ୱାଶିଂଟନ: ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ ତାରିଖ ଦିନ ଘଟିଥିବା ଭୟାନକ ଆତଙ୍କବାଦି ଆକ୍ରମଣ (୯/୧୧)କୁ ୨୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉକ୍ତ ଅଲ କାଏଦା ଆତଙ୍କି ଆକ୍ରମଣରେ ପ୍ରାଣ ହରାଇଥିବା ୨୯୭୭ ଜଣ ଲୋକଙ୍କର ସ୍ମୃତିଚାରଣ କରିଛନ୍ତି। ପ୍ରାୟ ୯୦ରୁ ଅଧିକ ରାଷ୍ଟ୍ରର ନାଗରିକ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ। ଏଥିରେ ହଜାରରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ। ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଜାରି କରି ବାଇଡେନ କହିଛନ୍ତି ଯେ ଆମେରିକା ଏହି ବ୍ୟକ୍ତିମାନଙ୍କର ସ୍ମୃତିଚାରଣ କରିବା ସହିତ ସେମାନଙ୍କ ପରିବାରବର୍ଗ ସହିତ ସମଦୁଃଖୀ ହୋଇଛି। ବାଇଡେନ ଆଉ ମଧ୍ୟ କହିଛନ୍ତି ଯେ ସବୁଠାରୁ କଷ୍ଟକର ସମୟରେ ଏକତା କିଭଳି ସବୁଠାରୁ ବଡ ସାମର୍ଥ୍ୟ ହୋଇଛି ତାହା ଏହି ବିପଦ ପ୍ରତିପାଦିତ କରିଛି। ଉକ୍ତ ଆକ୍ରମଣ ପରେ ନିଜ ଜୀବନକୁ ବାଜି ଲଗାଇ ଆତଙ୍କ ମୂଳୋତ୍ପାଟନ ଅଭିଯାନରେ ସାମିଲ ହୋଇଥିବା, ଏପରିକି ନିଜ ଜୀବନ ଦେଇଥିବା ଆମେରିକୀୟ ସୈନ୍ୟଙ୍କ ବୀରତ୍ୱକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।
ଏକ ବାର୍ତ୍ତାରେ ବାଇଡେନ କହିଛନ୍ତି, ଉକ୍ତ ସ୍ଥାନରୁ ମୃତାହତଙ୍କୁ ଉଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମ କର୍ମଚାରୀ, ପୁଲିସ ଅଧିକାରୀ, ଇଏମଟି ଏବଂ ନିର୍ମାଣ ଶ୍ରମିକ, ଡାକ୍ତର, ନର୍ସ, ବିଭିନ୍ନ ଧର୍ମର ନେତୃସ୍ଥାନୀୟ ବ୍ୟକ୍ତି, ସେବା ଯୋଗାଣକାରୀ ଏବଂ ଅନ୍ୟ ସମସ୍ତଙ୍କୁ ଆମେରିକା ସମ୍ମାନ ପ୍ରଦର୍ଶନ କରୁଛି। ସୂଚନାଯୋଗ୍ୟ ଯେ ଏହି ଅବସରରେ ଆତଙ୍କି ଆକ୍ରମଣ ହୋଇଥିବା ନ୍ୟୁୟର୍କ, ପେନସିଲଭାନିଆ ଏବଂ ଭର୍ଜିନିଆ ଆଦି ସ୍ଥାନକୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ଗସ୍ତକରି ସେଠାରେ ଭାବପୂଣ୍ଣଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
୯/୧୧ ଆମେରିକା ଆତଙ୍କବାଦି ଆକ୍ରମଣକୁ ୨୦ ବର୍ଷ ପୂରିଲା
Popular Categories



