ଭ୍ଲାଦିବୋସ୍ତୋକ୍ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପନ ପାଇଁ ସଙ୍କଳ୍ପବଦ୍ଧ ହୋଇଛନ୍ତି। ଭ୍ଲାଦିବୋସ୍ତୋକ୍ ସହରରେ ଗୁରୁବାର ଦୁଇ ନେତା ପ୍ରଥମଥର ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆମେରିକା ସହ ପରମାଣୁ କଥାବାର୍ତ୍ତାରେ ଅଚଳାବସ୍ଥା ସୃଷ୍ଟି ହେବା ପରେ କିମ୍ ଜୋଙ୍ଗ୍ ଉନ୍ ରୁଷ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି।
କୋରିଆ ଉପଦ୍ୱୀପରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମରେ ସହଯୋଗ କରିବାକୁ ରାଷ୍ଟ୍ରପତି ପୁତିନ୍ କିମ୍ ଜଙ୍ଗ୍ ଉନ୍ଙ୍କୁ ଅନୁରୋଧ କରି ତାଙ୍କ ସହ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି। ଶ୍ରୀ ପୁତିନ୍ କହିଛନ୍ତି, ବର୍ତ୍ତମାନ ସମୟରେ ଉତ୍ତର କୋରିଆକୁ ପରମାଣୁ ଅସ୍ତ୍ର ମୁକ୍ତ କରିବା ସଂକ୍ରାନ୍ତ ଷଡ଼ରାଷ୍ଟ୍ରୀୟ କଥାବାର୍ତ୍ତା ଆରମ୍ଭ ପାଇଁ ସେ ନିଶ୍ଚିତ ନୁହଁନ୍ତି। ତେବେ ଏଭଳି ଏକ କଥାବାର୍ତ୍ତା ଉତ୍ତର କୋରିଆକୁ ଆନ୍ତର୍ଜାତିକ ସ୍ତରରୁ ସୁରକ୍ଷା ଯୋଗାଇ ପାରିବ ବୋଲି ସେ କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁତିନ୍ ଏହା କହିଛନ୍ତି। ୨୦୦୩ ମସିହାରେ ଉତ୍ତରକୋରିଆକୁ ପରମାଣୁ ଅସ୍ତ୍ର ମୁକ୍ତ କରିବା ଲାଗି ଷଡ଼ରାଷ୍ଟ୍ରୀୟ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସେହି କଥାବାର୍ତ୍ତାରେ ଚୀନ୍, ଜାପାନ୍, ରୁଷ, ଆମେରିକା, ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଭାଗ ନେଇଥିଲେ। ଏଥିପାଇଁ ଶେଷ କଥାବାର୍ତ୍ତା ୨୦୦୭ ମସିହାରେ ହୋଇଥିଲା। କୋରିଆ ଉପଦ୍ୱୀପରେ ପରମାଣୁ ସମସ୍ୟାର ରାଜନୈତିକ ଓ କୂଟନୈତିକ ସମାଧାନ ଉପରେ ଆଜିର କଥାବାର୍ତ୍ତାରେ ଆଲୋକପାତ କରାଯିବା କଥା ରୁଷ୍ କହିଥିଲେ ହେଁ କୌଣସି ମିଳିତ ବିବୃତ୍ତି ପ୍ରକାଶ ପାଇବା କିମ୍ବା ରାଜିନାମା ସ୍ୱାକ୍ଷରିତ ହେବାର ଯୋଜନା ନାହିଁ।



