ରାତି ହେଲେ ନିଶାସକ୍ତ ଚାଳକଙ୍କ ଉତ୍ପାତ ବଢ଼ୁଛି। ଦ୍ରୁତଗତିରେ ଗାଡ଼ି ଚଳାଇ ଜନସାଧାରଣଙ୍କୁ ହଇରାଣ ହରକତ କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। କଟକ ଜିଲାରେ ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଏହାକୁ ରୋକିବା ଲାଗି ଗୁରୁତ୍ଵ ଦେଇଛି କଟକ ଗ୍ରାମାଞ୍ଚଳ ପୁଲିସ। ରାତିରେ ନିଶାସକ୍ତ ଚାଳକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୁଲିସ। ସେଥିପାଇଁ ବିଭିନ୍ନ ସ୍ଥାନରେ ନାଇଟ୍ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରାଯିବା ସହିତ ଚାଳକ ନିଶାଗ୍ରସ୍ତ ଅଛନ୍ତି କି ନାହିଁ ତାହା ତଦାରଖ କରୁଛି ପୁଲିସ।
ଶନିବାର ରାତିରେ ଗୋବିନ୍ଦପୁର ଅନ୍ତର୍ଗତ ଝାରପଡ଼ା ଛକ ଏବଂ ତାଣ୍ଡିକଣା ବ୍ରିଜ ନିକଟରେ ପୁଲିସ ପକ୍ଷରୁ ନାଇଟ୍ ବ୍ଲକିଂ କରାଯାଇ ଗାଡ଼ି ମୋଟର ଯାଞ୍ଚ କରାଯାଇଥିଲା। ଏହି ସମୟରେ ୩ଟି ଘଟଣା ସାମ୍ନାକୁ ଆସିଥିଲା। ଏ ନେଇ ୩ଟି ମାମଲା ରୁଜୁ ହୋଇଥିବାବେଳେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।



