ ଓ ଏହାର ନାଗରିକଙ୍କୁ ଏକ ପ୍ରକାର ସାମାଜିକ ବାସନ୍ଦ କରିବା ଆରମ୍ଭ କରିଦେଲେଣି। ଏସବୁ ଦେଶରେ ଥିବା ଚୀନ ହୋଟେଲ ଓ ରୋସ୍ତୋରାଁକୁ ବନ୍ଦ କରି ଦିଆଯିବାସହ ସେଠାରେ ଥିବା ଚୀନ ନାଗରିକଙ୍କୁ ହୋଟେଲ ଓ ସର୍ବସାଧାରଣ ସ୍ଥାନକୁ ଯିବାକୁ ଅନୁମତି ଦିଆଯାଉନାହିଁ। ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆମେରିକା ମହାଦେଶର ବିିଭିନ୍ନ ରାଷ୍ଟ୍ରରେ ମଧ୍ୟ ସମାନ ଚୀନ ବିରୋଧୀ ମନୋଭାବ। ମଡ଼କ ଓ ବ୍ୟାଧିକୁ ଲୋକଙ୍କର ଭୟ ଅଧିକ। ସେଇ ଦୃଷ୍ଟିରୁ ଏଇ ଘୃଣାଭାବ ଚୀନ ପ୍ରତି ସୃଷ୍ଟି ହେବା ସ୍ବାଭାବିକ।
ଚୀନର ଏଇ ସ୍ଥିତି ନିକଟ ଭବିଷ୍ୟତରେ ସୁଧୁରିବା ସମ୍ଭାବନା କମ୍‌। ତେଣୁ ଏହାର ପ୍ରଭାବ ଚୀନର ବାଣିଜ୍ୟ, ବୈଦେଶିକ ସମ୍ପର୍କ, ଅର୍ଥନୀତି ରାଜନୀତି ଓ କୂଟନୀତିକୁ ପ୍ରଭାବିତ କରିବା ପ୍ରାୟ ନିଶ୍ଚିତ। ସର୍ବଭୁକ୍‌ ଭାବେ ବିବେଚିତ ଚୀନବାସୀଙ୍କ ପାଇଁ ଏଇ ମହାମାରୀ ଏକ ବଡ଼ ପରୀକ୍ଷାର ସମୟ। ସାରା ବିଶ୍ବକୁ ନିଜର ସାମରିକ ଶକ୍ତିବଳରେ ଧମକାଉଥିବା ଚୀନ ଏବେ ବ୍ୟାଧି ଓ ମଡ଼କ ଆଗରେ ଏକପ୍ରକାର ନତମସ୍ତକ। ଆନ୍ତର୍ଜାତିକସ୍ତରରେ ମଧ୍ୟ ଏହାର ପ୍ରତିଷ୍ଠାରେ ବଡ଼ ଆଞ୍ଚ ଆସିଛି। ପ୍ରାୟ ୧୪୦କୋଟି ଜନସଂଖ୍ୟାକୁ ନେଇ ଆର୍ଥିକ ଓ ବୈଷୟିକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଥିବା ଏଇ ଅନ୍ୟତମ ମହାଶକ୍ତି ନିଜର ଅସ୍ବାସ୍ଥ୍ୟକର ପରିବେଶ ଓ ଖାଦ୍ୟାଭ୍ୟାସ ଯୋଗୁଁ ଏକ ଭୟାବହ ନୂଆ ବ୍ୟାଧିର ଉତ୍ପତ୍ତିସ୍ଥଳ ହୋଇ ସମସ୍ତଙ୍କର ସମାଲୋଚନାର ପାତ୍ର ପାଲଟିଛି। ଚୀନ ନିଜର ଚିକିତ୍ସା ବିଜ୍ଞାନ ଓ ଗବେଷଣାଦ୍ବାରା ଏଇ ବ୍ୟାଧିକୁ ନିୟନ୍ତ୍ରଣ କରିବାରେ କେତେ ସଫଳ ହେବ ତାହା ସମୟ ହିଁ କହିବ। ଯଥାର୍ଥରେ ଏହା ସମଗ୍ର ବିଶ୍ବପାଇଁ ଏକ ଚରମ ପରୀକ୍ଷାର ଘଡ଼ି।
ତେବେ ଅବଶିଷ୍ଟ ବିଶ୍ବ ଏହାକୁ କେବଳ ଚୀନର ସମସ୍ୟା କହି ବସି ରହିପାରିବ ନାହିଁ। ବିଶ୍ବ ସ୍ବାସ୍ଥ୍ୟସଂଗଠନ ଓ ବିଭିନ୍ନ ଉନ୍ନତ ରାଷ୍ଟ୍ର ଏ କ୍ଷେତ୍ରରେ ପ୍ରତିଷେଧକ ଔଷଧ, ଟିକା ଓ ଇଞ୍ଜେକ୍ସନ ଆଦି ବାହାର କରିବାକୁ ଲାଗିପଡ଼ିଛନ୍ତି। ଏହା ନିଶ୍ଚୟ ସ୍ବାଗତଯୋଗ୍ୟ। ସଂକ୍ରମଣଜନିତ ବ୍ୟାଧି ଓ ମଡ଼କ କୌଣସି ରାଜନୈତିକ ଭୂଖଣ୍ଡ ମଧ୍ୟରେ ସୀମିତ ରହିନଥାଏ। ଭାରତ ପାଇଁ ଚିନ୍ତାର ବିଷୟ ହେଲା ଏହା ଚୀନର ପଡ଼ୋଶୀ ଏବଂ ଦୁଇଦେଶ ମଧ୍ୟରେ ଲୋକଙ୍କ ଗତାଗତ ଥିବାରୁ ଏହାର ସଂକ୍ରମଣକୁ ରୋକିବା ସହଜ ନୁହେଁ। ବିଶ୍ବର ଦ୍ବିତୀୟ ସର୍ବବୃହତ ଜନସଂଖ୍ୟା ଥିବା ଭାରତରେ ଏହା ଯଦି କାୟାବିସ୍ତାର କରିବ ତେବେ ଆମ ଅର୍ଥନୀତି ଓ ଦେଶର ସ୍ଥିତି ଭୁଶୁଡ଼ି ପଡ଼ିବ।
ପ୍ରତିଷେଧକ ସର୍ବଦା ନିରାକରଣଠାରୁ ଭଲ। ଆମ ଦେଶର ସ୍ବାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ସେତେ ଭଲ ନୁହେଁ। ତେଣୁ ଲୋକେ ନିଜେ ଏଥିପ୍ରତି ସତର୍କ ରହିବାସହ ଖାଦ୍ୟପାନୀୟରେ ସଂଯମ ଆଚରଣ କରିବା ଉଚିତ। ଓଡ଼ିଶାସରକାର ଓ ରାଜ୍ୟବାସୀଙ୍କୁ ମଧ୍ୟ ଏଥିପାଇଁ ସତର୍କ ରହିବାକୁ ପଡ଼ିବ। ଶାସ୍ତ୍ର କହେ ଅନାଚାର ଓ ବିଶୃଙ୍ଖଳିତ ଜୀବନଚର୍ଯ୍ୟା ମହାମାରୀ ସୃଷ୍ଟିକରେ ଯାହା ସଂହାରର ଗୋଟିଏ ପ୍ରକ୍ରିୟା। ଅଧୁନିକ ମଣିଷ ଏହାକୁ ଭୁଲିଯିବା ଅନୁଚିତ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories