ଆର ଉଦୟଗିରି: ଦିନଥିଲା ସେ ଜଣେ ମେଧାବୀ ଛାତ୍ର ସାଙ୍ଗକୁ ଭଲ ଚିତ୍ରକର ମଧ୍ୟ ଥିଲେ । କିଛି ରୋଜଗାର କରି ଯେଉଁ ବୟସରେ ନିଜ ପରିବାର ଚଳେଇବା କଥା ସେହି ବୟସରେ ସେ ଏବେ ଅସହାୟ ଅବସ୍ଥାରେ ଶଯ୍ୟାଶାୟୀ । ଘରର ଏକମାତ୍ର ପୁଅର ଚିକିତ୍ସା ପାଇଁ ଗରୀବ ବାପା ମାଆ ସବୁକିଛି ବନ୍ଧା ପକେଇ ସାରିଲେଣି । ହେଲେ ଚିକିତ୍ସା କରାଇବା ପାଇଁ ଅର୍ଥ ସାଜୁଛି ବାଧକ ।
ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ୍ ତବାରସିଂ ଗ୍ରାମର ଏ ହେଉଛନ୍ତି ସୁରେଶ କାର୍ୟୀ ଯାହାଙ୍କ ବୟସ ମାତ୍ର ୨୫। ପିଲାଟି ଦିନରୁ ଖୁବ ପରିଶ୍ରମି ଯେତିକି ପାଠରେ ଜଣେ ମେଧାବୀ ମଧ୍ୟ । ସୁରେଶ ବିଏ ପାସ କରିଥିବା ସହ ଜଣେ ଚିତ୍ରକର ମଧ୍ୟ ଥିଲେ । ଚିତ୍ର ଆଙ୍କି କିଛି ରୋଜଗାର ମଧ୍ୟ କରୁଥିଲେ । ହେଲେ ଆଜକୁ ପାଞ୍ଚ ବର୍ଷ ହେବ ସୁରେଶ ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ କ୍ରମଶଃ ଯନ୍ତ୍ରଣା ବଢ଼ି ଚାଲିଥିଲା । ଯାହା ଫଳରେ ସେ ଚଲା ବୁଲା ପାଇଁ ମଧ୍ୟ ଅକ୍ଷମ ହେବା ସହ ରୋଗିଣା ହୋଇ ବିଛଣାରେ ପଡିଛନ୍ତି । ପରିବାର ଲୋକେ ମଧ୍ୟ କିଛି ଅର୍ଥ ଯୋଗାଡ଼ କରି ଡାକ୍ତରୀ ପରୀକ୍ଷା କରାଇ ଦୁଇ ଦୁଇ ଥର ଅସ୍ତ୍ରୋପଚାର କରିଥିଲେ କିନ୍ତୁ ଦଇବ ଦାଉ ସାଧିବା ଭଳି ଦୀର୍ଘ ବର୍ଷ ହେବ ସୁରେଶ ଆରୋଗ୍ୟ ଲାଭ କରିବା ପରିବର୍ତ୍ତେ ରୋଗାଗ୍ରସ୍ଥ ହେବାରେ ଲାଗିଛି । ଯେଉଁ ବୟସରେ ବାପା ମାଆଙ୍କ ସେବା କରି ପରିବାର ପ୍ରତିପୋଷଣ କରିଥାନ୍ତେ ସୁରେଷ ସେହି ବୟସରେ ତାଙ୍କ ସେବାରେ ଲାଗିଛନ୍ତି ବୃଦ୍ଦ ବାପା ଓ ମାଆ । ଆର୍ଥିକ ଅନଟନ ଦେଇ ଗତି କରୁଥିବା ତାଙ୍କ ପରିବାର ବର୍ତ୍ତମାନ ସୁରେଶଙ୍କ ଚିକିତ୍ସା କରାଇବା ପାଇଁ ସରକାରି ସହାୟତାକୁ ଚାହିଁ ରହିଥିବା ବେଳେ ଗ୍ରାମବାସୀ ମଧ୍ୟ ସୁରେଶଙ୍କ ଚିକିତ୍ସା ପାଇଁ କିଛି ସରକାରୀ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି।



