ଭୋପାଳ: ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ। ସେଠାରେ କିଏ ସରକାର ଗଢ଼ିବ ତାହା ପ୍ରାକ ନିର୍ବାଚନୀ ଆକଳନରୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସଟ୍ଟା ବଜାର ନିର୍ବାଚନ ଫଳାଫଳକୁ ନେଇ ଅଧିକ ସକ୍ରିୟ ଥିବା ଜଣାପଡ଼ିଛି। ସଟ୍ଟା ବଜାରରେ ହଠାତ୍ କଂଗ୍ରେସ ମୂଲ୍ୟ ବୃଦ୍ଧି ପାଇଛି।
ତିନି ସପ୍ତାହ ପୂର୍ବେ ସଟ୍ଟା ବଜାରରେ ବିଜେପିର ବିଜୟ ସମ୍ଭାବନା ଅଧିକ ଥିଲା। ଗତ ମାସରେ ସଟ୍ଟା ବଜାରର ଘୋଷଣା ଅନୁଯାୟୀ ବିଜେପି ସପକ୍ଷରେ ୧୦ ହଜାର ଟଙ୍କାର ବାଜି ଲଗାଇଥିବା ବ୍ୟକ୍ତିଙ୍କୁ ମିଳିବ ୧୧ ହଜାର ଟଙ୍କା। କଂଗ୍ରେସ ସପକ୍ଷରେ ୪,୪୦୦ ଟଙ୍କା ବାଜି ଲଗାଇଥିଲେ ମିଳିଥାନ୍ତା ୧୦ ହଜାର ଟଙ୍କା। କିନ୍ତୁ ଏବେ କଂଗ୍ରେସ ଉପରକୁ ଉଠିଛି। ସଟ୍ଟା ବଜାରର ସଦ୍ୟତମ ଘୋଷଣା ଅନୁଯାୟୀ, ବିଜେପି ୧୦୨ରୁ ଅଧିକ ଆସନରେ ଏବଂ କଂଗ୍ରେସ ୧୧୬ ଆସନରେ ବିଜୟୀ ହେବେ। ଉଭୟ ବିଜେପି ଓ କଂଗ୍ରେସ ସପକ୍ଷରେ ବାଜି ଲଗାଇଥିବା ବ୍ୟକ୍ତିଙ୍କୁ ତାଙ୍କ ଜମା ରାଶିର ଦୁଇ ଗୁଣ ମିଳିବ। ଆଗାମୀ ଦିନରେ ଏହି ଦର ତାଲିକା ପୁଣି ବଦଳିପାରେ ବୋଲି ଜଣେ ବୁକି କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତି ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କାର ବେଟିଂ ହେଉଛି। ପୂର୍ବରୁ କେବଳ ଫୋନ୍ ଜରିଆରେ ବେଟିଂ ହେଉଥିବା ବେଳେ ଏବେ ବିଭିନ୍ନ ଆପ୍ ଓ ୱେବ୍ସାଇଟ ଜରିଆରେ କାରବାର ହେଉଛି। କିନ୍ତୁ ପୁଲିସକୁ ଏହାର ଖୋଜ୍ଖବର ମିଳୁନି।
ମଧ୍ୟପ୍ରଦେଶ ନିର୍ବାଚନ: ସଟ୍ଟାବଜାରରେ କଂଗ୍ରେସ ଭାଉ ବଢ଼ୁଛି
Popular Categories



