Patra electronics

ଲୋକସଭା ଓ ବିଧାନସଭାଗୁଡିକରେ ସଂରକ୍ଷଣ ୧୦ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ନୂଆଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‍ର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କ୍ୟାବିନେଟ୍‍ ନାଗରିକ ସଂଶୋଧନ ବିଲ୍‍କୁ ଅନୁମୋଦନ କରିଛି। କ୍ୟାବିନେଟ୍‍ ବୈଠକ ପରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଏହି ବିଲରେ ଭାରତର ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯାଇଛି ଓ ଖୁବ୍‍ ଶୀଘ୍ର ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବ।

ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚିତ ଜାତି ଓ ଉପଜାତି ବର୍ଗ ପାଇଁ ସଂରକ୍ଷଣକୁ ଆଉ ୧୦ ବର୍ଷ ସମ୍ପ୍ରସାରଣ କରାଯିବାକୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ଅନୁସୂଚିତ ଜାତି ଓ ଉପଜାତି ବର୍ଗ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସଂରକ୍ଷଣର ଅବଧି ୨୦୨୦ ଜାନୁଆରୀ ୨୫ ତାରିଖରେ ଶେଷ ହେବ। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‍ ୨୦୧୯କୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ଏହି ବିଲ୍‍କୁ ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଆଗତ କରାଯିବ। ସେହିପରି ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଦ୍ୱିତୀୟ ସଂଶୋଧନ ବିଲ୍‍ ୨୦୧୯ ମଧ୍ୟ କ୍ୟାବିନେଟ୍‍ର ଅନୁମୋଦନ ଲାଭ କରିଛି।

ଭାରତ ବଣ୍ଡ ଏକ୍ସଚେଞ୍ଜ ଟ୍ରେଡେଡ୍‍ ଫଣ୍ଡ ଆରମ୍ଭ କରିବାକୁ କ୍ୟାବିନେଟ୍‍ ମଞ୍ଜୁରୀ ପ୍ରଦାନ କରିଛି। ଏହାଦ୍ୱାରା ରାଷ୍ଟ୍ରାୟତ ଉଦ୍ୟୋଗ ଓ ଅନ୍ୟ ସରକାରୀ ସଂଗଠନଗୁଡ଼ିକୁ ଅତିରିକ୍ତ ଅର୍ଥ ଯୋଗାଇ ଦିଆଯାଇପାରିବ। ଭାରତ ବଣ୍ଡ ଏକ୍ସଚେଞ୍ଜ ଟ୍ରେଡେଡ୍‍ ଫଣ୍ଡ ଦେଶର ପ୍ରଥମ ଉଦ୍ୟୋଗ ବଣ୍ଡ ଇ.ଟି.ଏଫ୍‍. ହେବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସରକାର ଦେଶରେ ବଣ୍ଡ ବଜାରକୁ ଅଧିକ ସକ୍ରିୟ କରିବାକୁ ପ୍ରଚେଷ୍ଟା ଚଳେଇଛନ୍ତି। ସରକାର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍‍କୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହି ବିଲ୍‍ ଅନୁସାରେ ତିନୋଟି ଡିମଡ଼ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରାଯାଇ ପାରିବ। ଏହି ବିଲ୍‍ ଖୁବ୍‍ ଶୀଘ୍ର ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ। ପ୍ରଗତି ମଇଦାନଠାରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ ପାଇଁ ଜମି ବିକ୍ରୟକୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ପ୍ରଗତି ମଇଦାନକୁ ଏକ ଆନ୍ତର୍ଜାତିକ ସ୍ତରୀୟ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ଭାବେ ବିକଶିତ କରିବା ଲାଗି ଏକ ବୃହତ୍‍ ପ୍ରକଳ୍ପର କାର୍ଯ୍ୟକୁ ଆଇ.ଟି.ପି.ଓ. ହାତକୁ ନେବ।

ପିତାମାତା ଓ ବରିଷ୍ଠ ନାଗରିକମାନଙ୍କର ଯତ୍ନ ସଂଶୋଧନ ବିଲ୍‍ ୨୦୧୯କୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ପିତାମାତା ଓ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ଆଇନ୍‍ ୨୦୦୭ରେ ସଂଶୋଧନ ପାଇଁ ଏହି ବିଲ୍‍ରେ ବ୍ୟବସ୍ଥା ରହିଛି। ଭାରତ ଓ ମାଳଦୀପ ମଧ୍ୟରେ ନିର୍ବାଚନ ପରିଚାଳନା ଓ ପ୍ରଶାସନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶର ନିର୍ବାଚନ କମିଶନଙ୍କ ମଧ୍ୟରେ ଏକ ଏମ୍‍.ଓ.ୟୁ.କୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ଏହି ଏମ୍‍.ଓ.ୟୁ. ଅନୁସାରେ ଦୁଇ ଦେଶ ପରସ୍ପର ମଧ୍ୟରେ ଜ୍ଞାନ ଓ ଅଭିଜ୍ଞତାର ଆଦାନ ପ୍ରଦାନ କରିବେ।

Comments are closed.