ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡୀଙ୍ଗା ଠାରେ ଥିବା ମଲ୍ଲିକ ପେଟ୍ରୋଲ ପମ୍ପରେ ୨ ଜଣ ଦୁର୍ବୃତ୍ତ ୩ ରାଉଣ୍ଡ ଫାୟାର କରିଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଂଚି ତନାଘନା ଚଲାଇଛି। ଏହି ଘଟଣା ନେଇ ସାରା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୬ଟା ସମୟରେ କୋଡୀଙ୍ଗା ଠାରୁ ପାପଡାହାଣ୍ଡି ଯିବା ରାସ୍ତାର ଅଳ୍ପ ଦୂରରେ ଥିବା ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକଙ୍କର ‘ମଲ୍ଲିକ ପେଟ୍ରୋଲ ପମ୍ପ’ରେ ୨ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ୧୦୦ ଟଙ୍କାର ପେଟ୍ରୋଲ ପକାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଟଙ୍କା ବ୍ୟାଗ ଝାମ୍ପି ନେବା ସମୟରେ କର୍ମଚାରୀ ଜଣକ ଛଡାଇବାକୁ ଚେଷ୍ଟା କରିବାରୁ ତା ଉପରେ ଦୁର୍ବୃତ୍ତମାନେ ଗୁଳି ଚଳାଇ ବ୍ୟାଗ ଛଡାଇ ନେଇଥିଲେ। ପେଟ୍ରୋଲ ପମ୍ପ ମାଲିକ ଏବଂ ତାଙ୍କ ପୁତୁରା ଗୁଳି ଶବ୍ଦ ଶୁଣି ବାହାରକୁ ଆସି ଦୁର୍ବୁତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଫୁଟାଇ ଟଙ୍କା ବ୍ୟାଗ ଧରି ପାପଡାହାଣ୍ଡି ପଟେ ଦ୍ରୁତ ଗତିରେ ଚାଲିଯିବାରେ ସକ୍ଷମ ହୋଇଥିଲେ। ଖବର ପାଇ କୋଡୀଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ଘଟଣା ସ୍ଥଳରେ ପହଂଚି ତନାଘନା କରୁଥିବା ବେଳେ ଦୁର୍ବୃତ୍ତମାନେ ଆଗରେ ଅଳ୍ପ ଦୂରରେ ଥିବା ଆଉ ଗୋଟେ ପେଟ୍ରୋଲ ପମ୍ପରେ କିଛି ସମୟ ପୂର୍ବରୁ ୧୫୦୦ ଟଙ୍କାର ପେଟ୍ରୋଲ ପକାଇ ଥିବା ସିସି ଟିଭି ଫୁଟେଜରୁ ଜଣାପଡିଛି। ତେବେ ୨ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ବାନ୍ଧିଥିବା ବେଳେ ପୁଲିସ ପକ୍ଷରୁ ସମସ୍ତ ରାସ୍ତାକୁ ସିଲ କରି ଯାଞ୍ଚ ଚଲାଉଛି। ଏହି ଘଟଣା ପରେ ସାରା ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।



