www.samajalive.in
Tuesday, December 9, 2025
17.1 C
Bhubaneswar

୧୫ ଦିନରେ ୧୭୨୦ ପିଲା ସଂକ୍ରମିତ

ଭୁବନେଶ୍ବର : ଗତବର୍ଷଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ଦଶ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ଏଥିରେ ୧୮ ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା ୮୪ ହଜାର ୪୪୨ ରହିଛି। ଦୁଇଟି ଲହରରେ ଯେତିକି ଶିଶୁ ସଂକ୍ରମିତ ହୋଇଥିଲେ ସମ୍ଭାବ୍ୟ ତୃତୀୟ ଲହରରେ ତା’ଠାରୁ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ରାଜ୍ୟ ସରକାର କହିସାରିଲେଣି। ରାଜ୍ୟରେ ଏପର୍ଯ୍ୟନ୍ତ ତୃତୀୟ ଲହର ଆସି ନ ଥିବାବେଳେ ଗତ ପନ୍ଦର ଦିନର ତଥ୍ୟକୁ ଦେଖିଲେ ପରବର୍ତ୍ତୀ ସ୍ଥିତି କେତେ ଭୟଙ୍କର ହେବ ତାହା ଏବେଠୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତିତ କରୁଛି। ଶିଶୁ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ର କହିଛନ୍ତି ବଡ଼ ଲୋକ ସଚେତନ ହେଲେ ଶିଶୁ ବଞ୍ଚିବେ। କାରଣ ସଂକ୍ରମଣ ସେମାନଙ୍କଠାରୁ ପିଲାଙ୍କୁ ବ୍ୟାପିବ। ତେଣୁ ସେମାନେ କରୋନା ନିୟମ ଠିକ୍‌ ଭାବେ ପାଳନ କଲେ ଶିଶୁ ସୁରକ୍ଷିତ ରହିବେ। ସେହିପରି ୨ ବର୍ଷରୁ ବଡ଼ ଶିଶୁଙ୍କୁ ଦୁଇଟି ତୁଣ୍ଡି ପିନ୍ଧାଇବା ସହ ହାଟବଜାର ଭଳି ଗହଳି ସ୍ଥାନରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି।
ଅଗଷ୍ଟ ୧୫ରୁ ରାଜ୍ୟ ସରକାର ୦-୧୮ ବର୍ଷ ବୟସର ସଂକ୍ରମିତ ପିଲାଙ୍କ ତାଲିକା ଅଲଗା କରି ପ୍ରଦାନ କରୁଛନ୍ତି। ଏଥି ଅନୁଯାୟୀ ଏପର୍ଯ୍ୟନ୍ତ ୧୭୨୦ ଶିଶୁ କରୋନା ସଂକ୍ରମିତ ହେଲେଣି। ଦୈନିକ ଶତାଧିକ ଶିଶୁ ସଂକ୍ରମିତ ହେଉଥିବାବେଳେ ନିକଟରେ ଦୁଇ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ଥିବାବେଳେ ଏଥିରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଶହେ ଉପରେ ରହୁଛି। ଏପରିସ୍ଥଳେ ଟିକା ନେଇ ନ ଥିବା ଶିଶୁଙ୍କ ପାଇଁ ସମ୍ଭାବ୍ୟ ତୃତୀୟ ଲହର ଭୟଙ୍କର ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାଇ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଆରମ୍ଭ ହୋଇଥିବା ସେରୋ ସର୍ଭେରେ ପ୍ରଥମ ଥର ପାଇଁ ୬ ବର୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
ଭେଷଜ ଡାକ୍ତର ମାନସ ରଞ୍ଜନ ପଟ୍ଟନାୟକ କହିଛନ୍ତି କେରଳରେ ୩୦୦ରୁ ଅଧିକ ପିଲାଙ୍କ ମଧ୍ୟରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ୍‌(ଏମଆଇଏସ) ଦେଖାଯାଇଛି। ଏହା କରୋନା ପରବର୍ତ୍ତୀ ଜଟିଳତା। କରୋନାରେ ଯେଉଁ ସବୁ ଲକ୍ଷଣ ଦେଖାଯାଏ ଏଥିରେ ମଧ୍ୟ ସେହି ସବୁ ଲକ୍ଷଣ ଦେଖାଯାଏ। ତେଣୁ ପିଲାଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ଅଭିଭାବକ ବିଶେଷ ଧ୍ୟାନ ଦେବା ଉଚିତ। ଏମଆଇଏସ ରୋଗ ଭଲ ହୋଇପାରିବ, କିନ୍ତୁ ଏହାକୁ ଅଣଦେଖା କଲେ ଚିକିତ୍ସା କଷ୍ଟସାଧ୍ୟ ହୋଇଯାଏ।
ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବାର ତିନି-ଚାରି ସପ୍ତାହ ପରେ ଜ୍ୱର, ପେଟ ଯନ୍ତ୍ରଣା, ଆଖି ନାଲି ପଡ଼ିବା ଏବଂ ବାନ୍ତି ପରି ସମସ୍ୟା ଦେଖାଦେଲେ ଏହାକୁ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ ଲକ୍ଷଣ ବୋଲି କୁହାଯାଇଥାଏ। ପିଲାଙ୍କ ଯକୃତ, ବୃକକ, ଫୁସଫୁସ ଓ ହୃତପିଣ୍ଡ ପ୍ରଭାବିତ ହୋଇଥାଏ। ପରେ ପିଲା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥାଏ। କେତେକ ପିଲାଙ୍କ ବୃକ୍‌କ ନଷ୍ଟ ହୋଇଥାଏ, କାମଳ ରୋଗ, ହାତଗୋଡ଼ ନୀଳି ପଡ଼ିବା, ବାତ ମାରିବା, ଅତ୍ୟଧିକ ଜ୍ବର ରହିବା ପରି ଲକ୍ଷଣମାନ ଦେଖାଯାଏ। ତେଣୁ ପିଲାଙ୍କଠାରେ ଅଧିକ ବାନ୍ତି, ମୁଣ୍ଡବ୍ୟଥା ଓ ଡିହାଇଡ୍ରେସନ ପରି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ଡାକ୍ତର ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories