ମୁମ୍ବାଇ: ଇଣ୍ଡିଆ ଟିଭି ଅଧ୍ୟକ୍ଷ ତଥା ସମାଚାର ମୁଖ୍ୟ ରଜତ ଶର୍ମା ପୁଣି ତୃତୀୟ ଥର ପାଇଁ ସମ୍ବାଦ ପ୍ରସାରକ ସଂଘର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେ ଏହି ପଦବୀରେ ୨୦୧୭ ଠାରୁ କାର୍ଯ୍ୟ କରି ଆସୁଛନ୍ତି। ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ଏନବିଏର ଦ୍ୱାଦଶ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠିତ ବୈଠକରେ ଦେଶର ପ୍ରମୁଖ ଟିଭି ଚ୍ୟାନେଲଗୁଡିକର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସଂଘର ଅନ୍ୟ ବୋର୍ଡ ସଭ୍ୟମାନଙ୍କ ମଧ୍ୟରେ ନ୍ୟୁଜ୨୪ର ପରିଚାଳନା ନିର୍ଦ୍ଦେଶକ ଅନୁରାଧା ପ୍ରସାଦ ଶୁକ୍ଲା, ଟାଇମ୍ସ ନେଟୱର୍କର ପରିଚାଳନା ନିର୍ଦ୍ଦେଶକ ଏମ. କେ. ଆନନ୍ଦ, ଟିଭି ୧୮ର ରାହୁଲ ଯୋଶୀ, ଏବିପି ନ୍ୟୁଜର ଅବିନାଶ ପାଣ୍ଡେ, ମାତୃଭୁମିର ଏମ. ବି. ଶ୍ରେୟମ୍ସ କୁମାର, ଇନାଡୁ ଟିଭି ନିର୍ଦ୍ଦେଶକ ଆଇ. ଭେଙ୍କଟ, ଟିଭି ଟୁଡେର କାଳୀ ପୁରୀ ବାଦଲ ଏବଂ ଏନ୍ଡ଼ିଟିଭିର ସୋନିଆ ସିଂ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।
ସୂଚନା ଯୋଗ୍ୟ, ସମ୍ବାଦ ପ୍ରସାରକ ସଂଘ – ଏନବିଏ ସମ୍ବାଦ ଓ ସାମ୍ପ୍ରତିକ ଘଟଣାବଳୀକୁ ନେଇ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ବେସରକାରୀ ଟିଭି ଚ୍ୟାନେଲଗୁଡିକୁ ନେଇ ଗଠିତ। ଏବେ ଏନବିଏରେ ୨୭ଟି ଟିଭି ଚ୍ୟାନେଲ ସଦସ୍ୟ ରହିଛନ୍ତି।



