www.samajalive.in
Friday, December 12, 2025
19.1 C
Bhubaneswar

ବୁଧବାର ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍

ମୋହାଲି: ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ବର୍ଷାରେ ଧୋଇବା ପରେ ବୁଧବାର ପିସିଏ ଷ୍ଟାଡିୟମ୍‌ରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ୨ୟ ମ୍ୟାଚ୍ ଖେଳାଯିବ। ତେବେ କ୍ରିକେଟପ୍ରେମୀଙ୍କ ପାଇଁ ଏହା ଏକ ଖୁସିର ଖବର ଯେ ବୁଧବାର ମୋହାଲିର ପାଗ ଶୁଖିଲା ରହିବ ଏବଂ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଆରମ୍ଭହେବ। ଏହି ମ୍ୟାଚ୍‌ରୁ ଭାରତୀୟ ଦଳର ୨୦୧୯-୨୦ ଘରୋଇ ସିଜିନ୍ ଆରମ୍ଭହେବ। ପୁଣି ଏହି ମ୍ୟାଚ୍‌ରୁ ଆସନ୍ତାବର୍ଷ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ଲାଗି ଭାରତର ପ୍ରସ୍ତୁତି ଆରମ୍ଭହେବ। ଉକ୍ତ ବିଶ୍ବକପ୍ ପାଇଁ ଯୁବ ଖେଳାଳିଙ୍କଠାରୁ ଦଳ କ’ଣ ଆଶାରଖିଛି; ତାହା ଭାରତୀୟ ଅଧିନାୟକ ବିରାଟ କୋହଲି ଜଣାଇ ଦେଇଛନ୍ତି। ଭାରତୀୟ ଟ୍ବେଣ୍ଟି୨୦ ଦଳର ନିୟମିତ ଖେଳାଳିଙ୍କ ସହ କିଛି ଯୁବ ବୋଲର ଏହି ମ୍ୟାଚ୍‌ରେ ଖେଳିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ କ୍ବିଣ୍ଟନ ଡି କକ୍‌ଙ୍କ ନେତୃତ୍ବରେ ଏକ ଅନଭିଜ୍ଞ ଦଳ ଭାରତର ମୁକାବିଲା କରିବ। ଦଳରେ ଫାଫ୍‌ ଡୁ ପ୍ଲେସି କିମ୍ବା ଅବସର ନେଇଥିବା ହାସିମ୍ ଆମ୍‌ଲା ନାହାନ୍ତି। ପୁଣି କାଗିସୋ ରାବାଡ଼ାଙ୍କୁ ଛାଡ଼ି ଅଭିଜ୍ଞ ବୋଲର ନାହାନ୍ତି। ତେଣୁ ଭାରତ ଏହି ମ୍ୟାଚ୍‌ରେ ଫେଭରିଟ୍‌ର ମାନ୍ୟତା ପାଇଛି।
ଦୁଇଦିନ ହେଲା ଦକ୍ଷିଣ ଆଫ୍ରିକା ଓ ଭାରତୀୟ ଦଳ ମୋହାଲିରେ ପହଞ୍ଚି ଅଭ୍ୟାସ କରିଛନ୍ତି। ନିକଟରେ ଭାରତ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍‌କୁ ୩-୦ରେ ପୋଛିନେଇଛି। ତେବେ ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ଋଷଭ ପନ୍ତ୍‌ଙ୍କ ଉପରେ ରହିବ। ପନ୍ତ୍ ଯେପରି ୱ୍ିକେଟ ଫିଙ୍ଗୁଛନ୍ତି; ତାହା ଉପରେ ଧ୍ୟାନଦେବା ପାଇଁ ଏହି ବାମହାତିଙ୍କୁ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଜଣାଇ ଦେଇଛନ୍ତି। ଧୋନିଙ୍କ ଅନୁପସ୍ଥିତିରେ ସୁଯୋଗ ହାତଛଡ଼ା ନ କରିବା ଲାଗି ପନ୍ତ୍‌ଙ୍କୁ ଜଣାଇ ଦିଆଯାଇଛି। ୨୦୧୭ ଫେବୃୟାରୀରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ପନ୍ତ୍‌ ଆଉ ଦଳ ପାଇଁ ଯୁବ ଖେଳାଳି ନୁହନ୍ତି। ଭାରତୀୟ ଏକାଦଶରେ ୩ଟି ସ୍ଥାନକୁ ନେଇ ଦଳ ମ୍ୟାନେଜମେଣ୍ଟକୁ ବିଚାର କରିବାକୁ ପଡ଼ିପାରେ। ଉପଅଧିନାୟକ ରୋହିତ ଶର୍ମା ଓପ୍‌ନର ଭାବେ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୨ୟ ଓପ୍‌ନର ଭାବେ ଶିଖର ଧାୱନ୍ ଓ କେ.ଏଲ୍‌. ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ। ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜା ଓ ଯୁବ ଲେଗ୍‌ସ୍ପିନର ରାହୁଲ ଚହରଙ୍କ ମଧ୍ୟରୁ ଜଣେ ଖେଳିବେ। ଦୀପକ ଚହର ଓ ନବଦୀପ ସୈନି ପେସ୍ ବୋଲର ଭାବେ ଖେଳିବା ନିଶ୍ଚିତ। ଅଲ୍‌ରାଉଣ୍ଡର ଭାବେ ଦୁଇ ଭାଇ ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟା ଖେଳିବେ। ଦକ୍ଷିଣ ଆଫ୍ରିକା ପାଇଁ ମୁଣ୍ଡବିନ୍ଧାର କାରଣ ହେବେ ଅଧିନାୟକ ବିରାଟ କୋହଲି। ଏବେ କୋହଲି ଚମତ୍କାର ଫର୍ମରେ। ୪ନଂ ସ୍ଥାନରେ ମନୀଷ ପାଣ୍ଡେ କିମ୍ବା ଶ୍ରେୟାସ ଆୟରଙ୍କ ମଧ୍ୟରୁ ଜଣେ ଖେଳିବେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆୟର ଭଲ ବ୍ୟାଟିଂ କରିଥିଲେ। ନୂଆବଲ୍‌ରେ ବୋଲିଂ କରିବାର ସୁଯୋଗ ଅଫ୍‌ସ୍ପିନର ୱାଶିଂଟନ ସୁନ୍ଦରଙ୍କୁ ମିଳିପାରେ। ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଅନୁପସ୍ଥିତିରେ ରାହୁଲ ଚହର ଓ ୱାଶିଂଟନ ଦଳରେ ସ୍ଥାନ ପକ୍କା କରିବାକୁ ଚାହିଁବେ।
କାଗିସୋ ରାବାଡ଼ା ନୂଆବଲ୍‌ରେ ଭାରତୀୟ ଓପ୍‌ନରଙ୍କୁ ଅସୁବିଧାରେ ପକାଇ ପାରନ୍ତି। ଜୁନିୟର ଡାଲା ମଧ୍ୟ ଭଲ ବୋଲର। ଟ୍ବେଣ୍ଟି୨୦ କ୍ରିକେଟରେ ଡାଲା ୭ଟି ବଲ୍‌ରେ ରୋହିତ ଶର୍ମାଙ୍କୁ ୩ ଥର ଆଉଟ କରିଛନ୍ତି। ପୁଣି ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଅଧିନାୟକ କ୍ବିଣ୍ଟନ୍ ଡି କକ୍‌ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ତେବେ ନେତୃତ୍ବ ନେବା ଚାପକୁ ଡି କକ୍ କିପରି ପ୍ରତିହତ କରି ପାରୁଛନ୍ତି; ତାହା ମଧ୍ୟ ଦେଖିବାର କଥା। ରିଜା ହେଣ୍ଡ୍ରିକ୍‌ସ ଦକ୍ଷିଣ ଆଫ୍ରିକା ‘ଏ’ ଦଳ ପାଇଁ ଭାରତରେ ଗତ ୩ ସପ୍ତାହ ହେଲା ଖେଳି ଏଠାକାର ପିଚ୍ ଓ ବାତାବରଣ ସହ ନିଜକୁ ଖାପ୍ ଖୁଆଇ ପାରିଛନ୍ତି। ମଧ୍ୟକ୍ରମରେ ଖେଳିବେ ତେମ୍ବା ବାଭୁମା ଓ ପ୍ରତିଭାବାନ ରାସି ଭାନ୍ ଡ୍ୟୁସେନ୍। ଏକାଧିକ ଦେଶରେ ପେସାଦାର ଟ୍ବେଣ୍ଟି୨୦ ଲିଗ୍ ଖେଳିବାର ଅଭିଜ୍ଞତା ଭାନ୍ ଡ୍ୟୁସେନ୍‌ଙ୍କ ରହିଛି। ତେବେ ଦକ୍ଷିଣ ଆଫ୍ରିକା ମଧ୍ୟକ୍ରମରେ ଅଭିଜ୍ଞ ଡେଭିଡ୍‌ ମିଲରଙ୍କ ଉପରେ ବହୁତ ନିର୍ଭର କରିବ। ଏକାଧିକ ଥର ଟ୍ବେଣ୍ଟି୨୦ କ୍ରିକେଟରେ ବାମହାତି ମିଲର ଆକ୍ରମଣାତ୍ମକ ବ୍ୟାଟିଂକରି ଦଳକୁ ଜିତାଇଛନ୍ତି। ଆନ୍ଦିଲେ ଫେଲୁକ୍ବାୟୋ ଓ ଆନ୍‌ରିଜ୍ ନୋର୍ଜେ ଅଲ୍‌ରାଉଣ୍ଡର ଭୂମିକା ନିର୍ବାହ କରିବେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories