ଗତ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହିଂସା ଘଟିଥିଲା। ଉତ୍ତ୍ୟକ୍ତ ଚାଷୀମାନେ ପୁଲିସକୁ ଆକ୍ରମଣ କରିବା ସହିତ ବସ ପୋଡ଼ାଜଳା କରିଥିଲେ। ଏଥିରେ ଦିଲ୍ଲୀ ପୁଲିସର ୩୦୦ରୁ ଅଧିକ କର୍ମଚାରୀ ଆହତ ହୋଇଥିଲେ। କେବଳ ଏତିକି ନୁହେଁ, ଦିଲ୍ଲୀର ଲାଲ୍କିଲାରେ ଆନ୍ଦୋଳନକାରୀ ଧାର୍ମିକ ପତାକା ଉଡ଼ାଇ ତିରଙ୍ଗା ପ୍ରତି ଅପମାନିତ କରିଥିଲେ। ତେବେ ଏହି ହିଂସା ପରଠାରୁ ୧୪ ଚାଷୀ ନିଖୋଜ ଅଛନ୍ତି ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି।
ଅମରିନ୍ଦର କହିଛନ୍ତି, ଦିଲ୍ଲୀ ହିଂସା ପରଠାରୁ ନିଖୋଜ ଥିବା ଲୋକଙ୍କ ମଧ୍ୟରୁ ୭୦ ଜଣ ଏବେ ଦିଲ୍ଲୀର ଜେଲ୍ରେ ବନ୍ଦୀ ଅଛନ୍ତି। ଅବଶିଷ୍ଟ ୧୯ ଜଣଙ୍କ ମଧ୍ୟରୁ ୧୪ ଜଣ ନିଖୋଜ ଅଛନ୍ତି। ଏହି ଚାଷୀମାନଙ୍କୁ ଖୋଜିବା ଲାଗି ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା, ସୁଖବିନ୍ଦର ସିଂହ ସରକାରିୟା, ସାଂସଦ ମନୀଷ ତିୱାରୀ ଏବଂ ବିଧାୟକ ଡା. ରାଜକୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ।
ବୈଠକ ପରେ କ୍ୟାବିନେଟ ମନ୍ତ୍ରୀ ରନ୍ଧୱା ଏବଂ ସରକାରିୟା କହିଛନ୍ତି ଯେ, ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା ପଞ୍ଜାବର ଚାଷୀମାନଙ୍କ ପାଇଁ ମାମଲା ପରିଚାଳନା ଲାଗି ୪୦ ଜଣିଆ ଓକିଲଙ୍କ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ନିଜ କାମ ଆରମ୍ଭ କରିଦେଇଛନ୍ତି। ଗିରଫ ହୋଇଥିବା କୃଷକ, ଯୁବକ ଏବଂ ସେମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ। ବିନା କୌଣସି ଦେୟରେ ଓକିଲମାନେ ମାମଲା ପରିଚାଳନା କରିବେ।



