www.samajalive.in
Wednesday, December 10, 2025
26.1 C
Bhubaneswar

ମେଧାବୃତ୍ତି ଯୋଜନାରେ ୨୧୬ କୋଟି ଖର୍ଚ୍ଚ ହେବ

ଛାତ୍ରଛାତ୍ରୀଙ୍କ ଭିତରେ ଆତ୍ମବିଶ୍ବାସ ଭର, ୨୦୧୬-୧୭ରୁ ସରକାରୀ ମହାବିଦ୍ୟାଳୟରେ ୪ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ନିଯୁକ୍ତ
ସଚିବାଳୟରେ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ପଦର ରହିଛି ବିଶେଷ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୬୨ ସହକାରୀ ପ୍ରଫେସର ଏବଂ ଗୃହ ବିଭାଗ ଅଧୀନ‌ରେ ୮୮ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି ମିଳିଛି। ଲୋକସେବା ଭବନ ରାଜ୍ୟ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଛନ୍ତି, ଆମର ପିଲାମାନଙ୍କୁ ନିଯୁକ୍ତିକ୍ଷମ ଏବଂ ଆତ୍ମନିର୍ଭରଶୀଳ କରିବା ହେଉଛି ଉଚ୍ଚଶିକ୍ଷା ପାଇଁ ଏକ ପ୍ରମୁଖ ଆହ୍ବାନ। ଦକ୍ଷତା ଉପରେ ଅଧିକ ବିଶ୍ବାସ କରି ନିଜ ଜୀବନ ଏବଂ ସମାଜ ପାଇଁ କିଛି କରିବାକୁ ହେଲେ, ଅନୁଷ୍ଠାନରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଶିକ୍ଷକ, ପ୍ରାଧ୍ୟାପକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଗୁଣାତ୍ମକ ଶିକ୍ଷାଦାନ ବ୍ୟତୀତ ସେମାନେ ଆତ୍ମବିଶ୍ବାସ, ସକାରାତ୍ମକ ପ୍ରେରଣା ଏବଂ ଜୀବନରେ ଉଦ୍ଦେଶ୍ୟର ଭାବନା ସୃଷ୍ଟି କରିବା ଉଚିତ୍। ଏହି କାର୍ଯ୍ୟକୁ କେବଳ ଜଣେ ଶିକ୍ଷକ ହିଁ ସୁଚାରୁରୂପେ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସମସ୍ତ ଶିକ୍ଷକ ଏବଂ ପ୍ରାଧ୍ୟାପକଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ବାସ ରହିଛି। ସେମାନେ ସଫଳତାର ସହ ଛାତ୍ରଛାତ୍ରୀଙ୍କୁ ଆମ ଦେଶର ବାସ୍ତବ ସମ୍ପତ୍ତିରେ ରୂପାନ୍ତରିତ କରିପାରିବେ। ସମସ୍ତ ସହକାରୀ ପ୍ରଫେସରଙ୍କୁ ଅଭିନନ୍ଦନ ଜଣାଇ ସେ କହିଲେ, ବୃତ୍ତିଗତ କ୍ୟାରିୟର ଦୁନିଆକୁ ପ୍ରବେଶ ଦିଗରେ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ହେଉଛି ଏକ ବଡ଼ ମଞ୍ଚ। ଏଠାରୁ ଛାତ୍ରଛାତ୍ରୀ ବିଭିନ୍ନ କ୍ୟାରିୟର ବିକଳ୍ପ ଗ୍ରହଣ କରନ୍ତି। ଏହି କ୍ଷେତ୍ରକୁ ଆମେ ଅଧିକ ଗୁରୁତ୍ବ ଦେଉଛୁ। ୨୦୧୬-୧୭ରୁ ରାଜ୍ୟ ସରକାର ବିଭିନ୍ନ ମହାବିଦ୍ୟାଳୟରେ ୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ କରିଛନ୍ତି। ବିଭିନ୍ନ ମେଧାବୃତ୍ତି, ଲାପ୍‌ଟପ୍‌, ଭର୍ଚୁଆଲ ଲାଇବ୍ରେରି ସୁବିଧା, ଅନାଥ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀନ୍ ପାସେଜ୍, ମୋ କଲେଜ ଅଭିଯାନ ଆଦି ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି। ରାଜ୍ୟର ଶିକ୍ଷା ପରିବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି। ଗବେଷଣା ଉପରେ ରାଜ୍ୟ ସରକାର ଅଧିକ ଖର୍ଚ୍ଚ କରୁଛନ୍ତି। ‘ଚିଫ୍‌ ମିନିଷ୍ଟର ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ଷ୍ଟୁଟେଣ୍ଟସ୍’ ସ୍କଲାରସିପ୍‌ ସ୍କିମ୍‌ ଅଧୀନରେ ଆଗାମୀ ୫ ବର୍ଷରେ ରାଜ୍ୟ ସରକାର ୨୧୬ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ କହିଥିଲେ, ରାଜ୍ୟ ସଚିବାଳୟରେ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ପଦର ବିଶେଷ ଗୁରୁତ୍ବ ରହିଛି। ସରକାରୀ କର୍ମଚାରୀ ଭାବେ ସେମାନେ ଏଠାରେ ଓଡ଼ିଶାବାସୀଙ୍କ ସେବା କରିବାକୁ ଅଛନ୍ତି। ଚାକିରି ପ୍ରତି ସେମାନଙ୍କ ଆନ୍ତରିକତା ଏବଂ ପ୍ରତିବଦ୍ଧତା ଓଡ଼ିଶାର ରୂପାନ୍ତରଣ ଦିଗରେ ଆମର ପ୍ରୟାସ ପାଇଁ ଅମୂଲ୍ୟ ପ୍ରମାଣିତ ହେବ। ୫-ଟି ଉପକ୍ରମର ଅନୁପାଳନ ସହ ରାଜ୍ୟର ରୂପାନ୍ତରଣରେ ସମସ୍ତଙ୍କ ଅବଦାନ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ନିଯୁକ୍ତି ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଥିଲେ। ଖାଲିଥିବା ପଦ ପୂରଣ ନିମନ୍ତେ ନିୟମିତ ନିଯୁକ୍ତି ପାଇଁ ମିଳିତ ପ୍ରୟାସ କରିବାକୁ ସେ ସବୁ ବିଭାଗକୁ ନିର୍ଦେଶ ଦେଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି, ଶିକ୍ଷାଦାନ ଗୁଣବତ୍ତା ବୃଦ୍ଧି ଦିଗରେ ତାଙ୍କ ବିଭାଗ ଦ୍ବାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ରାଜ୍ୟର ଉଚ୍ଚଶିକ୍ଷାର ଉନ୍ନତିରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ସେ ପ୍ରଶଂସା କରିଥିଲେ। ମୁଖ୍ୟ ସଚିବ ପି.କେ. ଜେନା କହିଥିଲେ, ସମସ୍ତ ବିଭାଗରେ କ୍ରମାଗତ ନିଯୁକ୍ତି ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ବର୍ତ୍ତମାନ ସମୟର ଆବଶ୍ୟକତା ଅନୁସାରେ ନୂଆପିଢ଼ିର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ସେ ସହକାରୀ ପ୍ରଫେସରଙ୍କୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ଫେଲୋସିପ୍ ପ୍ରୋଗ୍ରାମ ଏବଂ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ଟେ‌ଷ୍ଟ୍ ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ। ଦୁଇଜଣ ସହକାରୀ ପ୍ରଫେସର ଡ. ଏନ୍‌ ତନ୍ମୟ କୁମାର ଏବଂ ସଙ୍ଗୀତା ମିଶ୍ର ନିଯୁକ୍ତି ପ୍ରକ୍ରିୟାରେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ସୂର୍ଯ୍ୟ ନାରାୟଣ ଦାସ ୫-ଟି ଉପକ୍ରମର ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ ଉପସ୍ଥିତ ଥିଲେ। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡିକେ ସିଂହ ସ୍ବାଗତ ଭାଷଣ ଏବଂ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories