ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ପ୍ରତିଦିନ ଜଣେ ଯୁବକ ମାତାଲ ଅବସ୍ଥାରେ ପାଗଳ ଭଳି ଅଭିନୟ କରିବା ସହ ପାପଡାହାଣ୍ଡି ମୁଖ୍ୟ ରାସ୍ତାରେ ହାତରେ ଖଣ୍ଡା ଧରି ଭୟଭୀତ କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ୩ଜଣଙ୍କ ଉପରେ ଆକ୍ରମଣ କରିଛି। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ସୂଚନା ମୁତାବକ ପାପଡାହାଣ୍ଡି ଗ୍ରାମର ହରେକୃଷ୍ଣ ବେହେରା (୩୪) ଆଜକୁ ୨/୩ ବର୍ଷ ହେବ ଗ୍ରାମରେ କିଛି ହାତଗଣତି ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ଗଂଜେଇ, ମଦ ଆଦି ଖାଇ ଲୋକଙ୍କ ସହ ଗଣ୍ଡଗୋଳ କରୁଛି। ଆଜକୁ ୨ବର୍ଷ ପୂର୍ବେ ପାପଡାହାଣ୍ଡି ମୁଖ୍ୟ ରାସ୍ତା କଡରେ ଥିବା ଜଣେ ଚା’ ଦୋକାନୀ ଉପରେ ଛୁରୀରେ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ପରେ ସେହି ଚା’ ଦୋକାନୀ ଜଣଙ୍କ ପାପଡାହାଣ୍ଡି ଥାନାରେ ମାମଲା ଦାଏର କରିବା ପରେ ଦୁର୍ବୁତ୍ତ ଜଣଙ୍କ ଫେରାର ହୋଇ ଗାଁରୁ କୁଆଡେ ଉଭାନ ହୋଇଯାଇଥିଲା।
ପାଖାପାଖି ଏକ ବର୍ଷ ଧରି ଲୁଚି ରହିବା ପରେ ପୁଣି ପାପଡାହାଣ୍ଡିକୁ ଆସି ପାଗଳ ପରି ଅଭିନୟ କରି ବୁଲିବା ସହ ଗଂଜେଇ ମଦ ଖାଇ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଲୋକଙ୍କୁ ଭୟଭୀତ କରିବା ସହ ରାତି ହେଲେ ନିକଟରେ ଥିବା ସ୍ମଶାନକୁ ଯାଇ ସେଠାରେ ପୂଜାପାଠ କରିବା ଭଳି ଅଭିନୟ କରୁଥିବା ପ୍ରତ୍ୟେକ ଦିନ ଗ୍ରାମବାସୀ ଦେଖୁଛନ୍ତି। ସନ୍ଧ୍ୟା ହେଲେ ସେ ପାପଡାହାଣ୍ଡି ଶିବ ମନ୍ଦିର ପାଖରେ ଏପଟେ ସେପଟେ ହେବା ସହ ଯିବା ଆସିବା କରୁଥିବା ଲୋକଙ୍କୁ ଭୟଭୀତ କରାଉ ଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ସପ୍ତାହ ପୂର୍ବରୁ ହରେକୃଷ୍ଣ ହାତରେ ଖଣ୍ଡା ଧରି ପାପଡାହାଣ୍ଡି ମୁଖ୍ୟ ଉପରେ ୨ଜଣକୁ ଆକ୍ରମଣ ଉଦ୍ୟମ କରିବା ପରେ ଏନେଇ ଆହତ ବ୍ୟକ୍ତି ମାନେ ଥାନାକୁ ଜଣାଇଥିଲେ ହେଁ ପୁଲିସ, ସେ ଜଣେ ମାନସିକ ବିକାରଗସ୍ତ ବୋଲି କହି କିଛି କରୁନଥିବା ବେଳେ, ସ୍ଥାନୀୟ ଗ୍ରାମବାସୀ ଯୁବକର ଉନ୍ମତ କାଣ୍ଡରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।



