ଝାଡାବାନ୍ତିରେ ୪୦ ଆକ୍ରାନ୍ତ, ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍
ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧୀନରେ ଥିବା ସେମିଳିଗୁଡା ବ୍ଲକର ମହକୁମାର ଗଉଡ ସାହିରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ୪୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଶିଶୁ ଥିବା ଜଣାପଡ଼ିଛି। ଖବର ପାଇ ସେମିଳିଗୁଡା ବ୍ଲକ ପ୍ରଶାସନ, ସେମିଳିଗୁଡା ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ପହଞ୍ଚି ଗ୍ରାମବାସୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ଆକ୍ରାନ୍ତଙ୍କୁ ଚିହ୍ନଟ କରି ଗାଁରେ ହିଁ ଚିକିତ୍ସା ବ୍ୟବସ୍ଥା କରିଥିଲେ। କାରଣ ଖୋଜିବାକୁ ଯାଇ ଗାଁର ପରିମଳ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଲୋକେ ବ୍ୟବହାର କରୁଥିବା ପାନୀୟ ଜଳର ବିଭିନ୍ନ ଉତ୍ସ ଗୁଡ଼ିକର ଯାଞ୍ଚ କରିଥିଲେ। ଗଉଡ ସାହିରେ ଥିବା ସମସ୍ତ ନାଳ ନର୍ଦ୍ଦମା, ଅପରିଷ୍କାର ସ୍ଥାନ ସମେତ ପାନୀୟ ଜଳର ଉତ୍ସ ଗୁଡିକର ବିଶୋଧନ କରାଯାଇଥିଲା। ଉପସ୍ଥିତ ସ୍ଵାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି ଆଶା କର୍ମୀ, ଲୋକ ପ୍ରତିନିଧିଙ୍କ ସମେତ ଗଉଡ ସାହି ବାସିନ୍ଦାଙ୍କୁ ଫୁଟା ପାଣି ବ୍ୟବହାର କରିବାକୁ ସଚେତନ କରାଯାଉଛି। ସ୍ଥିତି ପ୍ରତି ଜିଲ୍ଲା ପ୍ରଶାସନର କଡ଼ା ନଜର ରହିଥିବା କୋରାପୁଟ ଡାକ୍ତରୀ ଦଳର ନେତୃତ୍ୱ ନେଉଥିବା ଡାକ୍ତର ନୀଳ ମାଧବ ଶତପଥୀ ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିରେ ଯେପରି ଅନ୍ୟ କେହି ସଂକ୍ରମିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦିଆଯାଉଛି।
Comments are closed.