ସମାଜ ପୋର୍ଟାଲ ଡେସ୍କ: ବୁଧବାରଠାରୁ ଆରମ୍ଭ ହେଉଛି ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା। ଚଳିତବର୍ଷ ୫ ଲକ୍ଷ ୪୭ ହଜାର ୭୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ମୋଟ୍ ୨ ହଜାର ୭୬୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ଖାତା ଗଚ୍ଛିତ ରଖିବା ପାଇଁ ୩୦୭ଟି ନୋଡାଲ୍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଛି। ସେଥିମଧ୍ୟରୁ କୋରାପୁଟ ଜିଲ୍ଲାରେ ୫ଟି, କନ୍ଧମାଳ ଜିଲ୍ଲାରେ ୭ଟି ଏବଂ ମାଲକାନଗିରି ଜିଲ୍ଲାରେ ୧୦ଟି କେନ୍ଦ୍ର ରହିଛି। ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ କରିବା ପାଇଁ ଏକହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ସହ ସ୍କ୍ୱାର୍ଡ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଚତୁଃସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକସଙ୍ଗେ ଅନୁଷ୍ଠିତ ହେଉଛି। ମଧ୍ୟମାରେ ୪ ହଜାର ୫୮୧ ଜଣ ୪୫ଟି କେନ୍ଦ୍ରରେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ଦୁଇହଜାର ୭୬୩ଜଣ ପରୀକ୍ଷାର୍ଥୀ ୭୬ଟି କେନ୍ଦ୍ରରେ ପରୀକ୍ଷା ଦେବେ। ପରୀକ୍ଷା ସଂପର୍କରେ ସମସ୍ତ ସୂଚନା ପାଇଁ ବୋର୍ଡ ମୁଖ୍ୟାଳୟରେ ୧୨ ଘଣ୍ଟିଆ କଣ୍ଟ୍ରୋଲରୁମ୍ ଖୋଲାଯାଇଛି। ଏହା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ପରୀକ୍ଷା ଶେଷହେବା ପର୍ୟ୍ୟନ୍ତ ଖୋଲା ରହିବ।



