ସ୍ୱିଡେନ: ଗବେଷକଙ୍କର ଏକ ଦଳ ବରାଫାବୃତ ସାଇବେରିଆର ଏକ ଗୁମ୍ଫା ମଧ୍ୟରୁ ଏକ ସିଂହ ଶାବକର ମୃତ ଶରୀର ଠାବ କରିଛନ୍ତି। ତାହା ସମ୍ପୂର୍ଣ୍ଣ ଭାବରେ ବରଫ ପାଲଟିଯାଇଛି। ଏହା ୨୮ ହଜାର ବର୍ଷ ପୁରାତନ ବୋଲି ଗବେଷକମାନେ କହିଛନ୍ତି। ଏହାର ଲିଙ୍ଗ ମଧ୍ୟ ଚିହ୍ନଟ କରାଯାଇଛି ଏବଂ ଏହା ମାଈ ଶାବକ ଥିବା କୁହାଯାଇଛି। ଗବେଷକମାନେ କହିଛନ୍ତି ଯେ ବରଫ ଯୁଗର ପ୍ରାଣୀମାନଙ୍କର ଏପର୍ଯ୍ୟନ୍ତ ମିଳିଥିବା ମୃତ ଶରୀର ମଧ୍ୟରେ ଏହା ସବୁଠାରୁ ସୁରକ୍ଷିତ ରହିଛି। ଗବେଷକମାନେ ଏହାର ନାମ ସ୍ପାର୍ଟା ରଖିଛନ୍ତି।
ଏହି ସିଂହ ଶାବକର ଦାନ୍ତ ଓ ଚର୍ମ ସମ୍ପୂର୍ଣ୍ଣ ଭାବରେ ଠିକ ରହିଛି। ତାହାର ନରମ ଟିସ୍ୟୁ ଏବଂ ଅଙ୍ଗପ୍ରତ୍ୟଙ୍ଗ ଅତ୍ୟଧିକ ଥଣ୍ଡା ଯୋଗୁ ମମିରେ ପରିଣତ ହୋଇଛି କିନ୍ତୁ ସେଗୁଡିକ ନଷ୍ଟ ହୋଇନାହିଁ। ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ ଏହାର ଲୋମଗୁଡିକ ମଧ୍ୟ ଶରୀରରେ ସେହିଭଳି ରହିଛି। ସଂପୂର୍ଣ୍ଣ ବରଫ ପାଲଟିଯାଇଥିବା ଏହି ସିଂହ ଶାବକକୁ ଠାବ କରିଥିବା ଗବେଷକମାନେ କହିଛନ୍ତି ଯେ, ମୃତ୍ୟୁ ସମୟରେ ତାହାର ବୟସ ଦୁଇମାସ ହୋଇଥିଲା। ତାହାଠାରୁ ୪୯ ଫୁଟ ଦୂରରେ ଆଉ ଏକ ସିଂହ ଶାବକର ଅନୁରୂପ ବରଫ ପାଲଟିଥିବା ଶରୀର ମଧ୍ୟ ମିଳିଛି। ସେମାନେ ଗୋଟିଏ ମା’ର ଦୁଇଟି ଶାବକ ବୋଲି ଗବେଷକମାନେ ପ୍ରଥମେ ମନେ କରୁଥିଲେ। କିନ୍ତୁ ପରେ ଜଣାଗଲା ଯେ ଠାବ କରାଯାଇଥିବା ଦ୍ୱିତୀୟ ଶାବକର ମୃତ୍ୟୁ ଘଟିବାର ପ୍ରାୟ ୧୫ହଜାର ବର୍ଷ ପରେ ସ୍ପାର୍ଟାର ମୃତ୍ୟୁ ଘଟିଥିଲା। ଦ୍ୱିତୀୟ ମୃତ ସିଂହ ଶାବକର ନାମ ବୋରିସ ରଖାଯାଇଛି। ତାହାର ବୟସ ସ୍ପାର୍ଟା ତୁଳନାରେ ଅଧିକ ଥିବା କୁହାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୭ ଓ ୨୦୧୮ରେ ଏହି ଦୁଇ ମୃତ ସିଂହ ଶାବକକୁ ସାଇବେରିଆର ପୂର୍ବ ଭାଗରେ ଆବିଷ୍କାର କରାଯାଇଥିଲା। ବରଫସ୍ତୁପ ଧସିବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।



