ପୁଡ଼ୁଚେରୀ: କରୋନା ଖୁଆଡ଼ରେ ମଣିଷ ବନ୍ଦୀ । ଘରୁ ନ ବାହାରିବା ପାଇଁ ହୋଇଛି ତାଗିଦ୍ । ଘରେ ଥିବା ପର୍ଯ୍ୟନ୍ତ ମଣିଷ ସୁରକ୍ଷିତ ଓ ଘରୁ ବାହାରିଲେ ବିପଦ ବୋଲି ସତର୍କ କରାଇ ଦେଇଛି କୋବିଦ -୧୯ ଭୂତାଣୁ । ମଣିଷର ଏହି ଲକଡ଼ାଉନକୁ ଉପଭୋଗ କରୁଛନ୍ତି ବନ୍ୟଜୀବ, ପଶୁପକ୍ଷୀ ଓ ପ୍ରକୃତି । ଲକ୍ଡ଼ାଉନ ଯୋଗୁଁ ଗାଡ଼ି ମୋଟର ବନ୍ଦ, ତେଣୁ କମିଛି ପ୍ରଦୂଷଣ । ବିଭିନ୍ନ ସ୍ଥାନରେ ଜଙ୍ଗଲୀ ଜୀବ ରାସ୍ତା ଉପରକୁ ଚାଲି ଆସୁଥିବା ଛବି ଭାଇରାଲ ହୋଇଛି । ଡ଼େରାଡ଼ୁନ୍ ରାସ୍ତାରେ ଜଙ୍ଗଲୀ ହରିଣ ବୁଲୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ମୁମ୍ବାଇ ସହରତଳି ଅଞ୍ଚଳରେ ରାସ୍ତାରେ ଜଙ୍ଗଲୀ ଭାଲୁ ବୁଲୁଥିବା ଆଉ ଦିଲ୍ଲୀରୁ ଉତ୍ତରାଖଣ୍ଡ ରାସ୍ତାରେ ହାତୀ ଯାତାୟତ କରୁଥିବା ଦୃଶ୍ୟ ଦେଖିବାକୁ ମିଳଛି । ଓଡ଼ିଶାର କୋଣାର୍କ ନିକଟରେ ସମୁଦ୍ରକୂଳରେ ଢ଼େଉ ସହ ଏକ ହରିଣ ଡ଼ିଆଁକୁଦା କରୁଥିବାର ଛବି କେହିକେହି ଫେସବୁକ୍ ଓ ହ୍ବାଟସଆପରେ ପୋଷ୍ଟ କରିଥିଲେ । ଏହାର ସତ୍ୟତା ନେଇ ଏଯାଏ ପୁଷ୍ଟି ହୋଇପାରି ନାହିଁ । ଏହି ପରିପ୍ରେକ୍ଷୀରେ ପୁଡ଼ୁଚେରୀ ଉପରାଜ୍ୟପାଳ କିରଣ ବେଦୀ କିଛି ପକ୍ଷୀଙ୍କ ଫଟୋ ପୋଷ୍ଟ କରିଛନ୍ତି । ପୁଡ଼ୁଚେରୀର ଉସୁତୋରୀ ହ୍ରଦରେ ପକ୍ଷୀଙ୍କ ଉଡ଼ୁଥିବା ଛବି ପୋଷ୍ଟ କରି ଲେଖିଛନ୍ତି- ‘ୱି ଆର୍ ଲକ୍ ଡ଼ାଉନ୍, ନେଚର ହାଜ୍ ରିକ୍ଲେମିଙ୍ଗ ଇଟ୍ସ ସ୍ପେସ’ । 




