www.samajalive.in
Wednesday, December 10, 2025
26.1 C
Bhubaneswar

ସିୱାଇଏସଡି ପକ୍ଷରୁ ପ୍ରାକ୍‍ ବଜେଟ ୱେବିନାର ସମ୍ବଳ ସଂଗ୍ରହ ବଡ଼ ଆହ୍ବାନ

ଭୁବନେଶ୍ୱର: କୋଭିଡ଼ ମହାମାରୀ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ସ୍ୱାସ୍ଥ୍ୟ, ଜୀବିକା ଓ ଅର୍ଥନୀତି ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଆଦିବାସୀ ଓ ସ୍ଥାନାନ୍ତରୀ ଶ୍ରମିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଭଳି ସ୍ଥିତିରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ସମ୍ବଳ ସଂଗ୍ରହ ବଡ଼ ଆହ୍ବାନ ସୃଷ୍ଟି କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥନୀତିର ପୁନରୁଦ୍ଧାର ନିମନ୍ତେ ଆଗାମୀ ବଜେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସମେତ ଜୀବିକା, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ତଥା ସାମାଜିକ କ୍ଷେତ୍ରକୁ ରାଜ୍ୟ ସରକାର ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି ସିୱାଇଏସଡି ଏବଂ ଓଡ଼ିଶା ବଜେଟ ଆକାଉଣ୍ଟେବିଲିଟି ସେଣ୍ଟର (ଓବାକ) ପକ୍ଷରୁ ଆୟୋଜିତ ପ୍ରାକ୍‌ ବଜେଟ ୱେବିନାରରେ ମତ ପ୍ରକାଶ ପାଇଛି।

ଆଗାମୀ ବଜେଟରେ ମୋଟ ବ୍ୟୟବରାଦର ୫୦ଭାଗ ଅର୍ଥ ସାମାଜିକ କ୍ଷେତ୍ର ପାଇଁ ଆବଣ୍ଟିତ ହେବାର ଆବଶ୍ୟକତା ରହିଛି ବୋଲି ଅନେକ ପ୍ରସ୍ତାବ ଦେଇଛନ୍ତି। ମଙ୍ଗଳବାର ଆୟୋଜିତ ଏହି ୱେବିନାରରେ ଭିଡିଓ ବାର୍ତ୍ତା ଜରିଆରେ ମାଲକାନଗିରି ଖଇରପୁଟ ବ୍ଲକର ଚାଷୀ ମିଶ୍ର ସୁଜା ନିଜ ଚାଷଜମିକୁ ଜଳର ସୁବିଧା ନଥିବା ଏବଂ ଦଶମନ୍ତପୁର ବ୍ଲକର ଜଣେ ଚାଷୀ ବିହନ ଅଭାବ ଜନିତ ସମସ୍ୟା ଉଠାଇଥିବାବେଳେ କେନ୍ଦୁଝରର ଶିକ୍ଷକ ସହଦେବ ମହାନ୍ତ କରୋନା କାଳରେ ସବୁ ପିଲା ପାଠ ପଢ଼ିବାର ସୁଯୋଗ ପାଉ ନଥିବା କହିଥିଲେ। ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟା ସନ୍ତୋଷୀ ବାରିକ ଦଳର ସଦସ୍ୟାଙ୍କ ତାଲିମ ଓ ଆର୍ଥିକ ବ୍ୟବସ୍ଥା ଦିଗରେ ସରକାର ବଜେଟରେ ଧ୍ୟାନ ଦେବାକୁ ମତ ରଖିଥିବାବେଳେ ଅଙ୍ଗନବାଡ଼ି କର୍ମୀ ମମତା ଗନ୍ତାୟତ ସମାନ କାମକୁ ସମାନ ବେତନ ସହ ବଜାର ଦରକୁ ଦୃଷ୍ଟିରେ ରଖି ସରକାର ପୁଷ୍ଟିକର ଖାଦ୍ୟ ଯୋଗାଣ ବ୍ୟବସ୍ଥା କରିବା ଉପରେ ଜୋର ଦେଇଥିଲେ।

