Patra electronics

ଓଡ଼ିଶାରେ ନୂତନ ପ୍ରସ୍ତର ଯୁଗର ବସତି ଆବିସ୍କାର କରିଥିଲେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ୟ୍ୟ

ଓଡ଼ିଶା ଇତିହାସ କଂଗ୍ରେସର ପ୍ରତିଷ୍ଠା ଦିବସ ଏବଂ ଦ୍ବିତୀୟ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ୟ୍ୟ ସ୍ମାରକୀ ବକ୍ତୃତାମାଳା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଓଡ଼ିଶା ଇତିହାସ କଗ୍ରେସର ମିିଳିତ ଆନୁକୁଲ୍ୟରେ ଓଡ଼ିଶା ଇତିହାସ କଂଗ୍ରେସର ପ୍ରତିଷ୍ଠା ଦିବସ ଏବଂ ଦ୍ବିତୀୟ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ୟ୍ୟ ସ୍ମାରକୀ ବକ୍ତୃତାମାଳା ବାଣୀବିହାର ପିଜି କାଉନ୍‍ସିଲ୍‍ ହଲ୍‍ରେ ଅନୁଷ୍ଠିତ ହୋଇଯାଇଛି।
ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ରରେ ଅବଦାନ ଅତୁଳନୀୟ। ଓଡ଼ିଶାର ସଂସ୍କୃତି ଓ ପ୍ରତ୍ନତତ୍ତ୍ବକୁ ଲୋକଲୋଚନକୁ ଆଣିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ମୟୂରଭଞ୍ଜ ଜିଲାରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରେ ନିଜକୁ ନିୟୋଜିତ କରିଥିଲେ ଏବଂ ପ୍ରଥମ କରି ଏହାସହିତ କଲିକତା ବିଶ୍ବବିଦ୍ୟାଳୟର ପ୍ରତ୍ନତତ୍ତ୍ବମାନଙ୍କ ସହିତ ମିଶି ମୟୁରଭଞ୍ଜର ପ୍ରାଗ ଐତିହାସିକ ଯୁଗ ଉପରେ ଅନେକ ଗବେଷଣା କରିଥିଲେ। ଓଡ଼ିଶାରେ ନୂତନ ପ୍ରସ୍ତର ଯୁଗର ବସତି ଆବିସ୍କାର କରିଥିଲେ। ଖିଚିଂର କିଚେକଶ୍ୱରୀ ମନ୍ଦିରର ପୁନଃରୁଦ୍ଧାର, ଲଣ୍ଡନ ସଂଗ୍ରହାଳୟରୁ ଅନନ୍ତ ବାସୁଦେବ ଶିଳାଲିପିର ଉଦ୍ଧାର, ବାରିପଦା ସଂଗ୍ରହାଳୟର ପ୍ରତିଷ୍ଠା କରିଥିଲେ।ଏଥିସହିତ ପ୍ରତ୍ନତତ୍ତ୍ୱ, ଶିଳାଲେଖ, ମୁଦ୍ରା, ଚାରୁକଳା ପ୍ରଭୃତିରେ ତାଙ୍କର ବିଶେଷ ଅବଦାନ ରହିଥିଲା ବୋଲି କୁଳପତି ପ୍ରଫେସର ଆଚାର୍ଯ୍ୟ କହିଥିଲେ।


କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟମୋକେଶ ତ୍ରିପାଠୀ ପଦ୍ମଶ୍ରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଓଡ଼ିଶା ଓ ଆସାମର ସାଂସ୍କୃତିକ ସଂଯୋଗ’ ଉପରେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଦ୍ବିତୀୟ ସ୍ମାରକୀ ବକ୍ତୃତାମାଳା ପ୍ରଦାନ କରିଥିଲେ। ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୀବନୀ ଏବଂ ଓଡ଼ିଶା ଇତିହାସ ଓ ପ୍ରତ୍ନତତ୍ତ୍ୱକୁ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ସର୍ବେକ୍ଷଣ, ଉତ୍‌ଖନନ, ଅନୁଶୀଳନ, ଅନ୍ବେଷଣ ଆଦିରେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ବେଶ ଦକ୍ଷତା ରହିଥିଲା ବୋଲି ପ୍ରଫେସର ତ୍ରିପାଠୀ ପ୍ରକାଶ କରିଥିଲେ।
ଇତିହାସ କଂଗ୍ରେସର ସଭାପତି ପ୍ରଫେସର ବସନ୍ତ କୁମାର ମଲ୍ଲିକ ସଭାପତିତ୍ୱ ଅଭିଭାଷଣରେ ପରମାନନ୍ଦ ଆଚାର୍ୟ୍ୟଙ୍କ ଐତିହାସିକ କୃତି ଓ ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ନତତ୍ତ୍ୱର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଭବିଷ୍ୟତରେ ଆଞ୍ଚଳିକବାଦ କିଭଳି ଭାବେ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ଗବେଷଣାକୁ ପ୍ରଭାବିତ କରିବ ତାହା ସେ ଉଲ୍ଲେଖ କରିଥିଲେ।


ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ପ୍ରଫେସର ସୁଶାନ୍ତ କୁମାର ପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ଇତିହାସ କଂଗ୍ରେସର ସାଧାରଣ ସମ୍ପାଦକ ଡ.ସୁବାସଚନ୍ଦ୍ର ବାରିକ ଧନ୍ୟବାଦ ଦେଇଥିଲେ। ସହକାରୀ ପ୍ରଫେସର ଡ. ଅନାମ ବେହେରା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Comments are closed.