ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଲକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ । ୩୯ ଟି ପଂଚାୟତକୁ ନେଇ ଗଠିତ । ଏହି ବ୍ଲକ ବହୁ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବ୍ଲକ । ଏଠିକାର ଗାଁ ଗହଳିର ଜନସାଧାରଣଙ୍କ ମୌଳିକ ସୁବିଧାର ସମାଧାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାରେ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତ୍ୟକ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଦେଉଛନ୍ତି । କିନ୍ତୁ ତାହା ଜନହିତରେ ନ ଲାଗି କିଛି ସ୍ଥାନରେ ବାଟବଣାହେଉଛି । ପାନୀୟ ଜଳ ବିଭାଗ ଅଧିକାରୀ ମାନେ ଖବର ପ୍ରସାରଣ ପରେ ଅଞ୍ଚଳକୁ ଆସି ଦେଖି ଚାଲିଯାନ୍ତି ହେଲେ ପାଣି ଟୋପେ ପାଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ସେପଟେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଉଛି ଦୁର୍ଗମ ଅଞ୍ଚଳରେ ପାଣିର ସମସ୍ୟା ନାହିଁ। କିନ୍ତୁ ପାଣି ଟୋପେ ପାଇବା ପାଇଁ ପ୍ରତ୍ୟକ ଗ୍ରାମରେ ପ୍ରତ୍ୟେକ ଦିନ ଗଣ୍ଡଗୋଳ ହେଉଛି। କିଛି ସ୍ଥାନରେ ନଳକୂପ ପାଣିରେ ତେଲିଆ ଅଂଶ ଭାସୁଥିବା ଦେଖିବାକୁ ମିଳୁଛି।
ବିଗତ ବର୍ଷରେ ମୋହନା ବ୍ଳକ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଥିବାବେଳେ ବିଧାୟକ ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ପ୍ରଚେଷ୍ଟାରେ ମୋହନା ଶିବ ମନ୍ଦିର ଠାରେ ପାଣିର ସମସ୍ୟା ଦୂର କରିବା ପାଇଁ ହରଭଙ୍ଗି ନଦୀ କୂଳରେ ଏକ କୂଅ ନିର୍ମାଣ କରାଯାଇଥିଲା। ତାହା ବର୍ତ୍ତମାନ ଭାଙ୍ଗି କୂଅ ଭିତରେ ନଦୀର ଆବର୍ଜନା ପାଣି ପଶୁଛି । ସେହି ଦୂଷିତ ପାଣି ପିଇ ମୋହନାବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ନଜିର ରହିଛି । ଦିନେ ପାଣି ଆସିଲେ ୪ ଦିନ ପାଣି ଆସୁନି । ମନମୁଖୀ ଭାବେ ଚାଲିଛି ଜଳ ଯୋଗାଣ । ଯାହାରି ଫଳରେ ଲୋକେ ପିଇବାପାଣି ପାଇଁ ଗୋଟିଏ ନଳକୂପରେ ଯଗି ବସିବାକୁ ପଡୁଛି ଘଣ୍ଟା ଘଣ୍ଟା ଧରି । ମୋହନା ସହରର ତାରିଣୀନଗର, ହରିଜନସାହି, ନୂଆ ହରିଜନ ସାହି, ପାତ୍ର ସାହି, ରଙ୍ଗମାଟିଆ ସାହି, ହାଇସ୍କୁଲ ଛକ, ଷ୍ଟେଟ୍ ବ୍ୟାଙ୍କ ରୋଡ, କଣ୍ଚେଇ କୋଳି, ଖ୍ରୀଷ୍ଟିଆନ ସାହି ଆଦି ସାହି ଗୁଡ଼ିକରେ ୧ଲକ୍ଷ ୫୦ ହଜାର ଟଙ୍କା ବିନିମୟରେ ଏପ୍ରିଲ ୨୦୨୧ ରେ ନିର୍ମାଣ ହୋଇଥିଲା ଷ୍ଟାଣ୍ଡ ପଏଣ୍ଟ । ପ୍ରଥମ ଦିନ ସମସ୍ତ ସାହିକୁ ପାଇପ ଯୋଗେ ପାଣି ଆସିଥିଲା ହେଲେ ଗୋଟିଏ ଦିନ ପାଣି ଛାଡି ଦେଇ ଲୋକଙ୍କୁ ଜଳକା କରିଦେଲା ପ୍ରଶାସନ । ପାଣି ନ ଆସିବା ଫଳରେ ଲୋକେ ବାଧ୍ୟ ହୋଇ ନଦୀରୁ ପାଣି ଆଣିବାକୁ ପଡୁଛି। ସହକାରୀ ଯନ୍ତ୍ରୀ ଖବର କାଗଜରେ ପ୍ରକାଶନ ପରେ ମୋହନା ଆସି ବୁଲି ଚାଲି ଯାଉଛନ୍ତି । କିନ୍ତୁ ସମାଧାନ ସମାଧାନ କରିପାରୁ ନାହାନ୍ତି । ଏଣୁ ତୁରନ୍ତ ମୋହନା ବାସୀଙ୍କ ପାଣି ସମସ୍ୟାର ସମାଧାନ କରିବା ପାଇଁ ଦାବି ହେଉଛି ।



