ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିରାମୟ ଯୋଜନାରେ ୨୭୨ ପ୍ରକାର ଔଷଧ ବଦଳରେ ମାତ୍ର ୭୦ ପ୍ରତିଶତ ଔଷଧ ମିଳୁଥିବା ଜଣାପଡିଛି। ୫’ଟି ସଚିବଙ୍କ ଗସ୍ତ ସମୟରେ ଏଭଳି ତଥ୍ୟ ମିଳିଛି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସମ୍ବଲପୁରରେ ନିରାମୟ ଯୋଜନାର ଏଭଳି ପରିସ୍ଥିତି ରାଜ୍ୟର ସ୍ୱାସ୍ଥ୍ୟ ସେବାର ଅଭାବନୀୟ ଚିତ୍ର ପଦାକୁ ଆଣିଛି।
ଶୁକ୍ରବାର ୫’ଟି ସଚିବ ଭି. କେ. ପାଣ୍ଡିଆନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସ୍ୱାସ୍ଥ୍ୟ କମିଶନର ଡାକ୍ତର ପ୍ରମୋଦ ମେହେର୍ଦ୍ଦା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେମାନେ ପ୍ରଥମେ ଶିଶୁ ଓ ମାତୃ ବିଭାଗ ପରିଦର୍ଶନ କରିଥିଲେ। ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେମାନେ ହସ୍ପିଟାଲ କର୍ମଚାରୀଙ୍କ ସେବା ଓ ବ୍ୟବହାର କିଭଳି ବୋଲି ମତାମତ ସଂଗ୍ରହ କରିଥିଲେ। ପରେ ସମ୍ପୃକ୍ତ ସଚିବ ଓ ସ୍ୱାସ୍ଥ୍ୟ କମିଶନର ହସ୍ପିଟାଲ କର୍ମଚାରୀଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଥିଲେ। ହସ୍ପିଟାଲ ପରିଦର୍ଶନ ସମୟରେ ସେମାନେ ସର୍ଜରୀ ୱାର୍ଡକୁ ଯାଇ ସ୍ୱାସ୍ଥ୍ୟ ସେବା ତଦାରଖ କରିଥିଲେ। ପ୍ରାୟ ୪୫ମିନିଟ ଧରି ସେମାନେ ହସ୍ପିଟାଲରେ ରହିଥିଲେ।
ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜିନୀ ପଣ୍ଡା କହିଛନ୍ତି ଯେ ହସ୍ପିଟାଲ ପରିଦର୍ଶନ ସମୟରେ ୫’ଟି ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ କମିଶନର ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଶଯ୍ୟା ବୃଦ୍ଧି ନେଇ ମେଡିକାଲ କର୍ତୃପକ୍ଷ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାପାଳ ଶୁଭମ ସାକ୍ସେନା ମଧ୍ୟ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ସଫଳ ଥିବା କହିଛନ୍ତି।



