ପାଇକରାପୁର ଗ୍ରାମରେ ଜଳ ସଂକଟ, ପାଣି ପାଇଁ ଯାଉଛନ୍ତି ୨ କିଲୋମିଟର 

ଗୁରୁଡିଝାଟିଆ: ଘରେ ଘରେ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର କରିଛନ୍ତି ଯୋଜନା। ଏଥିପାଇଁ ରାଜକୋଷରୁ ବ୍ୟୟ ହେଉଛି କୋଟିକୋଟି ଟଙ୍କା ହେଲେ ସରକାରୀ ବିଭାଗୀୟ ଅଧିକାରୀଙ୍କ ସଠିକ୍ ତଦାରଖ ଓ ସୁପରିଚାଳନାର ଅଭାବ ପାଇଁ ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏଥିପାଇଁ ସରକାର ଅନେକ ମାତ୍ରାରେ ସାଧାରଣ ଲୋକଙ୍କ ଅସନ୍ତୋଷର ଶିକାର ହେଉଛନ୍ତି। ହେଲେ ଏ ସବୁ ପରେ ପାଣିପାଇଁ ଲୋକମାନେ ନାହିଁ ନଥିବା ହୀନସ୍ତାର ଶିକାରହୋଇ ରାତି ଉଜାଗର ରହି ପ୍ରାୟ ୨ କିଲୋମିଟର ଗରା,ଡେକଚି ଧରି ଘରକୁ ପାଣି ଆଣିବା ଭଳି ଚିତ୍ର ଦେଖିଲେ ଆମ ଲୋକାଭିମୁଖି ସରକାରଙ୍କ ପାରିବା ପଣିଆ ବାରିହୋଇପଡେ। ଏଭଳି ଚିତ୍ର ଦେଖାଦେଇଛି କଟକ ସହରର ନାକତଳେ ମାତ୍ର ୬ କିଲୋମିଟର ଦୂରରେ ଥିବା ପାଇକରାପୁର ଗ୍ରାମରେ। ବିଛାଯାଇଛି ପାଇପ। ଷ୍ଟାଣ୍ଡପୋଷ୍ଟ ମଧ୍ୟ ପ୍ରତି ସାହିରେ ରହିଛି ପିଇବା ପାଣି ଯୋଗାଇଦେବା ପାଇଁ। ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ଏଥିପାଇଁ ବ୍ୟୟ ମଧ୍ୟ କରିଛନ୍ତି ଲକ୍ଷଲକ୍ଷ ଟଙ୍କା। ବ୍ରାହ୍ମଣବସ୍ତ ଠାରେ ଖନନ କରାଯାଇ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି।

ଏଠାରୁ ପାଇପ ବିଛାଯାଇ ମଞ୍ଚେଶ୍ୱର ପଞ୍ଚାୟତର ନାରଙ୍ଗବସ୍ତ, ବିଷ୍ଣୁପୁର, ନୂଆଡିହ, ଲିଙ୍ଗାପଦା, ପ୍ରଶନ୍ନାପୁର, ମଞ୍ଚେଶ୍ୱର ଓ ପାଇକାରପୁର ଗ୍ରାମକୁ। ଉକ୍ତ ପାନୀୟଜଳ ପାଇପ କଖଡି ଓ ବିଦ୍ୟାଧରପୁର ଗ୍ରାମଦେଇ ଉପରୋକ୍ତ ଗ୍ରାମ ସହୂହକୁ ଯାଇଛି। ବ୍ରାହ୍ମଣବସ୍ତରୁ ପାଇପଯୋଗେ ପାନୀୟଜଳ ଯାଉଥିଲେ ମଧ୍ୟ ପାଇକରାପୁର ଗ୍ରାମରେ ଥିବା ଷ୍ଟାଣ୍ଡପୋଷ୍ଟରେ ପାଣି ବାହାରେ ନାହିଁ। ଅନ୍ୟ ଗାଁର ଜନସାଧାରଣ ପାନୀୟଜଳ ଘର ପାଖରେ ପାଉଥିବା ବେଳେ ପାଇକରାପୁର ଗ୍ରାମବାସୀମାନେ ବାଧ୍ୟ ହୋଇ ୨ କିଲୋମିଟର ଦୂର ଲିଙ୍ଗାପଦା ପାଖକୁ ଗରା,ବାଲଟି ଧରି ସାଇକେଲରେ ବୋହିବା ପାଇଁ ଘରକୁ ଆଣିବା ପାଇଁ ବାଧ୍ୟ ହୋଇଥାନ୍ତି। ପୁଣି ରାତି ଉଜାଗର ହୋଇ।

ଏଭଳି ଚିତ୍ର କୌଣସି କେବିକେ ଅଞ୍ଚଳର ନୁହେଁ ବରଂ କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ପାଇକରାପୁର ଗ୍ରାମର। ଗୃହପାଳିତ ପ୍ରାଣୀଙ୍କ ପାଇଁ ଓ ବାସନକୁସନ ଧୋଇବା ପାଇଁ ମହାନଦୀର ପାଣିକୁ ବ୍ୟବହାର କରୁଥିବା ବେଳେ ପାନୀୟଜଳ ପାଇଁ ଟାପ ଉପରେ ନିର୍ଭର କରିଥାନ୍ତି। ଗ୍ରାମବାସୀଙ୍କ ଏଭଳି ସମାସ୍ୟା ବର୍ଷବର୍ଷ ଧରି ଦେଖାଦେଇଥିଲେ ମଧ୍ୟ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିବା ଘୋର ପରିତାପର ବିଷୟ। ୬ କିଲୋମିଟର ଦୂରରୁ ପାଇପ ଯୋଗେ ପାନୀୟ ଜଳ ବିଭିନ୍ନ ଗାଁ ଦେଇ ଯାଉଥିବାରୁ କେତେକ ଅସାଧୁ ବ୍ୟକ୍ତି ମେସିନ ଲଗାଇ ପାଣି ବାଟରୁ ନେଇଯାଉଥିବାରୁ ପାଇକରାପୁର ଗ୍ରାମରେ ପହଞ୍ଚି ପାରୁନାହିଁ। ହେଲେ ଏଥିପାଇଁ ଗ୍ରାମବାସୀଙ୍କ କଣ ଭୂଲ ରହିଛି ବୋଲି ସେମାନେ ପ୍ରଶ୍ନ କରିବାକୁ ପଛାଇନାହାନ୍ତି। ଆମ୍ଭଙ୍କୁ ସ୍ୱଚ୍ଛ ପାନୀୟଜଳ ସରକାର କେବେ ଯୋଗାଇଦେବେ? କେବେ ଦୂର ହେବ ଆମ ଜଳ ସଂକଟ? କଟକ ସହରର ନାକତଳେ ରହି ପାନୀୟ ଜଳ ପାଇଁ ଯଦି ଏଭଳି ହୀନସ୍ତା ଭୋଗିବାକୁ ପଡ଼ିବ ତେବେ କହିବୁ କାହାକୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ସେମାନଙ୍କ ମୁହଁରୁ
ପ୍ରିୟବ୍ରତ ସାହୁ, ମଞ୍ଚେଶ୍ୱର ଗ୍ରାମ ପଞ୍ଚାୟତ: କିଛି ଅସାଧୁ ଲୋକ ଜାଣିଶୁଣି ବାଟରୁ ମେସିନ ଲଗାଇ ପାଣି ନେଇଯାଉଛନ୍ତି। ଯାହା ଫଳରେ କି ପାଇକରାପୁର ଗ୍ରାମରେ ଥିବା ଷ୍ଟାଣ୍ଡପୋଷ୍ଟରେ ପାଣି ବାହାରୁନାହିଁ। ଏଥିପାଇଁ ବେଆଇନ ମଟର ଲଗାଇ ପାଣି ନେଉଥିବା ଲୋକମାନଙ୍କୁ ଚିହ୍ନଟ କରି ଜଳ ସଂଯୋଗ କଟାଯାଉଅଛି ଏବଂ ଆଗାମୀ ଦିନରେ ବିଭାଗୀୟ କର୍ତ୍ତୃପକ୍ଷ ତଦନ୍ତ ପୂର୍ବକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବେ ନାହିଁ।ରାସ୍ତା ସଂପ୍ରସାରଣ କାର୍ଯ୍ୟ ପାଇଁ ଅନେକ ସ୍ଥାନରେ ଜଳଯୋଗାଣ ପାଇପ ଫାଟିଯିବା ଯୋଗୁଁଁ ପାଣି ଆସିବାରେ ମଧ୍ୟ ସମାସ୍ୟା ଦେଖାଯାଉଛି।
ମାନସ ବସ୍ତିଆ,ସମାଜସେବୀ: ପାନୀୟଜଳ ଭଳି ମୌଳିକ ସମାସ୍ୟାରେ ଏବେବି ଲୋକ ଯୁଝି ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହାପୁଣି କଟକ ସହର ଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ପାଇକରାପୁର ଗ୍ରାମରେ। ସରକାର ତୁରନ୍ତ ଜଳସମାସ୍ୟାର ସମାଧାନ କରି ସେମାନଙ୍କ ହାତ ପାହାନ୍ତାରେ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।

Comments are closed.