ଭୁବନେଶ୍ୱର: ବିଶ୍ୱବ୍ୟାପୀ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଏହାର ଥିମ୍ ରହିଛି ‘ହାତୀମାନଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ୱକୁ ଏକାଠି କରିବା’ । ଚଳିତ ବର୍ଷ ଏହି ଦିବସ ମଙ୍ଗଳବାର ପଡୁଥିବାରୁ ନନ୍ଦନକାନନ ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକ ଓ କର୍ମଚାରୀଙ୍କୁ ନେଇ ହାତୀ ସଫାରୀରେ ଏହା ପାଳନ କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରୁ ଅସହାୟ ଅବସ୍ଥାରେ ବହୁ ହାତୀ ଶାବକଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଉଛି । ସେମାନଙ୍କୁ ବଞ୍ଚାଇ ରଖିବାରେ ନନ୍ଦନକାନନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଉପନିର୍ଦେଶକ ସନଥ କୁମାର ନାରାୟଣ ।
ହାତୀ ଶାବକଙ୍କୁ ନୂଆ ଜୀବନ ଦେବାକୁ ଉଦ୍ଧାର କେନ୍ଦ୍ରର ପରିକଳ୍ପନା କରାଯାଇଛି । ଏହି କେନ୍ଦ୍ରର ମୁଖ୍ୟ ଆକର୍ଷଣ ପାଲଟିଛି ହାତୀ ଶବକ ‘ଆଶା ଓ ଲିସା’ । ନନ୍ଦନକାନନ ମୁଖ୍ୟ ଟିକେଟ ଯାଞ୍ଚ ପ୍ରବେଶ ପଥ ଦେଇ ୫୩ଫୁଟ୍ ଆଗକୁ ବାମପଟ ରାସ୍ତା ଦେଇ ଗଲେ ପଡିବ ୱାର୍କସପ୍, ଏହାର କଡରେ ରହିଛି ହାତୀ ଶାବକ ଉଦ୍ଧାର କେନ୍ଦ୍ର । ସେଠାରେ ଆଶା ଓ ଲିସାର ଚାଲିଚଳଣ, କୌତୁକିଆ ଢଙ୍ଗ ପର୍ଯ୍ୟଟକଙ୍କ ସହିତ କର୍ମଚାରୀଙ୍କୁ ଆକର୍ଷିତ କରିଥାଏ ।
୨୦୨୩ ନଭେମ୍ବର ୨୩ରେ କେନ୍ଦୁଝର ରେଞ୍ଜ ଅନ୍ତର୍ଗତ ବେଲଦା ସଂରକ୍ଷିତ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ନନ୍ଦନକାନନ ସିଥୁଲା ‘ଆଶା’। ତା’ର ଡାହାଣ ପଟ ଗୋଡ଼ରେ ଶିକାରୀ ବିଛାଇଥିବା ତାର ପଶି ଗଭୀର କ୍ଷତ ହୋଇଥିଲା । ସେ ଠିକ୍ ଭାବେ ଚାଲି ପାରୁନଥିଲା । ସେଠାକାର ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଯାଉଥିଲେ ମଧ୍ୟ ‘ଆଶା’ର ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥ୍ଲା । ଘଟଣାର ୮ଦିନ ପରେ ଜଙ୍ଗଲ ବିଭାଗ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ (ପିସିସିଏଫ୍)ଙ୍କ ନିର୍ଦ୍ଦେଶକ୍ରମେ ଉନ୍ନତମାନର ଚିକିତ୍ସା ପାଇଁ ‘ଆଶା’କୁ ନନ୍ଦନକାନନ ଅଣାଯାଇଥିଲା।



