ଚଣ୍ଡିଗଡ଼: ପଞ୍ଜାବରୁ ଗୁପ୍ତଚର ଅଭିଯୋଗରେ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରାଯାଇଛି। ରୂପନଗରର ମହଲାନ ଗ୍ରାମ ନିବାସୀ ଜସବୀର ସିଂହଙ୍କୁ ଗିରଫ କରିଛି ମୋହାଲି ଏସଏସଓସି। ପଞ୍ଜାବ ଡିଜିପି ଗୌରବ ଯାଦବ କହିଛନ୍ତି ଯେ, ଜସବୀର ସିଂହ ଜାନ ମହଲ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଏ। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ର ୧.୧ ମିଲିୟନ ସବସ୍କ୍ରାଇବର୍ ଅଛନ୍ତି। ସେ ପିଆଇଓ ଶାକିର ଓରଫ ଜଟ୍ଟ ରନ୍ଧାୱା ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ଏଥିସହ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପାକିସ୍ତାନୀ ନାଗରିକ ତଥା ବହିଷ୍କୃତ ପାକ୍ ଦୂତାବାସ ଅଧିକାରୀ ଏହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ମଧ୍ୟ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଦାନିଶଙ୍କ ନିମନ୍ତ୍ରଣରେ ଦିଲ୍ଲୀରେ ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜସବୀର, ଯେଉଁଠାରେ ସେ ପାକିସ୍ତାନ ସେନା ଅଧିକାରୀ ଏବଂ ବ୍ଲଗରମାନଙ୍କୁ ଭେଟିଥିଲେ। ସେ ତିନିଥର(୨୦୨୦, ୨୦୨୧, ୨୦୨୪) ପାକିସ୍ତାନ ଗସ୍ତ କରିଥିଲେ ଏବଂ ତାଙ୍କର ଇଲେକ୍ଟ୍ରୋନିକ୍ ଡିଭାଇସଗୁଡ଼ିକରେ ଅନେକ ପାକିସ୍ତାନ ନମ୍ବର ଥିଲା, ଯାହାର ଏବେ ବିସ୍ତୃତ ଫୋରେନ୍ସିକ ପରୀକ୍ଷା କରାଯାଉଛି। ହିସାରର ଜ୍ୟୋତି ମାଲହୋତ୍ରାଙ୍କୁ ପଚରାଉଚରା ସମୟରେ ମଧ୍ୟ ଜସବୀରଙ୍କ ନାମ ସାମ୍ନାକୁ ଆସିଥିଲା।



