ଫୁଲବାଣୀ: ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ବ୍ଲକ ଭାବରେ ପରିଚିତ ଫିରିଙ୍ଗିଆ ବ୍ଲକରେ ସ୍ୱାସ୍ଥସେବା ବର୍ତ୍ତମାନ ସମ୍ପୂର୍ଣ୍ଣ ଅବହେଳିତ ହୋଇପଡିଛି। ବ୍ଲକରେ ସମୁଦାୟ ୨୪ ଟି ପଞ୍ଚାୟତ ରହିଥିବା ବେଳେ ବ୍ଲକ ମୁଖ୍ୟାଳୟରେ ଗୋଟିଏ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ୪ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ୍ୟ ରହିଛି। ବିଶେଷ କରି ଏଠିକାର ରୋଗୀ ମାନେ ଫିରିଙ୍ଗିଆ ମେଡିକାଲ ଉପରେ ଭରସା କରିଥାନ୍ତି। ରୋଗୀମାନଙ୍କ ସୁବିଧା ପାଇଁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୋଟିଏ ୧0୮ ଆମ୍ବୁଲାନ୍ସ ସହ ଗୋଟିଏ ସରକାରୀ ଆମ୍ବୁଲାନ୍ସ ରହିଛି।
ସେହିପରି ବାଲାନ୍ଦାପଡାରେ ମଧ୍ୟ୍ୟ ଗୋଟିଏ ଆମ୍ବୁଲାନ୍ସ ରହିଛି। ତେବେ କିଛିଦିନ ହେଲା ଏହି ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଥିଲେ ମଧ୍ୟ୍ୟ ରୋଗୀଙ୍କୁ ମିଳୁନି ଆମ୍ବୁଲାନ୍ସ ସେବା। ଯାହାପାଇଁ ଦୁରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ମେଡିକାଲ ରେ କୌଣସି ଆମ୍ବୁଲାନ୍ସ ଗାଡିର ସୁବିଧା ନଥିବାରୁ ବିଶେଷ କରି ମେଡିକାଲରେ କୌଣସି ରୋଗୀର ମୃତ୍ୟୁ ହେଲେ ଶବ ନେବା ପାଇଁ ରୋଗି
ମାନଙ୍କ ସମ୍ପର୍କୀୟ ମାନଙ୍କୁ ନାକେଦମ ହେବାକୁ ପଡୁଛ। ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ। ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମେଡିକାଲରେ ମୃତ୍ୟୁ ହେବା ପରେ ବୃଦ୍ଧଙ୍କ ମୃତଦେହକୁ ନିଜ ଘରକୁ ନେବାପାଇଁ ପରିବାର ଲୋକଙ୍କୁ ନାହିଁ ନଥିବା ଅସୁବିଧା ହେବାକୁ ପଡ଼ିଥିବା ବେଳେ ପରିବାର ଲୋକେ ସବକୁ ଖଟିଆରେ ବୋହି ନେବାକୁ ଚେଷ୍ଟା କରିଥିଲେ। ଦୀର୍ଘ ପ୍ରାୟ ଦଶ ଘଣ୍ଟା ଶବ ପଡିରହିବା ପରେ ସ୍ୱଚ୍ଛସେବୀ ଅନୁଷ୍ଠାନ ଟିମ ହ୍ୟୁମାନୀଟି ର ସହାୟତାରେ ଶବକୁ ମେଡିକାଲ ରୁ ତାଙ୍କ ଘରକୁ ନିଆଯାଇଛି।
ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ମଦନ ଭୁକ୍ତା ନାମକ ଜଣେ ୬୫ ବର୍ଷୟୀ ବୃଦ୍ଧଙ୍କ ଶରୀର ଅସୁସ୍ଥ ହେବାରୁ ମଙ୍ଗଳବାର ଦିନ ଅପରାହ୍ନ ଦୁଇଟା ସମୟରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଵା ବେଳେ ବୁଧବାର ଭୋର ଚାରିଟା ସମୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ଲୋକେ ଶବକୁ ଘରକୁ ନେବାପାଇଁ ଏକ ଆମ୍ବୁଲାନ୍ସ କିମ୍ବା ଶବବାହକ ଗାଡି ପାଇଁ ଯୋଗାଯୋଗ କରିଥିଲେ। ଫିରିଙ୍ଗିଆ ମେଡିକାଲରେ ଶବ ନେବା ପାଇଁ ଏକ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ୍ୟ ଡ୍ରାଇଭର ନଥିବାରୁ ଆମ୍ବୁଲାନ୍ସ ମିଳିନଥିଲା।
ପରେ ଫୁଲବାଣୀରେ ଥିବା ମହାପରାୟଣ ଗାଡିକୁ ମଧ୍ୟ୍ୟ ଯୋଗାଯୋଗ କରାଯାଇଥିଲା କିନ୍ତୁ ଏଥିରେ ମଧ୍ୟ୍ୟ ପରିବାର ଲୋକେ ଅସଫଳ ହୋଇଥିଲେ। ଶେଷରେ ଖବର ପାଇ ଫୁଲବାଣୀ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଟିମ ହ୍ୟୁମାନୀଟିକୁ ଯୋଗାଯୋଗ କରାଯାଇଥିଲା। ଟିମ ହ୍ୟୁମାନୀଟିର ଶବ ବାହକ ଗାଡିର ଡ୍ରାଇଭର ମଧ୍ୟ୍ୟ ନଥିବା ଯୋଗୁ ଫିରିଙ୍ଗିଆ ପ୍ରେସ କ୍ଲବର ସଭାପତି ଉତ୍ତମ ଖମାରି ନିଜେ ଫିରିଙ୍ଗିଆରୁ ଫୁଲବାଣୀ ଯାଇ ନିଜେ ଟିମ ହ୍ୟୁମାନୀଟିର ଶବବାହକ ଗାଡିକୁ ନିଜେ ଚାଲେଇ କରି ଫିରିଙ୍ଗିଆ ମେଡିକାଲ ରେ ପହଞ୍ଚି ଥିଲେ ଓ ଶବ ମେଡିକାଲ ରେ ଦଶଘଣ୍ଟା ପରେ ପଡି ରହିଲା ପରେ ଟିମ ହ୍ୟୁମାନୀଟିର ଆମ୍ବୁଲାନ୍ସ ରେ ବୃଦ୍ଧଙ୍କ ଶବ ତାଙ୍କ ନିଜ ଗାଁ ପୋଡ଼ପଡାକୁ ପହଞ୍ଚି ପାରିଥିଲା।
ଅନ୍ୟପଟେ ଏହି ଘଟଣା ପରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ଫିରିଙ୍ଗିଆରେ ଥିବା ଆମ୍ବୁଲାନ୍ସର ଡ୍ରାଇଭର ଜଣକ ଚାକିରୀରୁ ଅବସର ଗ୍ରହଣ କରିଥିବାରୁ ଆମ୍ବୁଲାନ୍ସ ଚାଲିପାରୁନାହିଁ ବୋଲି କହିଥିବା ବେଳେ ଡ୍ରାଇଭର ନିଯୁକ୍ତି ହେଲେ ଆମ୍ବୁଲେନ୍ସ ସୁବିଧା ମିଳିପାରିବ ବୋଲି କହିଛନ୍ତି। ଅନ୍ୟପଟେ ଆମ୍ବୁଲାନ୍ସ ଥାଇ ମଧ୍ୟ୍ୟ ରୋଗୀଙ୍କୁ ଶେବା ମିଳିପାରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହି ମେଡିକାଲକୁ ଏକ ଶବ ବାହକ ଗାଡି ଯୋଗାଇ ଦେବା ପାଇଁ ଦାବି ଜୋର ଧରିଛି।



