ନୂଆଦିଲ୍ଲୀ: ଭାରତ ଓ ଫିଲିପାଇନ୍ସ ଆତଙ୍କବାଦର ଦୃଢ଼ ନିନ୍ଦା କରିବା ସହିତ ଏହି ବିଶ୍ୱସ୍ତରୀୟ ବିପତ୍ତିର ମୁକାବିଲା ଦିଗରେ ଉଭୟ ଦେଶ ସେମାନଙ୍କର ସହଯୋଗ ଜାରି ରଖିବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡଟେର୍ଟ କହିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତରେ ଏକ ସୁଦୃଢ଼ ଭାଗିଦାରୀକୁ ନେଇ ଦୁଇନେତା ଆଶାବାଦୀ ଅଛନ୍ତି। ଏକ ୫ ଦିନିଆ ଗସ୍ତରେ କୋବିନ୍ଦ ଫିଲିପାଇନ୍ସ ଗସ୍ତରେ ଯାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ଟ୍ୱିଟ୍ ଯୋଗେ କହିଛନ୍ତି, ଉଭୟ ରାଷ୍ଟ୍ର ଆତଙ୍କବାଦର ଦୃଢ଼ ନିନ୍ଦା କରିବା ସହିତ ଏହି ବିଶ୍ୱସ୍ତରୀୟ ବିପତ୍ତି ବିରୁଦ୍ଧରେ ଲଢ଼େଇ ପାଇଁ ସହଯୋଗ ଜାରି ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ସେ କହିଛନ୍ତି, ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ଏବେ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ଉଭା ହୋଇଛି।
ସେ ଆହୁରି କହିଛନ୍ତି କୋବିନ୍ଦ ଏବଂ ଡଟେର୍ଟ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଅଙ୍ଗୀକାରବଦ୍ଧ ହେବା ସହ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଥିବା ସଂପର୍କ ଭବିଷ୍ୟତରେ ଆହୁରି ମଜବୁତ ହୋଇପାରିବ ଆଶା ପ୍ରକାଶ କରିଛନ୍ତି। ରବିଶ କୁମାର କହିଛନ୍ତି ରାଷ୍ଟ୍ରପତି ଡଟେର୍ଟ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଭୂମିକାର ପ୍ରଶଂସା କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଭାରତ- ଫିଲିପାଇନ୍ସ ବାଣିଜ୍ୟ ସମ୍ମିଳନୀ ଓ ମାନିଲାଠାରେ ଆୟୋଜିତ ଚତୁର୍ଥ ଆସିଆନ୍ ଭାରତ ବ୍ୟବସାୟ ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ଦେଶର ଆକ୍ଟ-ଇଷ୍ଟ ନୀତି ଯୋଗୁଁ ଆସିଆନ-ଭାରତ ସଂପର୍କ ଏକ ସ୍ୱତନ୍ତ୍ର ସ୍ଥାନ ପାଇପାରିଛି ବୋଲି ମତ ଦେଇଛନ୍ତି।



