ଭୁବନେଶ୍ୱର:କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେଉଛନ୍ତି। ଯାହାର ସଦ୍ୟତମ ଉଦାହରଣ ଛତିଶଗଡ଼ରେ ଓ ବଲାଙ୍ଗୀରରେ ଦେଖିବାକୁ ମିଳିଛି। ଏହାବାଦ୍ ମାଓ ଅଞ୍ଚଳରେ ସାମ୍ବାଦିକମାନେ ସବୁବେଳେ ନିଜ ଜୀବନକୁ ବାଜି ଲଗାଇ ଖବର ପରିବେଷଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାମ୍ବାଦିକଙ୍କୁ କିଭଳି ସୁରକ୍ଷା ବଳୟ ଭିତରକୁ ଅଣାଯାଇ ପାରିବ ସେନେଇ ବିଧାନସଭାରେ ବିସ୍ତୃତ ଆଲୋଚନା ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ବାରା ଆଗତ ପ୍ରସ୍ତାବ ଉପରେ ଦୀର୍ଘ ସମୟ ଆଲୋଚନା ପରେ ସବୁଦଳ ସମ୍ମତି ପ୍ରକାଶ କରିଛନ୍ତି। ସରକାର ଖୁବଶୀଘ୍ର ସାମ୍ବାଦିକଙ୍କ ସୁରକ୍ଷା କଥା ବିଚାର କରିବେ ବୋଲି ବାଚସ୍ପତି ପ୍ରଦୀପ କୁମାର ଅମାତ କହିଛନ୍ତି।
ଶୁକ୍ରବାର ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ପୂର୍ବରୁ ବିରୋଧୀଦଳ ନେତା ନରସିଂହ ମିଶ୍ର ସାମ୍ବାଦିକଙ୍କ ବୀମା ଅର୍ଥ ୨ଲକ୍ଷ ଟଙ୍କାରୁ ୫ଲକ୍ଷକୁ ବୃଦ୍ଧି କରିବାକୁ ଦାବି କରିବା ସହିତ ସେମାନଙ୍କୁ ପେନସନ ଭୁକ୍ତ କରିବାପାଇଁ ପ୍ରସ୍ତାବ ରଖିଥିଲେ। ଶ୍ରୀ ମିଶ୍ରଙ୍କ ପ୍ରସ୍ତାବ ଉପରେ ଦୀର୍ଘ ସମୟ ଆଲୋଚନାକାଳରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସଦସ୍ୟ ରବି ନାରାୟଣ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇ ଶ୍ରୀ ମିଶ୍ରଙ୍କ ପ୍ରସ୍ତାବକୁ ସ୍ବାଗତ କରିବା ସହିତ ତୁରନ୍ତ ସାମ୍ବାଦିକଙ୍କୁ ସୁରକ୍ଷା ବଳୟକୁ ଆଣିବାପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏବଂ ସଦସ୍ୟ ପ୍ରଭାତ ରଞ୍ଜନ ବିଶ୍ବାଳ ପ୍ରମୁଖ ଆଲୋଚନାରେ ଭାଗ ନେଇ ସାମ୍ବାଦିକଙ୍କ ଦାବିକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହିତ ସରକାର ତୁରନ୍ତ ତାଙ୍କ ଦାବି ପୂରଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।
ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ପେନ୍ସନ ଓ ବୀମା ବୃଦ୍ଧି ପ୍ରସଙ୍ଗ
Popular Categories