- Advertisement -

ଅର୍ଥ ବିଭାଗର ଯୁଗ୍ମ ସଚିବ ସତ୍ୟପ୍ରିୟ ରଥ କହିଥିଲେ ଯେ କୋଭିଡ଼ ସଂକ୍ରମଣ କାଳରେ ଲକ୍‌ଡାଉନ ଓ ସଟ୍‌ଡାଉନ ପ୍ରଭାବରେ ଅର୍ଥନୀତି ମାତ୍ରାଧିକ ପ୍ରଭାବିତ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟରେ ସରକାର ଯେଉଁସବୁ ଯୋଜନା ହାତକୁ ନେଇଥିଲେ ସେଥିରୁ ଅଧିକାଂଶ କାର୍ଯ୍ୟକାରୀ ହୋଇପାରିନି। ସମ୍ବଳ ଅଭାବ ଥିବାରୁ ଋଣ ଉପରେ ନିର୍ଭର କରିବାକୁ ପଡ଼ିବ। ଲୋକଙ୍କ ସ୍ବାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସୀମିତ ସମ୍ବଳର ବିନିଯୋଗ ମାଧ୍ୟମରେ ଜୀବିକାଜର୍ନରେ ସୁଧାର ଆଣିବା ସହିତ ସ୍ବାସ୍ଥ୍ୟ, କୃଷି, ଭିତ୍ତିଭୂମି ଭଳି କ୍ଷେତ୍ରକୁ ପ୍ରାଥମିକତା ଦେବାକୁ ପଡ଼ିବ। ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ବାବଦରେ ମାତ୍ର ୫.୧୩ ପ୍ରତିଶତ ଖର୍ଚ୍ଚ କରୁଥିବାରୁ ଏହାକୁ ୮ ପ୍ରତିଶତକୁ ବୃଦ୍ଧି ପାଇଁ ଅଧିକାଂଶ ବକ୍ତା ପରାମର୍ଶ ଦେଇଥିଲେ। ସରକାର ଏକାଧିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ହାତକୁ ନେବା ପରିବର୍ତ୍ତେ ସବୁ ଯୋଜନାକୁ ମିଶାଇ ଗୋଟିଏ ଯୋଜନା କରିପାରିଲେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ନିର୍ବାହ କରାଯାଇପାରିବ ବୋଲି ମତ ରଖିଥିଲେ। ପ୍ରତି ପରିବାରକୁ ପାଇପ ଜଳ ଯୋଗାଣ ସୁବିଧା, ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଜଳଯୋଗାଣ ନିଶ୍ଚିତ କରାଇବା, ଜଳାଶୟ ଚିହ୍ନଟ, ପାଇପ ଜଳ ଯୋଗାଣ ପାଇଁ ଆର୍ଥିକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। ଗ୍ରାମାଞ୍ଚଳରେ ସ୍ବେରେଜ ବ୍ୟବସ୍ଥା, ଦିବ୍ୟାଙ୍ଗଙ୍କ ପାଇଁ ସର୍ବସାଧାରଣ ସ୍ଥାନରେ ଚଳପ୍ରଚଳ ସୁବିଧା ଓ ଭିତ୍ତିଭୂମି ନିର୍ମାଣ, ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡିର ୨୦ଟି ବ୍ଲକରେ ମନରେଗା ବାବଦରେ ଦୈନିକ ମଜୁରି ଆକାରରେ ୨୮୨ ଟଙ୍କା ୩୦ ପଇସା ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ଏହା ସମଗ୍ର ରାଜ୍ୟରେ ଲାଗୁ କରିବାକୁ ମତ ପ୍ରକାଶ ପାଇଥିଲା। ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବା, ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି, ପ୍ରାକ ଶୈଶବ ଶିକ୍ଷାକୁ ଗୁରୁତ୍ୱ, ଶିକ୍ଷକଙ୍କୁ ତାଲିମ, କୃଷି ଗବେଷଣା ସଂସ୍ଥାରେ ଖାଲି ପଦ ପୂରଣ, ଡିଜିଟାଲ ପ୍ଲାଟଫର୍ମର ସୁଦୃଢ଼ୀକରଣ, ପ୍ରତ୍ୟେକ ଜିଲା ଓ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଗଠନ ପାଇଁ ବଜେଟରେ ପ୍ରାବଧାନ ରହୁ ବୋଲି ବକ୍ତାମାନେ ପ୍ରସ୍ତାବ ଦେଇଥିଲେ। ସିୱାଇଏସଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦ ୱେବିନାରକୁ ସ୍ୱାଗତ କରିଥିଲେ। ସଂଯୋଜକ ବସନ୍ତ କୁମାର ନାୟକ ବଜେଟରେ ଜନଗଣଙ୍କ ଆଶା ଓ ଆକାଂକ୍ଷା ପ୍ରତିଫଳିତ ହେବା ପାଇଁ ଏହି କର୍ମଶାଳା ଆୟୋଜିତ ହୋଇଥିବା ସୂଚନା ଦେଇଥିଲେ। ୱାସନର ପକ୍ଷରୁ ଏ.ରବୀନ୍ଦ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା.ଆକ୍ୱିନେଟ, ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ, ପ୍ରଭାସ କୁମାର ମିଶ୍ର, ନବନୀତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories