www.samajalive.in
Friday, December 12, 2025
19.1 C
Bhubaneswar

ଓସିଏ ନିର୍ବାଚନ ‘ଅଯୋଗ୍ୟ ଘୋଷିତ କର୍ମକର୍ତ୍ତା ଭୋଟ୍‌ ଦେଇପାରିବେ’:ସ୍ପଷ୍ଟୀକରଣ ଦେଲେ ନିର୍ବାଚନ ଅଧିକାରୀ

କଟକ: ନୂତନ ସମ୍ବିଧାନ ଅନୁସାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୨୭ରେ ଏହି ପ୍ରତୀକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନୂତନ ସମ୍ବିଧାନ ଅନୁସାରେ ନିର୍ବାଚନ ହେଉଥିବାରୁ କିଛି ପ୍ରସଙ୍ଗରେ ଦ୍ବନ୍ଦ୍ବ ଓ ଅନିଶ୍ଚିତତା ରହିଥିଲା। ଏପରି ପ୍ରସଙ୍ଗ ନେଇ ଓସିଏର ନିର୍ବାଚନ ଅଧିକାରୀ ଏମ୍.ଏଲ୍‌. ମଜୁମଦାରଙ୍କୁ କିଛି ସଦସ୍ୟ ଭେଟିିଥିଲେ ଏବଂ ଇ-ମେଲ୍ ଜରିଆରେ ସ୍ପଷ୍ଟୀକରଣ ମାଗିଥିଲେ। ସମସ୍ତ ପ୍ରସଙ୍ଗ ଉପରେ ନିର୍ବାଚନ ଅଧିକାରୀ ମଜୁମଦାର ମଙ୍ଗଳବାର ସ୍ପଷ୍ଟୀକରଣ ଦେଇଛନ୍ତି। ଫଳରେ ଓସିଏର ସଦସ୍ୟତା, ଭୋଟଦାନ ଅଧିକାର ଏବଂ କର୍ମକର୍ତ୍ତା ହେବାର ଯୋଗତା ନେଇ ଥିବା ସମସ୍ତ ପ୍ରସଙ୍ଗ ସ୍ପଷ୍ଟ ହୋଇଯାଇଛି ଏବଂ ଦ୍ବନ୍ଦ୍ବ ହଟିଯାଇଛି।
ଓସିଏ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ରବିବାର ପ୍ରକାଶ ପାଇଥିଲା। ଉକ୍ତ ଭୋଟର ତାଲିକାରେ ଲୋଧା କମିଟି ସୁପାରିସ ଆଧାରରେ ଅଯୋଗ୍ୟ ଘୋଷିତ ହୋଇଥିବା ଓସିଏର କିଛି ପୂର୍ବତନ କର୍ମକର୍ତ୍ତା ସ୍ଥାନ ପାଇଥିଲେ। ତେବେ ଏହି ଅଯୋଗ୍ୟ ଘୋଷିତ କର୍ମକର୍ତ୍ତା ଓସିଏ ନିର୍ବାଚନରେ ଭୋଟ ଦେଇପାରିବେ କି ନାହିଁ; ତାହା ମୁଖ୍ୟ ପ୍ରଶ୍ନବାଚୀ ଥିଲା। ଏହି ସମ୍ପର୍କରେ ସୋମବାର ସୁପ୍ରିମକୋର୍ଟ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ସ୍ପଷ୍ଟୀକରଣ ଦେଇ ସେମାନେ ଭୋଟ ଦେଇପାରିବେ ବୋଲି କହିଥିଲେ। ପୁଣି ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି କହି ଦେଇଥିଲେ। ତେବେ ଏହି ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗରେ ମଙ୍ଗଳବାର ଓସିଏ ନିର୍ବାଚନ ଅଧିକାରୀ ଏମ୍.ଏଲ୍‌. ମଜୁମଦାର ପୁନଃ ସ୍ପଷ୍ଟୀକରଣ ଦେଇଛନ୍ତି। ମଜୁମଦାରଙ୍କ ଅନୁସାରେ; ଅଯୋଗ୍ୟ ଘୋଷିତ କର୍ମକର୍ତ୍ତା ଓସିଏ ନିର୍ବାଚନ ଲଢ଼ିପାରିବେ ନାହିଁ। ତେବେ ସେ ନିର୍ବାଚନରେ ଭୋଟ ଦେଇପାରିବେ ଏବଂ କୌଣସି ପ୍ରାର୍ଥୀଙ୍କ ନାମର ପ୍ରସ୍ତାବକ ଓ ସମର୍ଥକ ହୋଇପାରିବେ। ଲୋଧା କମିଟି ସୁପାରିସ ଅନୁଯାୟୀ, ୭୦ ବର୍ଷ ବୟସର ହୋଇଥିଲେ, ମନ୍ତ୍ରୀ କିମ୍ବା ସରକାରୀ କର୍ମଚାରୀ ହୋଇଥିଲେ ଏବଂ ବିସିସିଆଇ ଓ ରାଜ୍ୟ ଆସୋସିଏସନ୍‌​ରେ ପୃଥକ୍ ଭାବେ ୯ ବର୍ଷ ଲେଖାଏଁ କର୍ମକର୍ତ୍ତା ରହିଥିଲେ; ଉକ୍ତ କର୍ମକର୍ତ୍ତା ଅଯୋଗ୍ୟ ଘୋଷିତ ହେବେ। ତେବେ ସେମାନେ ଓସିଏ ନିର୍ବାଚନରେ ଭୋଟ ଦେଇପାରିବେ ଏବଂ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଏସ୍‌ଜିଏମ୍‌)ରେ ଭାଗ ନେଇପାରିବେ। ପୁଣି କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ମଜୁମଦାର। ତାଙ୍କ ଅନୁସାରେ, ଓସିଏର ପୁରୁଣା ସମ୍ବିଧାନରେ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୪ ବର୍ଷ ଥିବା ବେଳେ ନୂତନ ସମ୍ବିଧାନରେ ଏହା ୩ ବର୍ଷ ହୋଇଯାଇଛି। କୌଣସି କର୍ମକର୍ତ୍ତା ୩ଟି କାର୍ଯ୍ୟକାଳ ରହିପାରିବେ ନାହିଁ କିମ୍ବା ତାଙ୍କର ସମୂହ କାର୍ଯ୍ୟକାଳ ୯ ବର୍ଷ ଅତିକ୍ରମ କରିବନାହିଁ। ଯଦି ଜଣେ କର୍ମକର୍ତ୍ତା ଗତଥର ଓସିଏରେ ୪ ବର୍ଷ ଲାଗି ରହିଛନ୍ତି; ୨୭ରେ ହେବାକୁ ଥିବା ନିର୍ବାଚନରେ ସେ ଲଢ଼ିପାରିବେ ଏବଂ ୨ ବର୍ଷ କର୍ମକର୍ତ୍ତା ରହିବା ପରେ ତାଙ୍କୁ ୩ ବର୍ଷ ପଦ ଛାଡ଼ିବାକୁ ପଡ଼ିବ। ୩ ବର୍ଷ ପରେ ସେ ଆଉ ଥରେ (୩ ବର୍ଷ) କର୍ମକର୍ତ୍ତା ରହିପାରିବେ। ପୁଣି ଯଦି ଜଣେ କର୍ମକର୍ତ୍ତା ପୂର୍ବରୁ ୨ ଥର କର୍ମକର୍ତ୍ତା (୮ ବର୍ଷ) ରହିଛନ୍ତି; ସେ ୨୭ରେ ହେବାକୁ ଥିବା ନିର୍ବାଚନରେ ସେ ଲଢ଼ି ପାରିବେନାହିଁ। ୩ ବର୍ଷ କୁଲିଂ ଅଫ୍ ସମୟ ପରେ ସେ ଆଉ ମାତ୍ର ବର୍ଷେ କର୍ମକର୍ତ୍ତା ରହିପାରିବେ। ପୁଣି ଯଦି ଜଣେ କର୍ମକର୍ତ୍ତା ପୂର୍ବରୁ ୯ ବର୍ଷ କିମ୍ବା ଅଧିକ ସମୟ ଓସିଏର କର୍ମକର୍ତ୍ତା ରହିଛନ୍ତି; ସେ ତାଙ୍କ ଜୀବନ କାଳ ମଧ୍ୟରେ ଓସିଏର କର୍ମକର୍ତ୍ତା ହୋଇପାରିବେ ନାହିଁ। ତେବେ ସେ ବିସିସିଆଇର କର୍ମକର୍ତ୍ତା ହୋଇପାରିବେ। ପୁଣି ମଜୁମଦାର ସ୍ପଷ୍ଟ କରିଛନ୍ତି ଯେ ୨୦ରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଥିବା ଯେକୌଣସି ବ୍ୟକ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରା ଯାଇଥିବା ଫଟୋ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଜାରି କରା ଯାଇଥିବା ଆଦର୍ଶ ଆଚରଣ ବିଧିକୁ ସମସ୍ତେ କଡ଼ାକଡ଼ି ଭାବେ ମାନିବେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories