ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ, ଭାଷା କିମ୍ବା ସୀମାରେଖା ବିଚାରକୁ ନେଇ ସଂକ୍ରମଣ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଭାରତ ଭଳି ଦେଶରେ ଏକତା ଏବଂ ଭାଇଚାରା ଏସବୁକୁ ବିଚାରକୁ ନେଇ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଲିଙ୍କ୍ଡଇନରେ ଏକ ପୋଷ୍ଟରେ ମୋଦୀ କହିଛନ୍ତି ଯେ ଇତିହାସରେ ଏଭଳି ସମୟ ଆସିଥିଲା, ଯେତେବେଳେ ଦେଶ ଏବଂ ସମାଜ ଉଭୟ ଉଭୟଙ୍କର ବିରୋଧୀ ହୋଇଥିଲେ। କିନ୍ତୁ ଆଜିର ବିଶ୍ୱରେ ସମସ୍ତେ ଏକସ୍ୱରରେ କରୋନା ବିରୋଧରେ ସଂଗ୍ରାମ କରୁଛନ୍ତି।
ସେ କହିଛନ୍ତି, ବିଶ୍ୱର ଭବିଷ୍ୟତ ଏହି ଐକ୍ୟବଦ୍ଧ ସଂଗ୍ରାମକୁ ମନେରଖିବ। ଏହି ମର୍ମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସାରା ବିଶ୍ୱ ପାଇଁ ଭାରତ ଉଦାହରଣ ପାଲଟିଛି ଏବଂ ଦେଶରେ ଘଟୁଥିବା ପ୍ରତ୍ୟେକଟି ପରିବର୍ତ୍ତନ ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେଉଛି। ଏହା କେବଳ ଭାରତ ପାଇଁ ନୁହେଁ, ବରଂ ମାନବଜାତି ପାଇଁ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି। କରୋନା ଭାଇରସ୍ କର୍ମମୟ ଜୀବନରେ ଆଣିଥିବା ପରିବର୍ତ୍ତନ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଘର କାର୍ଯ୍ୟାଳୟ ପାଲଟିଛି ଏବଂ ଇଣ୍ଟରନେଟ୍ ସଂପର୍କର ନୂଆ ମାଧ୍ୟମ ହୋଇପାରିଛି। କରୋନା ପରବର୍ତ୍ତୀ ବିଶ୍ୱରେ ଭାରତ ଆଧୁନିକ ଯୋଗାଣ କ୍ଷେତ୍ରରେ ନୂଆ ସଂକଳ୍ପ ନେଇ ଆସିବ ବୋଲି ସେ କହିଛନ୍ତି।



