କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକ ସୀମାନ୍ତରେ ରହିଛି ଘାଗରାମୁଣ୍ଡା ପଞ୍ଚାୟତ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ଘାଗରାମୁଣ୍ଡା ପଞ୍ଚାୟତ ଅଧିନରେ ମଝିକା, ଭେଜିଆ ଓ ସିନ୍ଦୂରମୁଣ୍ଡି ନାମକ ଗ୍ରାମ ରହିଛି । ବର୍ତ୍ତମାନ ଏହି ଜନବସତି ଗ୍ରାମ ଗୁଡ଼ିକ ବଣ ଜଙ୍ଗଲ ଘେରରେ ରହିଥିବାବେଳେ ୬ ଏକରରୁ ଉର୍ଦ୍ଧ୍ବ ଜଙ୍ଗଲକୁ ସଫା କରି ଏହାରି ମଧ୍ୟରେ ୨୦୨୨ ମସିହାରୁ ଏକ ବିରାଟ ଅଣ୍ଡା ଫ୍ୟାକ୍ଟ୍ରି କରାଯାଇଛି । ଯାହା ଫଳରେ ପଚା ସଢ଼ା ଅଣ୍ଡା ଦୁର୍ଗନ୍ଧରେ ସମଗ୍ର ଅଞ୍ଚଳ ପରିବେଶ ପ୍ରଦୂଷିତ ହେବା ସାଙ୍ଗକୁ ନାକଫଟା ଗନ୍ଧରେ ଲୋକେ ଅତିଷ୍ଠ ହୋଇଗଲେଣି । ଗାଁ, ସ୍କୁଲ, କୂଅ ପୋଖରୀ, ନାଳ ନର୍ଦ୍ଦମା ସବୁ ଅପରିଷ୍କାର, ପ୍ରଦୂଷିତ ପରିବେଶ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ମଶା, ମାଛି ଅନ୍ୟାନ୍ୟ ପୋକମାନଙ୍କ ଦୈରାତ୍ମ୍ୟ ବୃଦ୍ଧି ପାଇବା ଦ୍ବାରା ମଣିଷ ଠାରୁ ଆରମ୍ଭ କରି ଗୃହ ପାଳିତ ପଶୁ ପକ୍ଷୀ ,ପାନୀୟ ଜଳ ଉପରେ ପ୍ରଭାବ ପଡିଛି । ଯାହାଫଳରେ ମଣିଷ, ଜୀବଜନ୍ତୁ ମାନଙ୍କ ଠାରେ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଦେଖା ଦେବା ସହିତ ହଇଜା ରୋଗକୁ ମଧ୍ୟ ଏଡାଇ ଦିଆଯାଇନପାରେ। ଅଞ୍ଚଳବାସୀଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ ନହେବା ଦୁର୍ଭାଗ୍ୟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଏହା ସମେତ ଏକର ଏକର ଜଙ୍ଗଲରୁ ଗଛ ସଫା କରି କାହା ଇଙ୍ଗିତରେ ଏପରି ଅଣ୍ଡା ଫ୍ୟାକ୍ଟ୍ରି କରାଯାଇଛି ତାହା ଆଲୋଚନାର ବିଷୟ ବସ୍ତୁ ପାଲଟିଛି । ପଚା ସଢ଼ା ଦୁର୍ଗନ୍ଧରେ ଲୋକ ମାନେ ଅତିଷ୍ଠ ହେଉଥିବାବେଳେ ପାଣି , ପବନ ,ବାୟୁ ମଣ୍ଡଳ , କୋମଳମତି ଅଙ୍ଗନୱାଡ଼ି ପିଲା , ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି । ଫଳରେ ଅଧିକାଂଶ ଦିନ ଶିକ୍ଷାନୁଷ୍ଠାନକୁ ଯାଇ ପାରୁନାହାନ୍ତି । ଏଥିରୁ ନିର୍ଗତ ହେଉଥିବା ଦୁର୍ଗନ୍ଧରେ କିଭଳି ପ୍ରଶାସନ ନୀରବ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହେଲାଣି ।
Popular Categories



