www.samajalive.in
Tuesday, December 9, 2025
16.1 C
Bhubaneswar

ମୌସୁମି ଅଧିବେଶନ : ସୀମିତ ଅବଧି ; ଅସୁମାରୀ ପ୍ରସଙ୍ଗ

ମୁହାଁମୁହିଁ ହେବେ ବିରୋଧୀ-ଶାସକ, ତିନି ମନ୍ତ୍ରୀଙ୍କୁ ନେଇ ଉଠିପାରେ ଝଡ଼

ଭୁବନେଶ୍ୱର : ପହିଲାରୁ ବସୁଛି ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ। ଆସନ୍ତା ୯ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନର ଅବଧି ମାତ୍ର ୮ ଦିନ। କରୋନାର ଦ୍ୱିତୀୟ ଲହର ଥମିନି। ସୀମିତ ଅବଧିର ଏ ଅଧିବେଶନ ପାଇଁ ରହିଛି କିନ୍ତୁ ସଂଖ୍ୟାଧିକ ପ୍ରସଙ୍ଗ। ବିରୋଧୀଙ୍କ ଉଠାଯିବାକୁ ଥିବା ପ୍ରସଙ୍ଗର ଜବାବ ରଖିବା ସ୍ବଳ୍ପ ଅବଧିରେ ଶାସକ ଦଳ ପାଇଁ ସମ୍ଭବ ହୋଇ ନ ପାରେ। ତଥାପି ହାତଗଣତି କାର୍ଯ୍ୟଦିବସରେ ଏଥର ଲୋକଙ୍କ ସମସ୍ୟାକୁ ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହେବା ସମ୍ଭାବନା ରହିଛି।
ଦୀର୍ଘ ଦୁଇବର୍ଷ ଧରି କରୋନା ରାଜ୍ୟ ଅର୍ଥନୀତିକୁ ସମ୍ପୂର୍ଣ୍ଣ ମାନ୍ଦାସ୍ଥିତିକୁ ଠେଲିଛି। ସବୁ ପ୍ରତିବନ୍ଧକ ଭିତରେ ଅର୍ଥନୀତି ପାଇଁ ଆଶା କୃଷିକ୍ଷେତ୍ର ମଧ୍ୟ ଏଥର ମରୁଡ଼ିରେ ଆକ୍ରାନ୍ତ। ବିରୋଧୀ ଏ ପ୍ରସଙ୍ଗକୁ ମଜଭୁତ ଢଙ୍ଗରେ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇପାରନ୍ତି।
ଅଗଷ୍ଟ ୩୧ରେ ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସର ବିଧାୟକ ଦଳ ବୈଠକ ବସିବାର ଯୋଜନା ଥିବାବେଳେ ଆସନ୍ତାକାଲି ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ଦଳ ବୈଠକ ବସୁଛି। ଗତାନୁଗତିକ ଢ଼ାଞ୍ଚାଠାରୁ ଏଥର ଅଧିବେଶନ ଟିକେ ଭିନ୍ନ ହୋଇପାରେ। ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ନିଜ ଆସନରେ ଦେଖିବାକୁ ମିଳି ନ ପାରେ। କାରଣ ସେ କରୋନାରୁ ସୁସ୍ଥ ହୋଇଥିଲେ ହେଁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିନାହାନ୍ତି। ଏବେ ବି ଡାକ୍ତରଖାନାରେ ଅଛନ୍ତି। ତେଣୁ ଆବଶ୍ୟକ ପଡ଼ିଲେ ସେ ଡାକ୍ତରଖାନାରୁ ଆଭାସି ମାଧ୍ୟମରେ ଗୃହ କାର୍ଯ୍ୟରେ ଭାଗ ନେଇପାରନ୍ତି। କିମ୍ବା ତାଙ୍କ ଅନୁପସ୍ଥିତିରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବିରୋଧୀ ଦଳ ପକ୍ଷରୁ ପ୍ରମୁଖ ଦାୟିତ୍ୱ ନିର୍ବାହ କରିପାରନ୍ତି।
ସେହିପରି କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କରୋନାରୁ ସୁସ୍ଥ ହେବା ପରେ ଏବେ ସକ୍ରିୟ ଅଛନ୍ତି। ମାତ୍ର କୋରାପୁଟରେ କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବ୍ୟାପାରରେ ଥିବା କେଁକୁ ନେଇ ସେ ଅସୁଖୀ। ଦଳ ମଧ୍ୟ ତାଙ୍କୁ କୁଆଡେ କଣଠେସା କରିବାକୁ ଯୋଜନା କରୁଥିବା ଶୁଣାଯାଉଛି। ପ୍ରତି ଅଧିବେଶନରେ କଂଗ୍ରେସରୁ ତାରା ଯେଭଳି ପ୍ରତିବାଦର ସ୍ୱର ଉଠାନ୍ତି ତାହା ଏଥର ପ୍ରତିଫଳିତ ହେବ କି ନା ତାହା ଅଧିବେଶନ କାଳରେ ଜଣାପଡ଼ିବ।
ଅନ୍ୟପକ୍ଷରେ ବିରୋଧୀଙ୍କ ସବୁ ଗୋଟିଚାଳନାକୁ ଫୁସ୍‌କାଇ ଦେଉଥିବା ଶାସକ ବିଜେଡ଼ି ବି ବିଭିନ୍ନ କାରଣରୁ ଏବେ ସେତେଟା ନିରାପଦ ସ୍ଥିତିରେ ନାହିଁ। ଏବେ ଦଳର ତିନି ମନ୍ତ୍ରୀ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଜଗନ୍ନାଥ ସାରକାଙ୍କ ଉପରେ ଖଣ୍ଡା ଝୁଲୁଛି। ମାହାଙ୍ଗା ହତ୍ୟାକାଣ୍ଡର ପୃଷ୍ଠା ପୁଣି ଓଲଟିବା ସହିତ ପ୍ରତାପଙ୍କ ଉପରେ ବିପଦ ବଢିଛି। ସେହିଭଳି ସମବାୟ ଦୁର୍ନୀତି ଜାଲରେ ରଣେନ୍ଦ୍ରଙ୍କ ସମ୍ପୃକ୍ତି ନେଇ ନିଜ ଦଳରୁ ପ୍ରଶ୍ନ ଉଠିବା ପରେ ସେ ମଧ୍ୟ ବିପଦମୁକ୍ତ ନୁହନ୍ତି। ସେହିପରି ରାୟଗଡ଼ାରେ ମଦ ମାଫିଆ ସମ୍ପୃକ୍ତି ବିବାଦରେ ଛନ୍ଦି ହୋଇଛନ୍ତି ଜଗନ୍ନାଥ। ତେଣୁ ବିରୋଧୀ ଏହି ତିନି ମନ୍ତ୍ରୀଙ୍କୁ ବିରୋଧ କରି ଗୃହ ହୁଲସ୍ତୁଲ କରିବାର ସୁଯୋଗକୁ ହାତଛଡ଼ା କରିବେ ନାହିଁ।
ବିରୋଧୀ ବିଜେପି ଓ କଂଗ୍ରେସରେ ବିଭିନ୍ନ ଦଳୀୟ ପ୍ରସଙ୍ଗକୁ ନେଇ ମତାନ୍ତର ଓ ମନାନ୍ତର ଥିଲେ ବି ବିଧାନସଭା କାଳରେ ସେମାନେ ସରକାରଙ୍କୁ ବିଭିନ୍ନ ବାଟରେ ଘେରିବା ସହିତ ବିକାଶ କାର୍ଯ୍ୟରେ ଥିବା ବିଭ୍ରାଟ ଓ ଦୁର୍ନୀତି ଭଳି ପ୍ରସଙ୍ଗ ଲୋକଲୋଚନକୁ ଆଣିବାର ପ୍ରୟାସ କରିବେ। ପ୍ରମୁଖ ବିରୋଧୀ ବିଜେପି ଦୀର୍ଘଦିନ ହେଲା ସରକାରଙ୍କ ବିରୋଧରେ ଆଣିଥିବା ଆବାସ ଦୁର୍ନୀତିଠାରୁ ଆରମ୍ଭ କରି ଧାନକିଣାରେ ବିଭ୍ରାଟ, ମରୁଡ଼ି ସମସ୍ୟା, ବିକାଶ କାର୍ଯ୍ୟରେ ଦୁର୍ନୀତି , ନିଯୁକ୍ତିରେ ଅନିୟମିତତା, ସଂରକ୍ଷଣ କ୍ଷେତ୍ରରେ ମନମୁଖୀ ନୀତି, ବିଜୁଳି, ଚାଷୀଙ୍କ ସମସ୍ୟା ଏବଂ ଆଇନଶୃଙ୍ଖଳା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାର ଯୋଜନା ରଖିଛି।
ନିଜ ଦଳର ପ୍ରସ୍ତୁତି ବିଷୟରେ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ସୀମିତ ଅବଧି ହେଲେ ବି ଆମେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡ଼ିକୁ ସରକାରଙ୍କ ନଜରକୁ ଆଣି ଏହାର ଉତ୍ତର ଲୋଡ଼ିବୁ। ବିଶେଷକରି ରାଜ୍ୟର ୨୭ଟି ଜିଲା ଏବେ ମରୁଡ଼ି ପଞ୍ଝାରେ। ଅଣଜଳସେଚିତ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଏହାର ମୁକାବିଲା ଦିଗରେ ସରକାରଙ୍କ କୌଣସି ପ୍ରସ୍ତୁତି ନାହିଁ। ସେ ବିଷୟ ଗୃହରେ ଉଠିବ। କୃଷି ଓ ବେକାରୀ ସମସ୍ୟା, ଦରବୃଦ୍ଧି, ଆଇନଶୃଙ୍ଖଳା ଓ ପ୍ରଶାସନର ଉଦାସୀନତା କାରଣରୁ ମୂଳରୁ ଚୂଳ ପର୍ଯ୍ୟନ୍ତ ଦେଖାଦେଇଥିବା ଦୁର୍ନୀତି ବିଷୟକୁ ଦଳ ପ୍ରସଙ୍ଗ କରିବ। ଏହାଛଡ଼ା ଗୃହରେ ବିନା ବିତର୍କରେ ତରବରିଆ ବିଧେୟକ ଗୃହୀତ କରାଯାଉଛି। ଏ ପ୍ରକାର ଅବ୍ୟବସ୍ଥାକୁ କଂଗ୍ରେସ ଘୋର ବିରୋଧ କରିବ। ବିରୋଧୀ ଯେଉଁସବୁ ପ୍ରସଙ୍ଗ ଉଠାଇବେ ସେ ବିଷୟରେ ଗୃହରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ସରକାରୀ ଦଳ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବିଜେଡ଼ି ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ରଣନୀତି ସ୍ଥିର କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories