ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ବାଲି ଓ ମୋରମ ଚୋରାଚାଲାଣ ହେଉଥିବା ବେଳେ ପୁଲିସ ଦୁଇଟି ସ୍ଥାନରେ ଚଡାଉ କରି ଟିପ୍ପରକୁ ଜବତ କରିଛି। ଏ ନେଇ ଦୁଇଟି ମାମଲା ରୁଜୁ କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନୂଆ ଅନ୍ତେଇ ଗ୍ରାମର ଧର୍ମେନ୍ଦ୍ର ନାୟକ(୩୨), ଆଙ୍କରଡ଼ା ଗ୍ରାମର କପିଳ ସାହୁ (୨୬)। ଗତ କିଛିଦିନ ଧରି ଗୋଳନ୍ଥରା ଥାନା ଇଲାକାରେ ବେଆଇନ ଭାବେ ମୋରମ ଓ ବାଲି ଚୋରା ଅଭିଯୋଗ ହେଉଥିଲେ ମଧ୍ୟ ଖଣି ବିଭାଗ ପକ୍ଷରୁ ଚଡ଼ାଉ ହେଉ ନ ଥିବା ଅଭିଯୋଗ ଉଠିଥିଲା। ଟିପ୍ପର ଯୋଗେ ମୋରମ ଟାମଣା ଛକରୁ କନିସି ଅଭିମୁଖେ ଆସୁଥିବା ବେଳେ ରବିବାର ବିଳମ୍ବିତ ରାତିରେ ପୁଲିସ ଖବର ପାଇ ଚଡ଼ାଉ କରି କାବୁ କରିଥିଲେ। ଯାଞ୍ଚ ବେଳେ ଚାଳକ ଧର୍ମେନ୍ଦ୍ର କାଗଜ ପତ୍ର ଦେଖାଇପାରି ନ ଥିଲେ। ସେହିପରି କନିସି ଛକରେ ଟିପ୍ପରରେ ବାଲି ଚୋରା ଚାଲାଣ ହୋଉଥିବା ବେଳେ ପୁଲିସ ଏକ ଟିପ୍ପରକୁ ଧରିଥିଲେ। ଚାଳକ କପିଳ ମଧ୍ୟ କାଗଜ ପତ୍ର ପୁଲିସକୁ ଦେଇପାରି ନ ଥିଲେ। ଉଭୟଙ୍କୁ ପୁଲିସ ଥାନାରେ ଅଟକ ରଖି ପଚାର ଉଚରା କରିବା ସହ ୧୦୩ ଓ ୧୦୪/୨୫ରେ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଗାମୀ ଦିନରେ ବେଆଇନ ଚୋର ଚାଲାଣ ଉପରେ ଚଢ଼ାଉ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।



