କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ମଙ୍ଗଳବାର ରାତିରେ ମଦ ପିଇବାକୁ ଟଙ୍କା ନଦେବାରୁ ଜଣେ ପୁଅ ବାପା ଉପରେ କିରାସିନି ଢାଳି ନିଆଁ ଲଗାଇଦେବା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇଛି। ଗୁରୁତର ଆହତ ଅବସ୍ଥାରେ ବାପା ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଟାଉନ ପୁଲିସ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି।
ଆଟୋପୁର ବୀରବରପୁରପାଟଣାରେ ରହୁଥିବା ରବିନ୍ଦ୍ରନାଥ ବେହେରା(୬୫)ଙ୍କ ପୁଅ ସୁରେନ୍ଦ୍ରନାଥ ବେହେରା(୨୮) ମଙ୍ଗଳବାର ରାତିରେ ମଦ ପିଇବାକୁ ବାପାକୁ ୧୦୦ ଟଙ୍କା ମାଗିଥିଲା। ରବିନ୍ଦ୍ର ମଦ ପିଇବାକୁ ପୁଅକୁ ଟଙ୍କା ଦେବେ ନାହିଁ ବୋଲି ରୋକଠୋକ୍
ମନା କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ସୁରେନ୍ଦ୍ର ଘରେ ଥିବା ଏକ କିରାସିନି ଜାର୍ ଆଣି ବାପା ଉପରେ ଢାଳି ଦେଇଥିଲେ। ପରେ ଘରେ ଥିବା ଦିଆସିଲି ଆଣି ବାପାଙ୍କ ଦେହରେ ନିଆଁ ଲଗାଇ ଦେଇ ଫେରାର୍ ହୋଇଯାଇଥିଲା। ରବିନ୍ଦ୍ର ଜୀବନବିକଳରେ ପାଟି କରିବାରୁ ଲାଗିଥିବା ନିଆଁ ଆୟତ୍ତ କରିବା ସହ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଟାଉନ ପୁଲିସ ଅଭିଯୁକ୍ତ ପୁଅ ସୁରେନ୍ଦ୍ରନାଥ ବେହେରାକୁ ଥାନାରେ ଅଟକ ରଖିଥିବା ଜଣାପଡିଛି।
ବାପା ଉପରେ କିରାସିନି ଢାଳି ନିଅଁା ଲଗାଇଲା ପୁଅ
Popular Categories


